ଭାଲୁ ମାରି ମାଂସ ବିକ୍ରି: ୩ ଗିରଫ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଭୂୟାଁ ଜୁଆଙ୍ଗ ପିଢ଼ (ବିଜେପି) ରେଞ୍ଜ ଅନ୍ତର୍ଗତ ଶୁଆକାଟି ସେକ୍ସନ ଅଞ୍ଜର ବିଟ୍‌ ଅଧୀନରେ ଥିବା ଚମ୍ପେଇ ଡିପିଏଫ୍‌ର ପାଚେରିଘାଟ ନାଳ ନିକଟରେ ଏକ ଅଣ୍ଡିରା ଭାଲୁକୁ ମାରି ମାଂସ ବିକ୍ରି କରୁଥିବାବେଳେ ବନ ବିଭାଗ ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗତକାଲି ଚମ୍ପେଇ ପଞ୍ଚାୟତ ଅନ୍ତର୍ଗତ ସଣ୍ଡା ବାଲିଡ଼ିଆ ଗ୍ରାମର ପଞ୍ଚୁ ସାଆନ୍ତ ଚମ୍ପେଇ ଡିପିଏଫ୍‌ରୁ ଏକ ଅଣ୍ଡିରା ଭାଲୁକୁ ଶିକାର କରିଥିଲେ। ପରେ ଭାଲୁଟିକୁ ଟାଙ୍ଗିଆରେ ହାଣି ସିଦ୍ଧମଠ ଜଙ୍ଗଲରେ ଗାଁର କେତେକ ଲୋକଙ୍କ ସହ ମିଶି ମାଂସ ବିକ୍ରି କରୁଥିଲେ।

ବନ ବିଭାଗ ଖବର ପାଇ ସେଠାରେ ଚଢ଼ଉ କରି ୩ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ପଞ୍ଚୁ ସାଆନ୍ତ(୩୭), ଶିରୀଷଖୁଣ୍ଟା ଗ୍ରାମର ରମେଶ ସାଆନ୍ତ (୩୦) ଏବଂ ବାଲିଆ ସାଆନ୍ତ (୩୦)। ଏହି ଚଢ଼ଉରେ ରେଞ୍ଜର ମାନସ କୁମାର ମୁର୍ମୁ, ଫରେଷ୍ଟର ଶରତ କୁମାର ପଟ୍ଟନାୟକ ଏବଂ ବନ ବିଭାଗ ସ୍କ୍ୱାଡ୍‌ ସାମିଲ ଥିଲେ।

ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମୃତ ଅଣ୍ଡିରା ଭାଲୁର ବୟସ ୭ରୁ ୮ ବର୍ଷ ହେବ। ବିଜେପି ରେଞ୍ଜ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଆଜି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ସେମାନଙ୍କଠାରୁ ଦୁଇଟି ଟାଙ୍ଗିଆ, ଦୁଇଟି ଛୁରି, ରକ୍ତଭିଜା ମାଟି,  ୮ କେଜି ଭାଲୁ ମାଂସ ଜବତ କରାଯାଇଛି। ଏହି ମାମଲାର ଅଧିକ ତଦନ୍ତ କରୁଛନ୍ତି ଏସିଏଫ୍ ଘନଶ୍ୟାମ ମହାନ୍ତ।

ସମ୍ବନ୍ଧିତ ଖବର