ନବରଙ୍ଗପୁର/ନନ୍ଦାହାଣ୍ଡି : ଭାଲୁ ଭୟରେ ବନ୍ଦ ହେଲା ପାଠପଢ଼ା। ସୁରକ୍ଷା କାରଣରୁ ଛାତଛାତ୍ରୀ ଘରକୁ ଚାଲିଆସିବା ପରେ ବିଦ୍ୟାଳୟକୁ ଜଗିଛି ବନ ବିଭାଗ। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ଦହଣା ସଦାଶିବ ନୋଡାଲ ଉଚ୍ଚବିଦ୍ୟାଳୟରେ ଆଜି ଏମିତି ଏକ ରୋଚକ ଘଟଣା ଘଟିଛି।
ସୂଚନା ଅନୁଯାୟୀ, ଉପରୋକ୍ତ ହାଇସ୍କୁଲ ସହ ୩ବର୍ଷ ତଳେ ୫୦ମିଟର ଦୂରରେ ରହିଥିବା ମଧ୍ୟ ଇଂରାଜୀ ବିଦ୍ୟାଳୟକୁ ମିଶ୍ରଣ କରାଯାଇଥିଲା। ବ୍ୟବହାର ନହୋଇ ଏବେ ଏହି ମଧ୍ୟ ଇଂରାଜୀ ବିଦ୍ୟାଳୟର ଶ୍ରେଣୀଗୃହଗୁଡ଼ିକ ପରିତ୍ୟକ୍ତ ଅବସ୍ଥାରେ ରହିଛି। ଗଛପତ୍ର ଉଠି ଜଙ୍ଗଲିଆ ପରିବେଶ ସୃଷ୍ଟି ହେବାରୁ ୫ଟି ଭାଲୁ ସେଠାରେ ଆଶ୍ରୟ ନେଉଛନ୍ତି। ଦିନବେଳା ଲୋକଙ୍କ ଚଳପ୍ରଚଳ ରହୁଥିବାରୁ ଭାଲୁ ଜଙ୍ଗଲକୁ ଚାଲିଯାଉଛନ୍ତି। ସଂଧ୍ୟାରେ ଫେରି ସେହି ସ୍ଥାନରେ ସାରାରାତି ରହୁଛନ୍ତି। ଏପରିକି ସେହି ସ୍ଥାନରେ ବଂଶବିସ୍ତାର ବି କରୁଛନ୍ତି। ଆଜି ସକାଳେ ଦୁଇଟି ଭାଲୁ ଜଙ୍ଗଲକୁ ଯାଇଥିବା ବେଳେ ତିନୋଟି ଭାଲୁ ପରିତ୍ୟକ୍ତ ଶ୍ରେଣୀଗୃହରେ ରହିଥିଲେ। ବିଦ୍ୟାଳୟ ଖୋଲିବାର କିଛି ସମୟ ପରେ ଏହି ଭାଲୁମାନେ ଆସି ହାଇସ୍କୁଲ ନିକଟରେ ଚଲାବୁଲା କଲେ। କାଳ ବିଳମ୍ବ ନକରି ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କୁ ପ୍ରଥମେ ଘରକୁ ଛଡ଼ାଯାଇଥିଲା। କିଛି ସମୟ ପରେ ଭାଲୁ ନିର୍ଭୟରେ ବିଦ୍ୟାଳୟ ପରିସରରେ ଚଲାବୁଲା କରିବାରୁ ମଧ୍ୟାହ୍ନ ଭୋଜନ ପରେ ଷଷ୍ଠରୁ ଅଷ୍ଟମ ପିଲାଙ୍କୁ ଘରକୁ ଛଡ଼ାଯାଇଥିଲା।
ଭାଲୁଙ୍କ ଚଳପ୍ରଚଳ ଭୟର ବାତାବରଣ ସୃଷ୍ଟି କରିବାରୁ ବାଧ୍ୟ ହୋଇ ବନ ବିଭାଗକୁ ଖବର ଦେଇଥିଲେ ପ୍ରଧାନଶିକ୍ଷକ। ବନାଞ୍ଚଳ ଅଧିକାରୀଙ୍କ ସମେତ ନବରଙ୍ଗପୁର, ତେନ୍ତୁଳିଖୁଣ୍ଟି, ପାପଡ଼ାହାଣ୍ଡି ସେକ୍ସନରୁ ୨୦ରୁ ଊର୍ଦ୍ଧ୍ବ କର୍ମଚାରୀ ପହଞ୍ଚି ଭାଲୁଙ୍କ ଗତିବିଧି ଉପରେ ନଜର ରଖିଥିଲେ। ସଂଧ୍ୟାରେ ବିଦ୍ୟାଳୟ ପରିସରରୁ ଭାଲୁଙ୍କୁ ତଡ଼ାଯାଇଛି। ଆଜି ରାତିରେ ବିଭାଗୀୟ କର୍ମଚାରୀ ପାଟ୍ରୋଲିଂ କରିବେ। ଯଦି ଆସନ୍ତାକାଲି ଭାଲୁ ଫେରିବେ ତେବେ ଯନ୍ତାରେ ପକାଇ ସୁରକ୍ଷିତ ସ୍ଥାନରେ ଛଡ଼ାଯିବ ବୋଲି ଏସିଏଫ୍ଓ ଧନୁର୍ଜୟ ମହାପାତ୍ର କହିଛନ୍ତି। ସେହିପରି ବିଦ୍ୟାଳୟ ପରିସର ସଫା କରିବାକୁ ପ୍ରଧାନଶିକ୍ଷକଙ୍କୁ କହିଥିବା ସେ ଜଣାଇଛନ୍ତି। ଅନ୍ୟପକ୍ଷରେ ବିଦ୍ୟାଳୟକୁ ନିୟମିତ ଭାଲୁ ଆସୁଛନ୍ତି। ତେଣୁ ଛାତ୍ରଛାତ୍ରୀ ଓ ଶିକ୍ଷକ ସବୁବେଳେ ଭୟରେ ରହୁଛନ୍ତି। ଭାଲୁ ବିଦ୍ୟାଳୟ ପରିବେଶକୁ ନଷ୍ଟ କରୁଥିବାରୁ ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ପ୍ରଧାନଶିକ୍ଷକ ଅନୁରୋଧ କରିଛନ୍ତି।