ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ରେଢ଼ାଖୋଲ ରେଞ୍ଜ୍ ଅର୍ନ୍ତଗତ ଝିଙ୍କଦାଦର ଗ୍ରାମରେ ଶୁକ୍ରବାର ଭାଲୁ ଆକ୍ରମଣରେ ଶାଶୁ ଓ ବୋହୂ ଗୁରୁତର ଆହତ ହୋଇଛନ୍ତି।
ପ୍ରାପ୍ତ ସୂଚନାନୁସାରେ ଗାଁ’ର ସବିତା ପ୍ରଧାନ ଓ ତାଙ୍କ ବୋହୂ ରୋଜାଲିନ ପ୍ରଧାନ ଶୁକ୍ରବାର ଭୋର୍ରୁ ମହୁଲ ଗୋଟାଇବାକୁ ଘର ପାଖରେ ଥିବା ଜମିକୁ ଯାଇଥିଲେ। ସେଠାରେ ମହୁଲ ଗୋଟାଉଥିବା ବେଳେ ହଠାତ୍ ଏକ ଭାଲୁ ସେମାନଙ୍କୁ ଆକ୍ରମଣ କରିଥିଲା। ଉଭୟେ ଗୁରୁତର ଭାବେ ଆହତ ହୋଇଥିଲେ। ମୁହଁ ଓ ହାତରେ ଗଭୀର ଆଘାତ ଲାଗିଥିବାବେଳେ ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସରେ ଆଣି ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସବିତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ବନ ବିଭାଗ ଅଧିକାରୀ ଡାକ୍ତରଖାନାରେ ପହଞ୍ଚି ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ। ତେବେ ବନ ବିଭାଗ ପକ୍ଷରୁ ଉଭୟଙ୍କ ଚିକିତ୍ସା ଖର୍ଚ୍ଚ ବହନ କରାଯିବା ସହ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/bear-1.jpg)