ସ୍କୁଲରେ ଶୋଇଥିଲା ଭାଲୁ: ନିଦରୁ ୫ ଘଣ୍ଟା ବିଳମ୍ବରେ ଉଠିଲା, କାବୁ କରିବା ପୂର୍ବରୁ ଡିଆଁ ମାରିଲା 

ନବରଙ୍ଗପୁର: ସବୁ ଦିନ ପରି ରାତିରେ ଆସି ଭାଲୁ ସ୍କୁଲରେ ଶୋଇଥିଲା। ଆଜି ଭାଲୁର ନିଦ ଭାଙ୍ଗିଲାନି। ଉଠିଲା ବେଳକୁ ୫ ଘଣ୍ଟା ବିଳମ୍ବ ହୋଇଯାଇଥିଲା। ଭାଲୁ ଅସୁସ୍ଥ ଥିବ ଭାବି ବନ ବିଭାଗ ଫାସ ପକାଇ କାବୁ କରିବା ସମୟରେ ଭାଲୁର ନିଦ ଭାଙ୍ଗିଯାଇଥିଲା। ଭାଲୁ ଘଟଣା ସ୍ଥଳରୁ ଡିଆଁ ମାରିଥିଲା। ଏପରି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ସଦାଶିବ ହାଇସ୍କୁଲ ପରିସରରେ ।

ଆଜି ସକାଳୁ ଭାଲୁଟି ନିଘୋଡ ନିଦରେ ଶୋଇଯାଇଥିଲା। ଗତ ମାର୍ଚ୍ଚ ମାସ ଠାରୁ ସ୍କୁଲ ବନ୍ଦ ଥିବା ବେଳେ ରାତ୍ରୀ ଜଗୁଆଳି ସବୁ ଦିନ ପରି ସ୍କୁଲକୁ ରାତିରେ ଶୋଇବା ପାଇଁ ଯାଆନ୍ତି । ଆଜି ରାତ୍ରୀ ଜଗୁଆଳି ସକାଳୁ ପ୍ରାୟ ସାଢ଼େ ୭ଟା ବେଳକୁ ଭାଲୁ ଥିବା ସ୍ଥାନକୁ ଦେଖିବା ବେଳକୁ ଭାଲୁଟି ଯେଉଁ ସ୍ଥାନରେ ଶୋଇବା କଥା ସେହି ସ୍ଥାନରେ ହିଁ ଶୋହି ରହିଛି। ଭାଲୁ ସ୍କୁଲ ପରିସରରେ ରହିଥିବାର ଦେଖି ଗ୍ରାମବାସୀ ଓ ପ୍ରଧାନଶିକ୍ଷକଙ୍କୁ ଖବର ଦେଇଥିଲେ। ଗ୍ରାମବାସୀ ଓ ପ୍ରଧାନ ଶିକ୍ଷକ ଭାଲୁକୁ ଦେଖିବା ପାଇଁ ସ୍କୁଲ ନିକଟରେ ଜମା ହୋଇଥିଲେ। ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ବି କିଛି ସମୟ ମଧ୍ୟରେ ସ୍କୁଲ ନିକଟରେ ପହଞ୍ଚିଯାଇଥିଲେ।

ଭାଲୁ ଟି ନିଘୋଡ ନିଦରେ ଶୋଇଥିବାରୁ ଭାଲୁଟି ଅସୁସ୍ଥ ଥାଇପାରେ ବୋଲି ଭାବି ଟ୍ରାଙ୍କୁଲାଇଜ କରିନଥିଲେ। ଶେଷରେ ଜନ୍ତା ଆଣି ଦଉଡି ଫାସ ପକାଇ କାବୁ କରିବା ପାଇଁ ଉଦ୍ୟମ କରିବା ବେଳକୁ ଆଜି ଦିନ ପ୍ରାୟ ସାଢ଼େ ୧୦ ଟା ବେଳେ ଭାଲୁଟିର ନିଦ ଭାଙ୍ଗିଯାଇଥିଲା। ଏବେ ଭାଲୁଟି ଯେଉଁ ସ୍ଥାନରେ ପାଚେରୀ ଡେଇଁ ଆସେ ସେହି ସ୍ଥାନ ଦେଇ ଡେଇଁ ପଳାଇଥିଲା। ଭାଲୁଟି ନିକଟସ୍ଥ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲା। ବନ ବିଭାଗ ଭାଲୁଟିକୁ କାବୁ କିରିବା ପାଇଁ ଜଗି ରହିଥିଲେ ମଧ୍ୟ ଭାଲୁଟିକୁ କାବୁ କରିପାରି ନାହାନ୍ତି।

ପ୍ରକାଶ ଥାଉକି ଦହଣା ଗାଁ ଠାରୁ ପ୍ରା।ୟ ୫ଶହ ମିଟର ଦୂରରେ ରହିଛି ଉଚ୍ଚ ବିଦ୍ୟାଳୟ। ପ୍ରାୟ ୫ଏକର ଜମିରେ ରହିଛି ହାଇସ୍କୁଲ। ସମସ୍ତ ସୀମାରେ ପାଚେରୀ ନିର୍ମାଣ ହୋଇସାରିଛି। ବହୁ ବର୍ଷ ହେବ ହାଇସ୍କୁଲ ପରିସରକୁ ଗୋଟିଏ କିମ୍ବା ୨ଟି ଭାଲୁ ପାଚେରୀ ଡେଇଁ ରାତିରେ ଆସି ଶୋଇଥାନ୍ତି । ସକାଳୁ ପୁଣି ଭୋରୁ ଉଠି ପାଚେରୀ ଡେଇଁ ଚାଲିଯାଇଥାନ୍ତି । ଗ୍ରାମର କିଛି ଲୋକେ ରାତିରେ ଭାଲୁ ଆସୁଥିବାର ଦେଖିଛନ୍ତି । ସକାଳୁ ପ୍ରାତଃ ଭ୍ରମଣ ସମୟରେ ବି ଭାଲୁଟି ସ୍କୁଲ ପାଚେରୀ ଡେଇଁ ଜଙ୍ଗଲକୁ ଫେରୁଥିବାର ବି ଗ୍ରାମବାସୀ ଦେଖିଥିବାର କହିଛନ୍ତି। ତେବେ କାହାର କିଛି କ୍ଷତି କରେ ନାହିଁ।

ତେବେ ଦହଣା ଗ୍ରାମରେ ଭାଲୁ ପଶିବା କିଛି ନୁଆ କଥା ନୁହେଁ। ଅବାଧ ଜଙ୍ଗଲ କଟା ଏବଂ ଭାଲୁକୁ ଜଙ୍ଗଲ ମଧ୍ୟରେ ଖାଦ୍ୟ ମିଳୁନଥିବାରୁ ଖାଦ୍ୟ ଅନ୍ବେଷଣରେ ଭାଲୁ ଜନବସିତି ମୁହାଁ ହେଉଛି। ଦହଣା ଗ୍ରାମରେ ପ୍ରାୟ ପ୍ରତି ଦିନ ରାତି ହେଲେ ଗାଁ ମଧ୍ୟକୁ ଭାଲୁ ପଶୁଥିବାର ନଜିର ରହିଛି। ଗତ ୫ ମାସ ପୂର୍ବେ ଦହଣା ଗାଁର ଅବସର ପ୍ରାପ୍ତ ମୁଖ୍ୟଯନ୍ତ୍ରୀ କିଶୋର ମିଶ୍ରଙ୍କ ବାଡ଼ିରେ ଖାଦ୍ୟ ଅନ୍ୱେଷଣରେ ଆସିଥିବା ଦୁଇଟି ଭାଲୁ ଲଢେଇ କରୁଥିବାର ଭିଡିଓ ସାମ୍ନାକୁ ଆସିଥିଲା । ସକାଳୁ ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ ଆସି ଗୋଟିଏ ଭାଲୁକୁ କାବୁ କରିବାରେ ସକ୍ଷମ ହୋଇଥିଲା।

ସମ୍ବନ୍ଧିତ ଖବର