ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ବ୍ଲକ ଏକ ଆଦିବାସୀ ବହୁଳ ଅଂଚଳ ଭାବେ ପରିଚିତ। ବ୍ଲକଟି ଜଙ୍ଗଲ ପାହାଡ଼ ମଧ୍ୟରେ ଘେରିରହିଛି। ତେବେ ବ୍ଲକ ଅଂଚଳର ଅନେକ ଗ୍ରାମରେ ଭାଲୁ ପଶିବା ଘଟଣା ନୁଆଁ ନୁହଁ, ପ୍ରତ୍ୟେକ ଦିନ ସନ୍ଧ୍ୟା ହେଲେ ମାଳ, ମାଳ ଭାଲୁ ଗାଁ ଗଣ୍ଡା ମଧ୍ୟରେ ପ୍ରବେଶ କରୁଥିବା ଦେଖିବାକୁ ମିଳୁଛି। ଭାଲୁମାନେ ଖାଦ୍ୟ ଅନ୍ୱେଷଣ ରେ ଗାଁ ମଧ୍ୟରେ ଅସୁଥୁଲେ ହେଁ କାହାରି କିଛି ଅନିଷ୍ଟ କରୁନାହାନ୍ତି। ହେଲେ ଏକ ଜଙ୍ଗଲୀ ଭାଲୁ ଗାଁ ଜଣେ ସଦସ୍ୟ ପାଲଟି ଯିବେ ଏହି କଥାକୁ କେହି ବିଶ୍ୱାସ କରି ପାରୁନଥିଲେ ହେଁ ବାସ୍ତବରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ଦିଗିସଲପା ଗ୍ରାମରେ ଦୁଇମାସ ପୂର୍ବରୁ ଅସୁଥୁବା ଏକ ଜଙ୍ଗଲୀ ଭାଲୁ ଗାଁର ଜଣେ ସଦସ୍ୟ ପାଲିଟି ଯାଇଛି। ପ୍ରତ୍ୟେକ ଦିନ ଗାଁ ଭିତରକୁ ଆସି ବୁଲାବୁଲି କରି ପୁଣି ଫେରିଯାଉଛି। କାହାରି କିଛି କ୍ଷତି କରୁନଥୁବା ବେଳେ ଗ୍ରାମର ବିଭିନ୍ନ ଲୋକଙ୍କ ବାରିରେ ପଶି ଖାଦ୍ୟ ଅନ୍ୱେଷଣ କରୁଥିବା ଦେଖିବାକୁ ମିଳିଛି। ଗତ ଦୁଇମାସ ଧରି ଦିଗିସଲପା ଗାଁ ମଧ୍ୟକୁ ସନ୍ଧ୍ୟା ହେଲେ ଏକ ଜଙ୍ଗଲୀ ଭାଲୁ ପଶି ଆସୁଛି। ଗାଁ ଲୋକଙ୍କ ସହ ମଧ୍ୟ ଭାଲୁ ବେଶ ପରିଚିତ। ଜଙ୍ଗଲୀ ଭାଲୁ ହେଲେ ମଧ୍ୟ କାହାରିକୁ କ୍ଷତି କରୁନି। ଗାଁ ମଧ୍ୟରେ ଲୋକ ଯିବା ଆସିବା କରୁଥିବା ସତ୍ୱେ ଭାଲୁଟି ଅନାୟାସରେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି । ଗ୍ରାମବାସୀ ମଧ୍ୟ ଭାଲୁର କୌଣସି କ୍ଷତି କରୁ ନାହାନ୍ତି।
ଦିଗିସଲପା ଗ୍ରାମକୁ ଲାଗି ରହିଛି ଉଦୟପୁର, କାର୍ଲିଚୁଆଁ, ବଡାକୁପୁଲି ପାହାଡ଼। ଏହି ତିନି ପାହାଡ଼ରେ ଅନେକ ଭାଲୁ ରୁହନ୍ତି। ହେଲେ ସନ୍ଧ୍ୟା ହେବା ମାତ୍ରେ ଏହି ପାହାଡ଼ରୁ ଦିଗିସଲପା ଗ୍ରାମ ଭିତରକୁ ପଶି ଆସେ ଏକ ଜଙ୍ଗଲୀ ଭାଲୁ। ଗାଁର ମୁଖ୍ୟ ରାସ୍ତାରେ ନିର୍ଭୟରେ ବୁଲାବୁଲି କରି କିଛି ଲୋକଙ୍କ ବାରିରେ ପଶି ଖାଦ୍ୟ ଅନ୍ୱେଷଣ କରୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଗାଁ ରେ କିଛି ଖାଦ୍ୟ ସଂଗ୍ରହ କରିବା ପରେ ରାତ୍ର ୯ ଘଣ୍ଟା ହେଲେ ପୁଣି ପାହାଡ଼କୁ ଚାଲିଯାଉଛି । ଭାଲୁଟି ଦୀର୍ଘ ଦୁଇମାସ ହେବ ଲଗାତାର ଗାଁ ଭିତରକୁ ଆସି ଲୋକଙ୍କ ସହ ଘୋଷି ହୋଇ ଚାଲିଯାଉଛି ହେଲେ କାହାର କ୍ଷତି କରୁନଥୁବା ବେଳେ ଗ୍ରାମର ସଦସ୍ୟ ଭାବେ ପରିଚିତ ହୋଇ ଯାଇଥିବା ଗ୍ରାମର ଲଛମନ ମାଝୀ ପ୍ରକାଶ କରିଛନ୍ତି।
ଗୁରୁବାାର ଦିଗିସଲପା ଗାଁରେ ଭାଲୁ ଆତଙ୍କ ନେଇଁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ହେଲେ ସେମିତି କିଛି ନାହିଁ ପ୍ରତ୍ୟକ ଦିନ ଭାଲୁଟି ଗ୍ରାମ ମଧ୍ୟକୁ ଆସୁଛି, କାହାର କିଛି ଅନିଷ୍ଟ ନକରି ବୁଲାବୁଲି କରି ଚାଲି ଯାଉଛି। ବର୍ତ୍ତମାନ ଭାଲୁଟି ଗ୍ରାମର ଜଣେ ସଦସ୍ୟ ଭାବେ ପରିଚିତ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଦିଗିସଲପା ଗ୍ରାମର ପ୍ରଶାନ୍ତ ଯାନୀ, ବୃନ୍ଦା ଯାନୀ, ଗଗନ ଚଲାଣ, ଗୌରାଙ୍ଗ ପାଣିଗ୍ରାହୀ, ହୃଦାନନ୍ଦ ପ୍ରଧାନ, ଈଶ୍ୱର ମାଝୀ, ଧୂଣ୍ଡୁ ପାଇକ, ରିତା ପାଇକ ଙ୍କ ଘର ବାରିରେ ଭାଲୁଟି ପ୍ରବେଶ କରି ଖାଦ୍ୟ ଅନ୍ୱେଷଣ କରୁଥୁବା ବେଳେ ରାଧାକୃଷ୍ଣ ମନ୍ଦିର ବେଡାରେ ମଧ୍ୟ ଭାଲୁଟି ଆସୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ସେହିପରି ଗ୍ରାମର ଦେବେନ୍ଦ୍ର ଦାସ ଙ୍କ ବାରିରେ ଭାଲୁଟି ଦିନ ତମାମ ରହି ଚାଲିଯାଉଥିବା ଜଣାପଡିଛି। ଭାଲୁଟି କାହାର କିଛି କ୍ଷତି କରୁନଥିଲେ ହେଁ ଲୋକଙ୍କ ମଧ୍ୟରେ ସାମାନ୍ୟ ଭୟ ଲାଗିରହିଛି।