କେନ୍ଦୁଝର/ପଦ୍ମପୁର: ସଦର ରେଞ୍ଜ ପଳାଶପଙ୍ଗା ସେକ୍ସନ ରାଇକଳା ବିଟ୍ ଅନ୍ତର୍ଗତ ତିଆଡିପଶି ଗ୍ରାମ ନିକଟରେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ତିଆଡ଼ିପଶି ଗ୍ରାମର ଭାଟୁଲୁ ନାଏକଙ୍କ ପୁଅ ବିଦ୍ୟାଧର ନାୟକ(୫୫)।
ସେ ଭୋରୁ ବଉଳମାଳ ମଣ୍ତୁଳି ଫିଲ ଜଙ୍ଗଲ କୋଡ ତିଆଡିପୋଶିକୁ ଶୌଚ ହେବାକୁ ଯାଇଥିବାବେଳେ ଭାଲୁ ହାବୁଡରେ ପଡ଼ିଯାଇଥିଲେ। ଫଳରେ ବିଦ୍ୟାଧରଙ୍କ ମୁହଁ ଏବଂ ବେକକୁ ଭାଲୁ କାମୁଡି ବିଦାରି ଦେଇଥିଲା। ଘରକୁ ନ ଫେରିବାରୁ ୧ ଘଣ୍ଟା ପରେ ଖୋଜାଖୋଜି କରି ବିଲ ନିକଟରେ ମରି ପଡିଥିବାର ଦେଖିବାକୁ ପାଇଥିଲେ । ପ୍ରଚୁର ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପଳାସପଙ୍ଗା ଫରେଷ୍ଟର ଜୟକୃଷ୍ଣ ଦାସ ଏବଂ ପଳାସପଙ୍ଗା ବିଟ୍ ଅଧିକାରୀ ମହେନ୍ଦ୍ରକୁମାର ସାହୁ ସଦଳବଳେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ତେବେ ସେ ହାତରେ ଗୋଟିଏ ଆମ୍ବ ଧରିଥିବାରୁ କେହି କେହି ସେ ଆମ୍ବ ତୋଳିବାକୁ ଯାଇଥିବା କହୁଛନ୍ତି। ବନ ବିଭାଗ ପକ୍ଷରୁ କେସ ନମ୍ବର ୨୬/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି।
ବନ ବିଭାଗ ନିୟମ ଅନୁଯାୟୀ ତାଙ୍କୁ କ୍ଷତିପୂରଣ ବାବଦକୁ ୬ ଲକ୍ଷ ପ୍ରଦାନ କରାଯିବ । ଅନ୍ତେଷ୍ଟିକ୍ରିୟା ପାଇଁ ୪୦ ହଜାର ଟଙ୍କା ପ୍ରଦାନ କରାଯାଇଥିବାବେଳେ ଅବଶିଷ୍ଟ ଅର୍ଥ ପରେ ଯୋଗାଇ ଦିଆଯିବ ବୋଲି ସଦର ରେଞ୍ଜର ବିଜୟ କୁମାର ମହାନ୍ତ ପ୍ରକାଶ କରିଛନ୍ତି।
ସୂଚନା ଥାଉକି, ଗତକାଲି ଯୋଗୀମଠରେ ଏକ ବଣୁଆ ଭାଲୁ ଗାଁରେ ପଶିଥିଲା । ତାକୁ ବନ ବିଭାଗ ଭାଲୁ ଟିକୁ ବହୁ କଷ୍ଟରେ ଘଉଡାଇବାକୁ ସମର୍ଥ ହୋଇଥିଲା । ତେବେ ବ୍ୟାପକ ଜଙ୍ଗଲ ଧ୍ବଂସ ଏବଂ ଖାଦ୍ୟ ଅନ୍ୱେଷଣରେ ବନ୍ୟପ୍ରାଣୀ ଗାଁ ମୁହାଁ ହୋଇ ଲୋକମାନଙ୍କୁ ଆକ୍ରମଣ କରିବା ନିତିଦିନଆ ଘଟଣାରେ ପରିଣତ ହେଲାଣି । ଯେତିକି ପରିମାଣର ଜଙ୍ଗଲ ନଷ୍ଟ ହେଉଛି ସେତିକି ପରିମାଣର ନୂତନ ଜଙ୍ଗଲ ସୃଷ୍ଟି କରାଯାଇପାରୁନାହିଁ । ଏପରିକି ଖଣିଖନନ ପାଇଁ ସଂରକ୍ଷଣ ଜଙ୍ଗଲ କାଟିବାକୁ ବନ ବିଭାଗ ଅନୁମତି ଦେଉଥିବାରୁ ଜଙ୍ଗଲ ଜୀବଜନ୍ତୁଙ୍କ ଆବାସସ୍ଥଳୀ ନଷ୍ଟ ହେଉଛି। ଫଳରେ ଜଙ୍ଗଲ ଜୀବଜନ୍ତୁ ଗାଁ ମୁହାଁ ହେବା ନୀତିଦିନଆ ଘଟଣାରେ ପରିଣତ ହେଲାଣି।