ନୂଆପଡ଼ା ଜିଲ୍ଲାରେ ଭାଲୁ-ମଣିଷ ଲଢେଇ: ୫ ବର୍ଷରେ ୩୬ ଭାଲୁ ଆକ୍ରମଣ

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ଲାଗି ରହିଛି ଭାଲୁ-ମଣିଷ ଲଢ଼େଇ। ଭାଲୁ ବସ୍ତିମୁହାଁ ହୋଇ ଧନଜୀବନ କ୍ଷତି କରିଚାଲିଛନ୍ତି। ଗତ ୫ ବର୍ଷ ହେଲା ଏହି ଲଢ଼େଇ ‌ବଢ଼ିଚାଲିଛି। ଏପରିକି ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ମଧ୍ୟ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ,ନୂଆପଡ଼ା ଜିଲ୍ଲାରେ ଗତ ୫ ବର୍ଷରେ ୩୬ ଜଣ ଲୋକ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ୨୦୧୬ ମସିହାରେ ଜିଲ୍ଲାରେ ୧୨ ଜଣ ଭାଲୁ ଆକ୍ରମଣର ଶିକାର ହୋଇଥିଲେ, ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିଭଳି ୨୦୧୭-୧୮ରେ ୯ ଜଣଙ୍କୁ ଭାଲୁ ଆକ୍ରମଣ କରିଥିଲା, ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ୨୦୧୮-୧୯ ମସିହାରେ ୯ ଜଣ ଆକ୍ରମଣର ଶିକାର ହୋଇଥିବାବେଳେ ୩ ଜଣଙ୍କ ମଧ୍ୟ ମୃତ୍ୟୁ ହୋଇଛି। ୨୦୧୯-୨୦ ରେ ୬ ଜଣ ଭାଲୁ ଆକ୍ରମଣର ଶିକାର ହୋଇଥିଲେ ମଧ୍ୟ କାହାରି ମୃତ୍ୟୁ ହୋଇନାହିଁ।

ଖଡ଼ିଆଳ ବ୍ଲକ୍‌ ପଦ୍ମପୁରୀର ଦେଓକୁମାରୀ ବାଇ, ନୂଆପଡ଼ା ବ୍ଲକ୍‌ ଝାଲାବାହାଲର ଭୋଳାନାଥ ରାଉତ, ରୋହିବାଇ ରାଉତ, ସିନାପାଲି ବ୍ଲକ୍‌ ଚହଁରା ଗ୍ରାମର ପ୍ରଦୀପ କଟା, ଶୁକଦେବ କଟା, ତିଲେଇ କଟା ଭାଲୁ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ଅନ୍ୟ ମୃତକଙ୍କ ସମ୍ପର୍କରେ ସବିଶେଷ ସୂଚନା ମିଳିନାହିଁ। ଜିଲ୍ଲାରେ ଦିନକୁ ଦିନ ଜଙ୍ଗଲ ଧ୍ବଂସ ହେଉଥିବାବେଳେ ଜଙ୍ଗଲରେ ବନ୍ୟଜନ୍ତୁଙ୍କ ପାଇଁ ଖାଦ୍ୟ ଅଭାବ ଦେଖାଦେଇଛି। ଅଗାମୀ ଦିନରେ ଏହି ସମସ୍ୟାର ସମାଧାନ ପାଇଁ ବନବିଭାଗ ବିହିତ ପଦକ୍ଷେପ ଗ୍ରହଣ ନକଲେ ଆହୁରି ଜନଜୀବନ କ୍ଷତି ହେବା ଆଶଙ୍କା କରାଯାଉଛି। ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଅଂଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର