ଭବାନୀପାଟଣା : ଜଙ୍ଗଲୀ ଭାଲୁକୁ ନେଇ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଜାରି ରହିଛି। ବନ ବିଭାଗର ଅପରେସନ ଫେଲ୍ ହେବା ଯୋଗୁଁ ସହରବାସୀ ଆତଙ୍କିତ ଅଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅଭିଜ୍ଞତା ଅଭାବ ଯୋଗୁଁ ଲୋକଙ୍କ ମଧ୍ୟରେ ଛନକା ପଶିଛି। ଭାଲୁ ଆକ୍ରମଣରେ ଏ ପର୍ଯ୍ୟନ୍ତ ୭ ଜଣ ଆହତ ହେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।
ଶୁକ୍ରବାର ବିଳମ୍ବିତ ରାତିରେ ବନ କର୍ମଚାରୀଙ୍କୁ ଚକ୍ମା ଦେଖାଇ ଭାଲୁ ଚମ୍ପଟ ମାରିଛି। ଭବାନୀପାଟଣା ସହରଠାରୁ ୨ କିମି ଦୂର କୁସାଡୁଙ୍ଗରିଠାରେ ଲୋକେ ଭାଲୁକୁ ଦେଖି ଭୟଭୀତ ହୋଇଥିଲେ। ଏନେଇ ବନ ବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ଟ୍ରାଙ୍କୁଲାଇଜ କରିବା ପାଇଁ ଉଦ୍ୟମ କରୁଛନ୍ତି। କିନ୍ତୁ ଟ୍ରାଙ୍କୁଲାଇଜର ମଧ୍ୟ ଫେଲ୍ ମାରିଛି। ବନ ବିଭାଗ ପକ୍ଷରୁ ୪ଟି ମୋବାଇଲ ଗାଡ଼ି ସହିତ ୩୦ ଜଣ ବନ କର୍ମଚାରୀ ନିୟୋଜିତ ହୋଇ ପାଟ୍ରୋଲିଂ କରୁଛନ୍ତି। ଶୁକ୍ରବାର ବନ ବିଭାଗ ଫରେଷ୍ଟର ଯୋଗେନ୍ଦ୍ର ମାଝୀଙ୍କୁ ଭାଲୁ ଆକ୍ରମଣ କରି କ୍ଷତାକ୍ତ କରିଥିଲା।
/sambad/media/post_attachments/wp-content/uploads/2020/08/kalahandi-bear-2-300x160.jpg)
ଅନ୍ୟପକ୍ଷରେ ଭାଲୁକୁ ଦେଖି ବର୍ତ୍ତିବା ପାଇଁ ଧାଉଁଥିବା ବେଳେ କର୍ଲାପାଟ ରେଞ୍ଜ ଅଫିସର ଗଜେନ୍ଦ୍ର ମାଥୁର ପଡ଼ିଯାଇ ଆହତ ହୋଇଥିଲେ। ବନ ବିଭାଗ କହିବା ଅନୁଯାୟୀ ରାତି ସାଢ଼େ ୧୨ଟା ପରେ ଭାଲୁ ସହର ଛାଡ଼ି ବାହାରକୁ ଚାଲି ଯାଇଥିଲା। ଗୁଲିସ ପଣ୍ଡା ଭାଲୁ ଆକ୍ରମଣରେ ଆହତ ହୋଇ ଗୁରୁତର ହେବା ପରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ଅନ୍ୟ ଆହତ ଜଗଦୀଶ ପ୍ରସାଦ ଦାଶ, ମନୋହରଲାଲ ଅଗ୍ରୱାଲ, ସୌରଭ ବେହେରା, ଗଙ୍ଗାଧର ମାଝୀ, ଫରେଷ୍ଟର ଯୋଗେନ୍ଦ୍ର ମାଝୀ ଓ ଜଣେ ମହିଳା ଭବାନୀପାଟଣାଠାରେ ଚିକିତ୍ସାଧୀନ ଅଛନ୍ତି। ଏ ପର୍ଯ୍ୟନ୍ତ ୭ ଜଣ ଭାଲୁ ଆକ୍ରମଣରେ ଆହତ ହୋଇଛନ୍ତି। ଭବାନୀପାଟଣା ସହରରେ ଗତ ୨୪ ଘଣ୍ଟା ଧରି ଭାଲୁ ଉତ୍ପାତ ମଚାଇଥିଲା। ସହର ବଜାର ବନ୍ଦ ହୋଇଯାଇଥିବା ବେଳେ ବନ ବିଭାଗ, ପୁଲିସ, ଅଗ୍ନିଶମ ବିଭାଗ ନାକେଦମ ହୋଇଥିଲେ। ନିସ୍ତେଜକ ଇଂଜେକସନ ଦେଇ କାବୁ କରାଯାଉଥିବା ବନ ବିଭାଗ ବାରମ୍ବାର ଦାବି କରୁଥିଲେ ହେଁ ଶେଷରେ ସମସ୍ତଙ୍କୁ ଚକମା ଦେଇ ବିଳମ୍ବିତ ରାତିରେ ଫେରାର ମାରିଛି ଭାଲୁ। ଭାଲୁ ପିଛା କରୁଥିବା ବନ ବିଭାଗ ସ୍କ୍ବାଡ ଭାଲୁ ସହର ଛାଡ଼ି ଦେଇଥିବା ଦାବି କରୁଥିଲେ ବି ସହରରେ ଲାଗି ରହିଛି ଭାଲୁ ଗୁଜବ। ଲୋକେ ଶନିବାର ସକାଳୁ ପ୍ରାତଃ ଭ୍ରମଣକୁ ବାହାରି ନାହାନ୍ତି। ବନ ବିଭାଗର ଦାବିକୁ ନେଇ ବି ଆଶଙ୍କା ପ୍ରକାଶ କରୁଛନ୍ତି। ଭାଲୁ ସହର ଛାଡ଼ି ଦେଇଥିବା ଖବର କିଛିଟା ଆଶ୍ୱସ୍ତ କରିଛି। ହେଲେ ଶୁକ୍ରବାର ଦିନ ତମାମ ବନ ବିଭାଗ ହଟହଟା ଦେଖି ଅନେକ ଦାବି ଉପରେ ବିଶ୍ୱାସ କରି ପାରୁ ନାହାନ୍ତି। ଯାହାକୁ ନେଇ ସହରରେ ଭାଲୁ ଗୁଜବ ଜାରି ରହିଛି।
ଗୋଟିଏ ପଟେ କରୋନା ଆତଙ୍କ ପାଇଁ ଲୋକେ ଘରୁ ବାହାରିବାକୁ ଡରୁଥିବା ବେଳେ ବର୍ତ୍ତମାନ ଭବାନୀପାଟଣା ସହରରେ ଭାଲୁ ଆତଙ୍କ ସହରବାସୀଙ୍କୁ ନାକେଦମ କରିଛି। ଏନେଇ ଉତ୍ତର ବନଖଣ୍ଡ ଡିଏଫଓ ନୀତିଶ କୁମାରଙ୍କୁ ପଚାରିବାରୁ ଶୁକ୍ରବାର ରାତି ସାଢ଼େ ୧୨ଟା ପରେ ଭାଲୁ ସହର ଛାଡ଼ି ନିକଟସ୍ଥ କୁସାଡଙ୍ଗରି ଅଞ୍ଚଳରେ ଆସିଛି। ୩୦ ଜଣିଆ ଟିମ ପାଟ୍ରୋଲିଂ କରୁଛନ୍ତି। ବାରମ୍ବାର ଟ୍ରାଙ୍କୁଲାଇଜର ଦେବା ପରେ ମଧ୍ୟ ଭାଲୁ କାବୁ ନ ହେବା ଯୋଗୁଁ ଡୋଜ୍ ବଢ଼ାଯାଉଛି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/bear.jpg)