ଭାଲୁ ଆକ୍ରମଣରେ ୩ ଗୁରୁତର

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଅନ୍ତର୍ଗତ ମାଛଗଡ଼ ଅଞ୍ଚଳରେ ଭାଲୁ ଆକ୍ରମଣରେ ୩ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ମାଛଗଡ଼ ପଞ୍ଚାୟତ କାଳିଆଦୁମା ଗ୍ରାମର ମାଜୁରା ସିଦୁ (୬୫), ବାଉଁଶନାଳୀ ଗ୍ରାମର ନୀଳକଣ୍ଠ ମହାନ୍ତ (୫୨) ଏବଂ କମାରମରା ଗ୍ରାମର ଶେଖର ମହାନ୍ତ (୪୭)।

କାଳିଆଦୁମା ଗ୍ରାମର ମାଜୁରା ଗାଁ ଚଉତରା ଉପରେ ବସିଥିବା ବେଳେ ହଠାତ୍‌ ଭାଲୁଟି ଆସି ତାଙ୍କୁ ଆକ୍ରମଣି ଲହୁଲୁହାଣ କରିଥିଲେ। ଗ୍ରାମବାସୀ ଘଉଡ଼ାଇବାରୁ ଭାଲୁଟି ପାଖ ବାଉଁଶନାଳୀ ଗାଁରେ ପଶି ଯାଇଥିଲା। ସେଠାରେ ନୀଳକଣ୍ଠ ମହାନ୍ତ ଭାଲୁ ହାବୁଡ଼ରେ ପଡ଼ି ଯାଇଥିଲେ। ତାଙ୍କୁ ମଧ୍ୟ ଭାଲୁଟି ଖଣ୍ଡିଆଖାବରା କରିଦେଇଥିଲା। ଏହାପରେ ଭାଲୁଟି କମାରମରା ଗାଁରେ ପଶି ଶେଖର ମହାନ୍ତଙ୍କୁ ଆକ୍ରମଣ କରିଥିଲା। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ କରଞ୍ଜିଆ ଡାକ୍ତରଖାନା ନିଆଯାଇଥିଲା। ନୀଳକଣ୍ଠଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଭାଲୁଟି ପରେ ଜଣଙ୍କ ପରେ ଜଣେ ତିନିଜଣଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିବାରୁ ମାଛଗଡ଼ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକେ ମିଶି ଭାଲୁଟିକୁ ଘଉଡ଼ା‌ଇଥିଲେ। ଭାଲୁଟି ଦାମାହୁଦା ନିକଟରେ ତେଲନଦୀରେ ଗାଧୋଉଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଆକ୍ରମଣ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର