ଅଜଣା ଗାଡ଼ି ଧକ୍କାରେ ମାଈଭାଲୁ ମୃତ

କେନ୍ଦୁଝର : କେନ୍ଦୁଝର ସଦର ରେଞ୍ଜ ଟାଉନ ସେକ୍ସନ ଖୁଣ୍ଟାପଡ଼ା ନିକଟରେ ରବିବାର ଭୋରରେ ଅଜଣା ଗାଡ଼ି ଧକ୍କାରେ ଏକ ମାଈଭାଲୁର ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇବା ପରେ ଗାଡ଼ିଟି ଫେରାର ହୋଇଯାଇଛି। ରାସ୍ତାରେ ଭାଲୁଟି ଗୁରୁତର ଅବସ୍ଥାରେ ପଡ଼ି ଛଟପଟ ହେଉଥିବା ଲୋକେ ଦେଖିବାକୁ ପାଇଥିଲେ। ଖବରପାଇ ବନ ବିଭାଗ କର୍ମଚାରୀ ପହଞ୍ଚିଲାବେଳକୁ ଭାଲୁଟିର ପ୍ରାଣବାୟୁ ଉଡ଼ି ଯାଇଥିଲା। ବନ କର୍ମଚାରୀ ଭାଲୁର ମୃତଦେହ ଜବତ କରି ସଦର ରେଞ୍ଜ କାର୍ଯ୍ୟାଳୟକୁ ଆଣିଥିଲେ। ସେଠାରେ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟର ଡେପୁଟି ଡାଇରେକ୍ଟର ଡାକ୍ତର କୈଳାସ ଚନ୍ଦ୍ର ମଲ୍ଲିକ, ୱାଇଲ୍ଡ ଲାଇଫ୍‌ ଟ୍ରଷ୍ଟ ଅଫ୍‌ ଇଣ୍ଡିଆ ଡାକ୍ତର ବନ୍ଦିତା ମିଶ୍ର ଭାଲୁର ମୃତଦେହ ବ୍ୟବଚ୍ଛେଦ କରିବା ପରେ ପୋତି ଦିଆଯାଇଥିଲା।

ମୃତ ଭାଲୁର ବୟସ ୧୫ରୁ ୨୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଏହାର ଓଜନ ୧୨୦ କିଲୋ ବୋଲି ଟାଉନ ଫରେଷ୍ଟର କାଳନ୍ଦୀ ସାମଲ ସୂଚନା ଦେଇଛନ୍ତି। ଭାଲୁଟି ଭୋରରେ ମଇଦାନକେଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ରାସ୍ତା ଅତିକ୍ରମ କରୁଥିବାବେଳେ କୌଣସି ଅଜଣା ଗାଡ଼ି ଧକ୍କା ଦେବାରୁ ତା’ର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ବନ୍ୟଜନ୍ତୁ ଜନବସତି ମୁହାଁ ହେଉଛନ୍ତି। ବିଭିନ୍ନ ସମୟରେ ରାସ୍ତା ପାର ହେବା ସମୟରେ ଭାଲୁ, ବାର୍‌ହା, ବିଲୁଆ ଓ ହରିଣଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିବା ଚିନ୍ତାର ବିଷୟ ପାଲଟିଛି। ମାସେ ମଧ୍ୟରେ ଦୁର୍ଘଟଣାରେ ୩ଟି ଭାଲୁ ଓ ଗୋଟିଏ ବାର୍‌ହା‌ ପ୍ରାଣ ହରାଇଛନ୍ତି। ରାସ୍ତା ଅତିକ୍ରମ କରିବାବେଳେ ଗାଡ଼ି ଲାଇଟ୍‌କୁ ଚାହିଁ ନପାରି ରାସ୍ତା ଉପରେ ଅଟକି ଯାଉଥିବାରୁ ବନ୍ୟଜନ୍ତୁ ଦୁର୍ଘଟଣାର ଶିକାର ହେଉଛନ୍ତି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର