ମଣିଷ ଭୟରେ ଗଛରେ ଚଢ଼ିଲା ଭାଲୁ

ଜାଲ ବାନ୍ଧି ଜଗିଛି ବନ ବିଭାଗ, ଗାଁରେ ଆତଙ୍କ, ପଡ଼ିଲା ତାଟି କବାଟ

ବୋରିଗୁମ୍ମା : ଖାଦ୍ୟ ସନ୍ଧାନରେ ଜନବସତିକୁ ଚାଲି ଆସିଥିବା ଗୋଟିଏ ଭାଲୁ ସମସ୍ତଙ୍କୁ ନାକେଦମ କରିଛି। ମଣିଷକୁ ଦେଖି ଭୟଭୀତ ହୋଇ ଗୋଟିଏ ତେନ୍ତୁଳି ଗଛରେ ଚଢ଼ି ଯାଇଛି। ଅନ୍ୟପଟେ ଭାଲୁ ଭୟରେ ଗ୍ରାମବାସୀ ତାଟି କବାଟ ପକାଇ ଘରେ ଅଛନ୍ତି। ବନ ବିଭାଗର ବାରମ୍ବାର ପ୍ରୟାସ ସତ୍ତ୍ବେ ଗଛରୁ ଓହ୍ଲାଉ ନ ଥିବାବେଳେ ସଂଧ୍ୟା ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ହୋଇଛି। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଆଉଁଳି ଗାଁର ଏହି ଘଟଣା କୌତୂହଳ ସୃଷ୍ଟି କରିଛି।

ଗତକାଲି ରାତିରେ ଆଉଁଳି ଗାଁ ନିକଟକୁ ଗୋଟିଏ ବୟସ୍କ ଭୋକିଲା ଭାଲୁ ଚାଲି ଆସିଥିଲା। ରାତିସାରା ଗାଁରେ ଘୂରି ବୁଲିବା ସତ୍ତ୍ବେ ଖାଦ୍ୟ ମିଳିନଥିଲା। ତେଣୁ ଗାଁ ଛାଡ଼ି ନ ଥିବାବେଳେ ଆଜି ସକାଳୁ କିଛି ମହିଳା ଭାଲୁ ସହ ମୁହାଁମୁହିଁ ହୋଇଥିଲେ। ପ୍ରାଣ ବିକଳରେ ମହିଳାମାନେ ଚିତ୍କାର କରିବାରୁ ଭୟଭୀତ ଭାଲୁ ଗୋଟିଏ ତେନ୍ତୁଳି ଗଛରେ ଚଢ଼ି ଯାଇଥିଲା। ଗ୍ରାମବାସୀ ଗାଁ ନିକଟକୁ ଆସି କୋଳାହଳ କରିବାରୁ ପ୍ରାୟ ୩୦ଫୁଟ ଉଚ୍ଚ ଗଛକୁ ଉଠି ଯାଇଥିଲା ଭାଲୁ। ଆପେ ଆପେ ତଳକୁ ଓହ୍ଲାଇ ଚାଲିଯିବ ବୋଲି ଅନୁମାନ କରି ବହୁ ସମୟ ଧରି ଗ୍ରାମବାସୀ ଅପେକ୍ଷା କରିଥିଲେ। ତଥାପି ଲୋକଙ୍କ ଚଳପ୍ରଚଳ ଲାଗି ରହିବାରୁ ଗୋଟିଏ ଡାଳରେ ବସି ରହିଲା। ଏମିତି ପରିସ୍ଥିତିରେ ବାଧ୍ୟ ହୋଇ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। କୁନ୍ଦୁରା ଏବଂ କୋଟପାଡ଼ ବନ ବିଭାଗ କର୍ମଚାରୀ ଗାଁରେ ପହଞ୍ଚିଥିଲେ। ସ୍ଥିତି ଅନୁଧ୍ୟାନ କରିବା ପରେ ୱାଇଲ୍ଡ ଲାଇଫ୍ ରେସ୍କ୍ୟୁ ଟିମ୍ ସହାୟତାରେ ଭାଲକୁ ଉଦ୍ଧାର ପାଇଁ ପ୍ରୟାସ କରାଯାଇଥିଲା। ବାରମ୍ବାର ଉଦ୍ୟମ ସତ୍ତ୍ବେ ଭାଲୁ ତଳକୁ ଓହ୍ଲାଇ ନ ଥିବାରୁ ଗଛ ଚାରିପଟେ ଜାଲ ବନ୍ଧା ଯାଇଥିଲା। ଆସନ୍ତାକାଲି ସକାଳ ସୁଦ୍ଧା ଯଦି ଭାଲୁ ତଳକୁ ନ ‌ଓହ୍ଲାଇବ ତେବେ ଟ୍ରାଙ୍କୁଲାଇଜ୍ କରି ଉଦ୍ଧାର କରାଯିବ ବାଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର