ନିର୍ମାଣାଧିନ ଗୃହରେ ମା ସମେତ ୨ ଛୁଆ ଭାଲୁଙ୍କୁ ଦେଖି ଗ୍ରାମବାସୀ ଆତଙ୍କିତ

ନବରଙ୍ଗପୁର: ନନ୍ଦାହାଣ୍ଡି ବ୍ଲକରେ ପୁଣି ଭାଲୁ ଆତଙ୍କ। ଜଙ୍ଗଲ କ୍ଷୟ ଯୋଗୁଁ ଭାଲୁ ଏବେ ଗାଁ ମୁହାଁ ହେବାର ଲାଗିଛନ୍ତି। ଗତ ବର୍ଷେ ହେବ ଏପରି ଭାଲୁ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେବାରେ ଲାଗିଛନ୍ତି। ଅଣ୍ଟାସର ଗାଁର ରାସ୍ତା ପାର୍ଶ୍ଵରେ ଥିବା ଏକ ନିର୍ମାଣଧୀନ ଘର ଭିତରେ ପଶିଥିଲେ ମା ଭାଲୁ ସମେତ ୨ଟି ଛୁଆ ଭାଲୁ । ଆଜି ସକାଳୁ ତିନୋଟି ଭାଲୁ ଏକ ନିର୍ମାଣଧିନ ଗୃହ ଭିତରେ ପଶିଥିବା ଗାଁ ଲୋକେ ଦେଖିଥିଲେ । ରାସ୍ତା କଡ଼ରେ ଘରଟି ଥିବାରୁ ଲୋକଙ୍କ ସେହି ରାସ୍ତା ଦେଇ ଯାତାୟତ ରହିଛି । ଯାହାକୁ ନେଇ ଗ୍ରାମବାସୀ ଆତଙ୍କିତ ହୋଇପଡିଥିଲେ। ଏହାପରେ ଘଟଣା ସ୍ଥଳରେ ଭାଲୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗିବାରୁ ଭାଲୁମାନେ ଘରୁ ବାହାରକୁ ବାହାରି ପାରୁନଥିଲେ।

ଦିନ ପ୍ରାୟ ୧୧ଟା ବେଳେ ବନ ବିଭାଗ କର୍ମଚାରୀ ମାନେ ସେଠାରେ ପହଞ୍ଚିଥିଲେ। ତୁରନ୍ତ ଭାଲୁ ମାନଙ୍କୁ ସେହି ଘରୁ ବାହାର କରିବା ପାଇଁ ବନ ବିଭାଗକୁ ଗ୍ରାମବାସୀ ଅନୁରୋଧ କରିଥିଲେ । ଭାଲୁ ମାନଙ୍କୁ କିଭଳି ସୁରକ୍ଷିତ ଭାବେ ସେହି ସ୍ଥାନରୁ ଉଦ୍ଧାର ହେବେ ସେନେଇ ପ୍ରକ୍ରିୟା ଆରମ୍ଭ କରିଥିଲେ ଏବଂ ସେହି ସ୍ଥାନରୁ ତଡିବା ପାଇଁ ଚେଷ୍ଟା ଜାରି ରଖିଥିଲେ ।

ବନ ବିଭାଗ କର୍ମଚାରୀ ମାନେ ଉକ୍ତ ଘରୁ ଉଦ୍ଧାର କାର୍ଯ୍ୟ ପାଇଁ ସେହି ଘର ପାଖରେ ଲାଗି ରହିଥିବା ଜନ ଗହଳି କୁ ଏଡ଼ାଇବା ପାଇଁ ଚେଷ୍ଟା ଜାରି ରଖି ଗ୍ରାମବାସୀ ଙ୍କୁ ସ୍ଥାନ ଖାଲି କରିବା ପାଇଁ ଲୋକଙ୍କୁ ବୁଝାସୁଝା କରୁଥିଲେ । ସେହି ସମୟରେ ଅନ୍ୟ କିଛି ଗ୍ରାମବାସୀ ବନ ବିଭାଗ କର୍ମଚାରୀ ଙ୍କ କଥାକୁ ନଜର ଅନ୍ଦାଜ କରି ନିଜ ଆଡୁ ଭାଲୁ କୁ ଘଉଡାଇବା ପାଇଁ ଉଦ୍ୟମ କରି ଭାଲୁ ଥିବା ଘର ସମ୍ମୁଖରେ ଭାଲୁକୁ ଏକ ପଣସ ଖାଇବାକୁ ଦେଇଥିଲେ ।

କିଛି ସମୟ ପରେ ମା ଭାଲୁଟି ଘରରୁ ବାହାରି ପଣସ କୁ ଧରି ଜଙ୍ଗଲ ଅଭିମୁଖେ ଚାଲି ଯାଇଥିଲା । ଏହି ସମୟରେ କିନ୍ତୁ ଭାଲୁ ଛୁଆ ଦୁଇ ଟି ସେହିପରି ଘର ଭିତରେ ରହିଥିଲେ । କିଛି ସମୟ ପରେ ଭାଲୁ ଛୁଆ ଦୁଇଟି ମଧ୍ୟ ସେହି ଘରରୁ ବାହାରି ମାକୁ ଆଖପାଖରେ ନ ପାଇ ଗାଁ ନିକଟରେ ଥିବା ତୋଟା ଅଭିମୁଖେ ଚାଲିଯାଇଥିଲେ । ପରେ ମା ଜଙ୍ଗଲରୁ ଫେରି ଛୁଆକୁ ନପାଇ ଛୁଆ ଯାଇଥିବା ତୋଟା ଅଭିମୁଖେ ଯାଇଥିଲା । ତଥାବି ବି କୌଣସି ଅଘଟଣ ଆଶଙ୍କା କରି ବନ କର୍ମଚାରୀ ମାନେ ଗାଁରେ ଅପେକ୍ଷା କରି ରହିଛନ୍ତି । ଭାଲୁ ମାନେ ଏ ପର୍ଯ୍ୟନ୍ତ କାହାକୁ କୌଣସି କ୍ଷତି ପହଞ୍ଚାଇ ନଥିବାବେଳେ ଗାଁ ନିକଟରେ ଜଙ୍ଗଲ ଥିବାବେଳେ ସବୁବେଳେ ଭାଲୁମାନଙ୍କ ଚଳପ୍ରଚଳ ରହି ଆସିଛି।

ସମ୍ବନ୍ଧିତ ଖବର