ଗାଁ ଭିତରେ ପଶିଲେ ୩ଟି ଭାଲୁ; ମନ୍ଦିରକୁ ଯାଉଥିବାର ଦୃଶ୍ୟ ମୋବାଇଲରେ କଏଦ

ନବରଂଗପୁର: ଗାଁ ମନ୍ଦିର ପରିସରରେ ଭାଲୁ। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ଗ୍ରାମରେ ଥିବା ହନୁମାନ ମନ୍ଦିର ଓ ଶିବ ମନ୍ଦିର ପରିସରରେ ମା’ ସହ ଦୁଇ ଛୁଆ ଭାଲୁ ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରତ୍ୟେକ ଦିନ ସନ୍ଧ୍ୟା ନଇଁବା ମାତ୍ରେ ମା ଭାଲୁ ନିଜର ଦୁଇ ଛୁଆକୁ ଧରି ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ଚାଲି ଆସୁଥିବା ଜଣାପଡିଛି । ଗତକାଲି ରାତିରେ ଏଭଳି ଖାଦ୍ୟ ଅନ୍ୱେଷଣ ପାଇଁ ପ୍ରଥମେ ଗାଁ ଉପକଣ୍ଠରେ ଥିବା ହନୁମାନ ଓ ଶିବ ମନ୍ଦିର ପରିସର ଭିତରକୁ ପ୍ରବେଶ କରୁଥିବାର ଦୃଶ୍ୟକୁ ଗ୍ରାମର କିଛି ଯୁବକ ନିଜ ମୋବାଇଲରେ କଏଦ କରିଥିଲେ । ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।

ଭିଡିଓରେ ଦେଖିବାକୁ ମିଳିଛି, ତିନୋଟି ଭାଲୁ ହନୁମାନ ମନ୍ଦିର ଭିତରକୁ ପଶିବାକୁ ଉଦ୍ୟମ କରୁଛନ୍ତି । ଗତକାଲି ମକର ସଂକ୍ରାନ୍ତି ଥିବାରୁ ମନ୍ଦିରରେ ଥିବା ପୂଜା ନଡ଼ିଆ ସହ ଅନ୍ୟ କିଛି ପ୍ରସାଦର ଫଳ ରହିଥିଲା, ଯାହାକୁ ଦେଖି ଭାଲୁ ମାନେ ତାକୁ ଆହାର ଭାବେ ଗ୍ରହଣ କରିବା ପାଇଁ ମନ୍ଦିରକୁ ପଶିବାକୁ ଉଦ୍ୟମ କରୁଥିବା ଅନୁମାନ କରାଯାଉଛି । ଗ୍ରାମବାସୀଙ୍କ କହିବା ଅନୁସାରେ ଭାଲୁ କାହାର କିଛି କ୍ଷତି ନ ପହଞ୍ଚାଇ ଏଭଳି ପ୍ରତ୍ୟେକ ଦିନ ଆସନ୍ତି ଓ ରାତି ସରିଲେ ନିକଟସ୍ଥ ଜଙ୍ଗଲକୁ ଚାଲିଯାଆନ୍ତି । ଏହା ଇନ୍ଦ୍ରାବତୀ ଠାରୁ ନବରଙ୍ଗପୁର ମୁଖ୍ୟାଳୟକୁ ସଂଯୋଗ କରୁଥିବା ମୁଖ୍ୟ ଯାତାୟାତର ମାର୍ଗ ହୋଇଥିବାରୁ ରାସ୍ତା ଦେଇ ରାତିରେ ଯାନବାହନ ଚଳାଚଳ କରିଥାଏ । କିନ୍ତୁ ଭାଲୁ ମାନେ କାହାର କିଛି ବି କ୍ଷତି ନ ଘଟାଇ ନିଜ ରାସ୍ତାରେ ଚାଲିଯାଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର