ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ତାରସିଂ ବନାଞ୍ଚଳ ଗାୟଗଣ୍ଡା ସେକ୍ସନ୍ ଓ ଜାଡ଼ଧାର ବିଟ୍ ଆମ୍ବଝରା ସଂରକ୍ଷିତ ଜଙ୍ଗଲ ଭିତରୁ ବୁଧବାର ଦିନ ଏକ ମାଈ ଭାଲୁକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତେବ‌େ ୫ ଘଣ୍ଟା ଧରି ଚିକିତ୍ସା ଚାଲିଥିଲେ ହେଁ, ତାକୁ ବଞ୍ଚାଇବା ସମ୍ଭବ ହୋଇ ନଥିଲା। ଶେଷରେ ଭାଲୁଟିର ମୃତ୍ୟୁ ହୋଇ ଯାଇଥିବା ଜଣାପଡ଼ିଛି।
Advertisment
ବୁଧବାର ସକାଳେ ବନ ବିଭାଗ କର୍ମଚାରୀମାନେ ଖିଲାରି ଗ୍ରାମ ନିକଟ ଆମ୍ବଝର ଜଙ୍ଗଲ ଭିତରେ ପାଟ୍ରୋଲିଂ କରୁଥିବା ସମୟରେ ଗୁରୁତର ଅବସ୍ଥାରେ ଭାଲୁଟି ପଡ଼ି ଛଟପଟ ହେଉଥିବା ଦେଖିବାକୁ ପାଇଥିଲେ। ଭାଲୁଟିର ପଛ ଡାହାଣ ଗୋଡ଼ଟି ଭାଙ୍ଗି ଯାଇଥିବା ବ‌େଳେ ଆଘାତ ଚିହ୍ନ ରହିଥିଲା। ବନରକ୍ଷୀ ଅଶୋକ ସେଠୀ ଏନେଇ ବନପାଳ ଓ ଉପରିସ୍ଥ ଅଧିକାରୀ ମାନଙ୍କୁ ଅବଗତ କରିବା ପରେ ଭାଲୁଟିକୁ ଭଞ୍ଜନଗର ପ୍ରାଣୀ ଚିକିତ୍ସାଳୟକୁ ଅଣାଯାଇଥିଲା। ଆଘାତ ଲାଗିଥିବା ସ୍ଥାନକୁ ସଫା କରି ଔଷଧ ଲଗାଯାଇଥିଲା। ତେବେ ଭାଲୁକୁ ବଞ୍ଚାଇବାକୁ ପ୍ରାଣୀ ଚିକିତ୍ସକ ଓ କର୍ମଚାରୀମ‌ାନେ ୫ ଘଣ୍ଟା ଉଦ୍ୟମ କରିଥିଲେ ହେଁ, ଅପରାହ୍‌ଣରେ ତା’ର ମୃତ୍ୟୁ ଘଟିଥିଲା।
ଅନ୍ୟପକ୍ଷରେ ଭାଲୁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରୁନି। କିଛିଦିନ ତଳେ ସେ ଅନ୍ୟ କୌଣସି ବନ୍ୟଜନ୍ତୁ ସହ ଝଗଡ଼ା କରି କିମ୍ବା ପଥୁରିଆ ଖାଲରେ ପଡ଼ି ଆଘାତ ପାଇଥିବା ଅନୁମାନ କରାଯାଉଛି। ଚାଲି ନପାରିବା ସହ ଖାଦ୍ୟ ଗ୍ରହଣ ନକରି ଗୋଟିଏ ସ୍ଥାନରେ ପଡ଼ି ଦୁର୍ବଳ ହୋଇଯାଇଥିବା କୁହାଯାଉଛି।  ତେବେ ଆଜି (ଗୁରୁବାର) ଶବ ବ୍ୟବ‌ଚ୍ଛେଦ ପରେ ପୋତାଯିବ ବୋଲି ସୂଚନା ମିଳିଛି।
ଗୁରୁତର ଭାଲୁକୁ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡା.ପ୍ରଦୀପ୍ତ କୁମାର ସାହୁ, ଭଞ୍ଜନଗର ବିଭିଓ ଡା.ନିଶିକାନ୍ତ ବଳ, ତାରସିଂ ବିଭିଓ ଡା.ରାକେଶ କୁମାର ପତି ଓ ଡା.ବିଜୟିନୀ ପଣ୍ଡା ପ୍ରମୁଖ ଚିକିତ୍ସା କରିଥିଲେ। ଉତ୍ତର ଘୁମୁସର ବନଖଣ୍ଡ ଡିଏଫ୍‌ଓ ସୁଦର୍ଶନ ବେହେରା, ଏସିଏଫ୍‌ ବିକ୍ରମଦେବ ପଟ୍ଟନାୟକ, ତାରସିଂ ବନପାଳ କଳାବଦନ ଦାଶ ଓ ବଂଶୀଧର ବି‌ଶୋୟୀ ପ୍ରମୁଖ ଉପସ୍ଥିତ ଥିଲେ।