ଫାଶରେ ପଡ଼ିଲା ୨ ବର୍ଷର ଭାଲୁଛୁଆ : ଟ୍ରାଙ୍କୁଲାଇଜର୍‌ ଟିମ୍ ଦ୍ୱାରା ଉଦ୍ଧାର

ନୀଳଗିରି : ବାର୍‌ହା ଶିକାର ପାଇଁ ବସାଯାଇଥିବା ଫାଶରେ ଭାଲୁଛୁଆ ଧରାପଡ଼ିବା ଘଟଣା ନୀଳଗିରି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଘଟଣା ଘଟିଛି ନୀଳଗିରି ବ୍ଲକ୍ ମହିଷାପଟା ପଞ୍ଚାୟତର କାଠଗୋଛି ଗ୍ରାମରେ। ଏହି ଗ୍ରାମରେ ବାର୍‌ହା ପାଇଁ ବସାଯାଇଥିବା ଫାଶରେ ୨ ବର୍ଷର ଭାଲୁଛୁଆଟି ଫସିଯାଇଥିଲା। ଖବର ପ୍ରଚାରିତ ହେବା ପରେ ଭାଲୁଛୁଆଟିକୁ ଦେଖିବା ପାଇଁ ବହୁ ଲୋକ ଜମା ହୋଇଥିଲେ। ଖବର ପାଇ ନୀଳଗିରି ବନବିଭାଗ ପହଞ୍ଚି ଭାଲୁଛୁଆଟିକୁ ମୁକୁଳାଇବା ପାଇଁ ଚେଷ୍ଟା କରିଥିଲା। ମାତ୍ର ବହୁ ଚେଷ୍ଟା ପରେ ବିଫଳ ହେବାରୁ ନୀଳଗିରି ରେଞ୍ଜର ସୁକୁମାର ଦାସ ବାଲେଶ୍ୱର ଡିଏଫ୍‌ଓଙ୍କୁ ଜଣାଇଥିଲେ। ଡିଏଫ୍‌ଓଙ୍କ ନେତୃତ୍ୱରେ ମୟୂରଭଞ୍ଜ ଶିମିଳିପାଳରୁ ଟ୍ରାଙ୍କୁଲାଇଜର ଟିମ୍‌ର ଡା. ପିୟୁଷ ସୋରେନ, ଡା. ଖନିଫ ଦିନ ପ୍ରାୟ ୧୨ଟା ବେଳେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଭାଲୁଛୁଆଟିକୁ ଟ୍ରାଙ୍କୁଲାଇଜ୍ କରିବା ପରେ ଫାଶରୁ ମୁକ୍ତ କରି ଜଙ୍ଗଲରେ ଛାଡ଼ିଦେଇଥିବା ଜଣାପଡ଼ିଛି। ଏଥିରେ ଫରେଷ୍ଟର ଦେବରାଜ ରାଉତ, ଦୁଷ୍ମନ୍ତ ଜେନା, ଗଣେଶ୍ୱର ପ୍ରସାଦ ଲେଙ୍କା ପ୍ରମୁଖ ସାମିଲ ଥିଲେ। ସୂଚନାଯୋଗ୍ୟ ଯେ, ଗତ ୩୦ ତାରିଖରେ ଜାମୁଡ଼ିହା ପଞ୍ଚାୟତର ନୂଆକୋଳିଆ ଗ୍ରାମର ବାର୍‌ହା ଫାଶରେ ଫସିଯାଇଥିଲା ବିରାଟ ଭାଲୁ। ପରେ ଟ୍ରାଙ୍କୁଲାଇଜର ଟିମ୍ ପହଞ୍ଚି ଭାଲୁକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଥିଲେ।

ସମ୍ବନ୍ଧିତ ଖବର