ଦ୍ୱିତୀୟ ଥର ପାଇଁ ଭବାନୀପାଟଣା ସହରରେ ଭାଲୁ ଆତଙ୍କ : ଭାଲୁ ଆକ୍ରମଣରେ ୪ ଆହତ, ୨ ଗୁରୁତର

ବନ୍ୟଜନ୍ତୁ କାବୁ କରିବାରେ ବନ ବିଭାଗ ବିଫଳ, ଅଭିଜ୍ଞତା ନ ଥିବା ନେଇ ସହରବାସୀଙ୍କ ମଧ୍ୟରେ ଉଦବେଗ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରକୁ ଆଜି ଦ୍ଵିତୀୟ ଥର ପାଇଁ ଏକ ଜଙ୍ଗଲୀ ଭାଲୁ ପଶିଆସି ଆକ୍ରମଣ କରିବା ଫଳରେ ୪ ଜଣ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗତକାଲି ବିଳମ୍ବିତ ରାତିରେ ଲୋକେ ଭାଲୁ ଦେଖି ଘଉଡାଇବାରୁ ଭାଲୁ ପୁରୁଣା ସିନେମା ହଲ ପଡାର ଜଣେ ଡାକ୍ତରଙ୍କ ଘର ଭିତରକୁ ପଶିଯାଇଥିଲା। ସକାଳେ ବନ ବିଭାଗ ଜାଲ, ଟ୍ରାଙ୍କୁଲାଇଜର ସହ ଅଗ୍ନିଶମ ବିଭାଗ ଦ୍ୱାରା ପାଣି ଓ ଗ୍ୟାସ ପ୍ରୟୋଗ କରି ଧରିବାକୁ ଉଦ୍ୟମ କରିଥିଲା ହେଲେ ଭାଲୁ ସମସ୍ତଙ୍କୁ ନାକେଦମ କରି ରଖିଥିଲା। ଏହି ସମୟରେ ଭବାନୀପାଟଣା ସହରର ଭବାନୀଶଙ୍କରପଡାର ମନୋହରଲାଲ ଅଗ୍ରୱାଲ (୬୫), ମହାବୀରପଡାର ସୌରଭ ବେହେରା(୨୫), ଡାଲଗୁମା ଗାଁର ଗଙ୍ଗାଧର ମାଝୀ(୧୪) ଓ ପ୍ରଦେଶୀପଡାର ଜଣେ ମହିଳା ଭାଲୁ ଆକ୍ରମଣରେ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି । ଅନ୍ୟ ପକ୍ଷରେ ନୂଆପଡାର ଜଗଦୀଶ ପ୍ରସାଦ ଦାଶ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି । ସେହିଭଳି ନକଟିଗୁଡା ପଡାର ଗୁଲିସ ପଣ୍ଡା ଗୁରୁତର ଆହତ ହେବା ପରେ ପ୍ରଥମେ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି ।

ଭାଲୁକୁ ଧରିବା ପାଇଁ ପୁଲିସ ଓ ବନ ବିଭାଗ ନାକେଦମ ହୋଇଥିଲେ। ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ଭାଲୁକୁ କାବୁ କରିନଥିବା ନେଇ ଉତ୍ତରବନ ଖଣ୍ଡ ଡିଏଫଓ ନୀତିନ କୁମାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଭାଲୁକୁ ଟ୍ରାଙ୍କୁଲାଇଜର ଦିଆଯାଇଛି, ଜାଗା ଠିକ ନ ଥିବା ଯୋଗୁଁ ଜାଲ ବିଛାଇ ଧରିବା ପାଇଁ ସହଜ ହେଉନାହିଁ । ତେଣୁ ବିଭାଗ ପକ୍ଷରୁ ପୁରା ଦମରେ ଭାଲୁକୁ କାବୁ କରିବା ପାଇଁ ଉଦ୍ୟମ ଜାରି ରହିଛି । ଆଜି ସକାଳେ ଭାଲୁ ଏଲଆଇସି ଅଫିସ ସମ୍ମୁଖରେ ଜଗଦୀଶ ପ୍ରସାଦ ଦଶଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲା । ଘଟଣା ସ୍ଥଳରେ କୁଟିଆ ନାମକ ଜଣେ ଯୁବକ ନିଜ ଜୀବନକୁ ବାଜି ଲଗାଇ ଜଗଦୀଶ ଦାଶଙ୍କୁ ଭାଲୁ ମୁହଁରୁ ଉଦ୍ଧାର କରିଥିଲେ । ଭବାନୀପାଟଣା ସହରରେ ସପ୍ତାହକ ମଧ୍ୟରେ ୨ଟି ଜଙ୍ଗଲୀ ଭାଲୁ ପଶି ସହରବାସୀଙ୍କ ମଧ୍ୟରେ ଆତଙ୍କ ଖେଳାଇବା ନେଇ ସାଧାରଣରେ ଉଦବେଗର ବିଷୟ ହୋଇଛି । ଅନ୍ୟ ପକ୍ଷରେ ବନ୍ୟଜନ୍ତୁ କାବୁ କରିବାରେ କଳାହାଣ୍ଡି ବନ ବିଭାଗର ବିଫଳ ହୋଇଛନ୍ତି । ବନ ବିଭାଗର ବନ୍ୟଜନ୍ତୁ ଧରିବାରେ ଅଭିଜ୍ଞତା ନ ଥିବା ନେଇ ସହରବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର