ଭାଲୁ ଆକ୍ରମଣରେ ବୃଦ୍ଧ ମୃତ, ମହିଳା ଗୁରୁତର

ଲାଞ୍ଜିଗଡ଼/ନର୍ଲା: ମଙ୍ଗଳବାର ଭୋରରେ ଲାଞ୍ଜିଗଡ଼ ବ୍ଲକ କୁଚେଇଜୋର ଗାଁରେ ଭାଲୁ ଆକ୍ରମଣରେ ଧନୁ ଗଉଡ଼ (୬୫)ଙ୍କ ମୃତ୍ୟୁ ଘଟିଛି।
ଭୋର୍‌ ସମୟରେ ଧନୁ ଓ ଅନ୍ୟ ୩ ଜଣଙ୍କ ସହ ଶୌଚ ପାଇଁ ଗୁଜୁରିଆ ଗଛ ବନ୍ଧକୁ ଯାଇଥିଲେ। ସେଠାରେ ୨ଟି ଭାଲୁ ତାଙ୍କୁ ଗୋଡ଼ାଇ ଥିଲେ। ଧନୁ ଜୀବନ ବିକଳରେ ଦୌଡ଼ି ପଳାଉଥିବା ବେଳେ ଭାଲୁ ଦୁଇଟି ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ଶରୀରର ଜଙ୍ଘ, ୨ ଗୋଡ଼ର ମାଂସ ଝୁଣି ପକାଇଥିଲେ। ପ୍ରଚୁର ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ଧନୁଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ନର୍ଲା ଥାନା ଦାୟିତ୍ୱରେ ଥିବା ଡିଏସ୍‌ପି ଚିତ୍ତରଞ୍ଜନ ମହାନ୍ତି, ଏସ୍‌ଆଇ ଝରାମତୀ ମାଝୀ, ସ୍ୱୟଂସ୍ୱର ଭୋଇ ଓ ସିକେରକୁପା ଫାଣ୍ଡି ଅଧିକାରୀ ଅଜୟ ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ବନବିଭାଗର କର୍ମଚାରୀମାନେ ବି ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଏ ନେଇ ନର୍ଲା ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି। ତେବେ ଧନୁ ଜଣେ ଗରିବ ଓ ପରିବାରର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ତାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବି ହେଉଛି।

ଭାଲୁ ଆକ୍ରମଣରେ ମହିଳା ଗୁରୁତର
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ମହକୁମାରୁ ପ୍ରାୟ ୪ କିମି. ଦୂର ଜୁନାନୀ ଗାଁର ସାମୀ ମାଝୀ (୨୮) ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ସେ ୩ ବର୍ଷର ଝିଅ ସହିତ ମଙ୍ଗଳବାର ସକାଳ ପ୍ରାୟ ୬ଟାରେ ନିଜ ଘର ବାଡି ପଛପଟ ପଡିଆକୁ ଶୈାଚ ପାଇଁ ଯାଇଥିଲେ। ଏହି ସମୟରେ ୩ଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ମହିଳାଙ୍କ ଚିତ୍କାର ଶୁଣି ଗାଁ ଲୋକ ଧାଇଁ ଆସି ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ତାଙ୍କ ଅବସ୍ଥା ଠିକ୍‌ ଥିବା ବେଳେ ଶିଶୁଟିର କୌଣସି କ୍ଷତି ହୋଇନଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର