ଶିଶୁ ଯତ୍ନ ଅନୁଷ୍ଠାନରେ ନାବାଳକଙ୍କୁ ମାଡ଼

ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି, କର୍ମଚାରୀ ନିଲମ୍ବିତ, ଥାନାରେ ମାମଲା

ଶିଶୁ ଯତ୍ନ ଅନୁଷ୍ଠାନରେ ନାବାଳକଙ୍କୁ ମାଡ଼

LiveLaw

ପୁରୀ: କଣାସ ବ୍ଲକ୍‌ ନୀଳାଚଳ ସେବା ପ୍ରତିଷ୍ଠାନ ଶିଶୁ ଯତ୍ନ ଅନୁଷ୍ଠାନରେ ପୁଣି ଥରେ ଅନ୍ତେବାସୀଙ୍କୁ ନିର୍ଯାତନ ଘଟଣା ନଜରକୁ ଆସିଛି। କର୍ମଚାରୀଙ୍କ ନିସ୍ତୁକ ମାଡ଼ରେ ଜଣେ ୧୨ ବର୍ଷର ନାବାଳକ ଅନ୍ତେବାସୀ ଗୁରୁତର ହୋଇଛନ୍ତି। କର୍ମଚାରୀଙ୍କ ମାଡ଼ରେ ମୁଣ୍ଡ ଫାଟି ରକ୍ତସ୍ରାବ ହେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ନୀଳାଚଳ ସେବା ପ୍ରତିଷ୍ଠାନର କର୍ମଚାରୀ ଅଭିମନ୍ୟୁ ସୁନ୍ଦରାୟଙ୍କୁ ନିଲମ୍ବିତ କରାଯାଇଛି। ଜିଲ୍ଲା ଶିଶୁ ମଙ୍ଗଳ କମିଟିର ନିର୍ଦ୍ଦେଶକ୍ରମେ ଅନୁଷ୍ଠାନର ସଂପାଦକ ଅଭିମନ୍ୟୁଙ୍କ ବି‌ରୋଧରେ କଣାସ ଥାନାରେ ଏତଲା ଦେଇଛନ୍ତି। ପୁଲିସ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ କରୁଛି।

ନୀଳାଚଳ ସେବା ପ୍ରତିଷ୍ଠାନରେ ଶିଶୁ ଯତ୍ନ ଅନୁଷ୍ଠାନ କାମ କରୁଛି। ଏଠାରେ ବାପା-ମା’ ଛେଉଣ୍ଡ, ନିରାଶ୍ରିତ ଝିଅ-ପୁଅମାନେ ରହିଥାନ୍ତି। ଏମାନଙ୍କ ରହିବା, ଖାଇବା ଆଦି ବ୍ୟବସ୍ଥା ପାଇଁ ସରକାର ଆବଶ୍ୟକ ଅନୁଦାନ ଯୋଗାଇ ଦେଉଛନ୍ତି। କିନ୍ତୁ ବାରମ୍ବାର ଏଠାରେ ଅନେକ ଅଘଟଣ ସାମ୍ନାକୁ ଆସୁଛି। ନିକଟରେ ଏଠାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନରୁ ଦୁଇଜଣ ନାବାଳକ ନିଖୋଜ ହୋଇଯାଇଥିଲେ। ଯେଉଁଥିରୁ ଜଣକ ମୃତଦେହ ପାଖ ନଦୀରୁ ଉଦ୍ଧାର କରାଯାଇଥିଲା। ଏଭଳି ଅନେକ ସମ୍ବେଦନଶୀଳ ଘଟଣାକୁ ନେଇ ବିବାଦୀୟ ହୋଇ ପଡ଼ିଥିବା ଏହି ଅନୁଷ୍ଠାନରେ ପୁଣିଥରେ ଜଣେ ନାବାଳକକୁ ନିର୍ଯାତନା ଘଟଣା ଏବେ ନଜରକୁ ଆସିଛି।

ଅନୁଷ୍ଠାନର ସମ୍ପାଦକ ଏସ୍‌ ସି ଗଜେନ୍ଦ୍ର କଣାସ ଥାନାରେ କରିଥିବ ଅଭିଯୋଗ ମୁତାବକ, ଗତ ୫ ତାରିଖରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ନୀଳାଚଳ ସେବା ପ୍ରତିଷ୍ଠାନ ପରିଦର୍ଶନରେ ଆସିଥିଲେ। ଏହି ସମୟରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ୧୨ ବର୍ଷର ନାବାଳକ ଅନ୍ତେବାସୀଙ୍କୁ ଅନୁଷ୍ଠାନର କର୍ମଚାରୀ ଅଭିମନ୍ୟୁ ମାଡ଼ ମାରିଥିବା କଥା ନଜରକୁ ଆସିଥିଲା। ଏଣୁ ଘଟଣାର ତଦନ୍ତ ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ସଂପାଦକ ଶ୍ରୀ ଗଜେନ୍ଦ୍ର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏହି ଅଭିଯୋଗ ଆଧାରରେ ୫୭/୨୦୨୩ରେ ଏକ ମାମଲା ରୁଜୁ କରିଛି। ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ କହିଛନ୍ତି, ଏ ସମ୍ପର୍କିତ ଅଭିଯୋଗ ପହଞ୍ଚିବା ପରେ ତୁରନ୍ତ ସମ୍ପୃକ୍ତ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ବାକି କଣାସ ଥାନାରେ ଅଭି ଯୋଗ ହୋଇଛି। ପୁଲିସ ଏ ଦିଗରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe