ନନ୍ଦାହାଣ୍ଡିରେ ଗଛରେ ଚଢ଼ିଗଲା ଭାଲୁ, ଦିନ ତମାମ ବନବିଭାଗ ନାକେଦମ

ନନ୍ଦାହାଣ୍ଡି : ଖାଦ୍ୟ ଅନ୍ବେଷଣ ପାଇଁ ଜନବସତିକୁ ଆସିଲା। ଲୋକଙ୍କୁ ଭୟଭୀତ କଲା ଏବଂ ନିଜେ ଭୟରେ ଗଛରେ ଚଢ଼ିଗଲା। ଆଉ ଓହ୍ଲାଇଲା ନାହିଁ। ୧୨ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ସମସ୍ତଙ୍କୁ ହଟହଟା କରି ପୁଣି ସୁବିଧା ସୁଯୋଗ ଦେଖି ଖସି ଚାଲିଗଲା। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍‌ରେ ଗୋଟିଏ ଭାଲୁ ଆଜି ଦିନ ତମାମ ବନ ବିଭାଗ ଓ ସାଧାରଣ ଲୋକଙ୍କୁ ଏମିତି ନାକେଦମ କରିଛି। ଯଦିଓ କାହାର କିଛି କ୍ଷୟକ୍ଷତି ହୋଇନାହିଁ, ତଥାପି ଭାଲୁ ଲେଉଟିବା ସମ୍ଭାବନା ରହିଥିବାରୁ ଲୋକେ ଆତଙ୍କିତ ହୋଇ ରହିଛନ୍ତି।

ସୂଚନା ଅନୁଯାୟୀ, ଦହଣା ପଞ୍ଚାୟତ ଅନ୍ତର୍ଗତ ଗଜିଆଗୁଡ଼ା ନିକଟକୁ ଗତକାଲି ରାତିରେ ଖାଦ୍ୟ ଅଭାବରୁ ଗୋଟିଏ ଭାଲୁ ଘଞ୍ଚ ଜଙ୍ଗଲରୁ ଚାଲି ଆସିଥିଲା। ନବରଙ୍ଗପୁର ଜିଲ୍ଲାରେ ବର୍ତ୍ତମାନ ଆଖୁ କଟା ଚାଲିଥିବାରୁ ପର୍ଯ୍ୟାପ୍ତ ଖାଦ୍ୟ ମିଳିବା ସମ୍ଭାବନା ଦେଖି ଏହି ଭାଲୁ ଆସିଥିବା ଅନୁମାନ କରାଯାଉଛି। ତେବେ ଲୋକଙ୍କ ଗହଳଚହଳ ଦେଖି ଭାଲୁଟି ଏତେମାତ୍ରାରେ ଭୟଭୀତ ହୋଇଗଲା ଯେ, ଖାଇବା ଛାଡ଼ି ତରବରିଆ ଭାବେ ନଦୀକୂଳରେ ଥିବା ଗୋଟିଏ ଗଛ ଉପରକୁ ଚଢ଼ି ଆତ୍ମଗୋପନ କରିଥିଲା। ସାରା ରାତି ଗଛରେ ବିତାଇଥିବା ବେଳେ ଭୋକରେ ଛଟପଟ ହେଉଥିଲା। ଆଜି ସକାଳେ କିଛି ଲୋକ ଗଛରେ ଭାଲକୁ ଦେଖିବା ପରେ ନବରଙ୍ଗପୁର ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଅଧିକାରୀ ମନୋରଂଜନ ପଟ୍ଟନାୟକ ଏବଂ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଭାଲୁକୁ କାବୁ କରି ଉଦ୍ଧାର ପାଇଁ ପ୍ରୟାସ କରିଥିଲେ। ବହୁବାର ଉଦ୍ୟମ ସତ୍ତ୍ବେ ଆଦୌ ଧରାଛୁଆଁ ଦେଇ ନଥିଲା ଭାଲୁ। ଗୋଟିଏ ଡାଳକୁ ଭିଡ଼ି ଧରି ରହିଥିଲା। ସମୟକ୍ରମେ ଲୋକଙ୍କ ଭିଡ଼ ବଢ଼ିବାରୁ ଭାଲୁ ଅଧିକ ବିବ୍ରତ ହୋଇ ଗୋଟିଏ ଡାଳରୁ ଅନ୍ୟ ଡାଳକୁ ଡେଇଁ କୌତୂକିଆ ଦୃଶ୍ୟ ସୃଷ୍ଟି କରିଥିଲା। ବହୁ ସମୟ ଧରି ଗଛରୁ ନ ଓହ୍ଲାଇବାରୁ ବନ ବିଭାଗର ଚିନ୍ତା ବଢ଼ିବାରେ ଲାଗିଥିଲା। ଅନ୍ଧାର ହୋଇଗଲେ ଉଦ୍ଧାର ସମ୍ଭାବନା କମିବା ଆଶଙ୍କା କରି ଶେଷରେ ଲୋକଙ୍କୁ ଗଛଠାରୁ ବହୁ ଦୂରକୁ ଚାଲିଯିବାକୁ କହିଥିଲା। ଧୀରେ ଧୀରେ ଭିଡ଼ କମିବାରୁ ଅପରାହ୍ନରେ ଆପେଆପେ ତଳକୁ ଓହ୍ଲାଇ ଭାଲୁ ଜଙ୍ଗଲ ଭିତରକୁ ଚାଲି ଯାଇଥିଲା।

ସମ୍ବନ୍ଧିତ ଖବର