କେନ୍ଦୁଝର: ସାମାନ୍ୟ ମାର୍ପିଟ୍କୁ କେନ୍ଦ୍ରକରି କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ହୁଣ୍ଡୁଳା ଗ୍ରାମରେ ଜଣେ ଯୁବକଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୃତ ଜଣଙ୍କ ହେଲେ ସେହି ଗ୍ରାମର ପ୍ରଣବ ମହାନ୍ତ (୨୫)। ଅଭିଯୁକ୍ତମାନେ ସଂଘବଦ୍ଧ ଭାବେ ପ୍ରଣବଙ୍କ ଘରେ ପଶି ଲଙ୍କାଧୂଆଁ ଦେବା ସହ ପେଟ୍ରୋଲ ଢାଲି ନିଆଁ ଲଗାଇ ଦେଇଥିଲେ। ସେ ଜୀବନ ବଞ୍ଚାଇବା ପାଇଁ ଘରୁ ବାହାରି ଆସିବାରୁ ବାହାରେ ଜଗିଥିବା ଲୋକେ ତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲେ। ଏହି ଘଟଣାରେ ପୁଲିସ ଦୁଇଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।
ପ୍ରାପ୍ତ ସୂଚନା ଅନୁସାରେ, ହୁଣ୍ଡୁଳାଛକରେ ଦୋକାନ କରିଥିବା ଭୁବନ ଦାସଙ୍କ ପରିବାର ସହ ପ୍ରଣବଙ୍କ ପୂର୍ବରୁ ଝଗଡ଼ା ହୋଇଥିଲା। ଗତକାଲି ପ୍ରଣବ ମଦ ପିଇ ଭୁବନଙ୍କ ସାନପୁଅକୁ ମାଡ଼ ମାରିଥିଲେ। ଭୁବନଙ୍କ ପରିବାର ଲୋକେ ଏନେଇ କେନ୍ଦୁଝର ସଦର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାସ୍ଥଳକୁ ଆସି ବୁଝାସୁଝା କରି ପଳାଇ ଯାଇଥିଲା। ପୁଲିସ ପ୍ରଣବଙ୍କୁ ଥାନାକୁ ନ ନେବାରୁ ଭୁବନଙ୍କ ପରିବାର ସଦସ୍ୟଙ୍କ ଆକ୍ରୋଶ ବଢ଼ିଥିଲା। ବିଳମ୍ବିତ ରାତିରେ ଭୁବନଙ୍କ ପରିବାର ଲୋକେ ହୁଣ୍ଡୁଳା ଗ୍ରାମର କିଛି ଯୁବକଙ୍କ ସହ ମିଶି ପ୍ରଣବ ଶୋଇଥିବା ଘରେ ପଶିଥିଲେ। ପ୍ରଥମେ ଲଙ୍କାଧୂଆଁ ଦେବା ସହ ପେଟ୍ରୋଲ ଢାଳି ଘରେ ନିଆଁ ଲଗାଇ ଦେଇଥିଲେ। ପ୍ରଣବ ଜୀବନ ବଞ୍ଚାଇବାକୁ ଘର ବାହାରକୁ ଦୌଡ଼ି ଆସିଥିଲେ। ବାହାରେ ଜଗିଥିବା ଦୁର୍ବୃତ୍ତମାନେ ତାଙ୍କୁ ବାଡ଼ିରେ ନିସ୍ତୁକ ପିଟିବା ସହ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲେ।
ଏନେଇ ଆଜି ମୃତକଙ୍କ ଭଉଣୀ ସୁରେଲି ମହାନ୍ତ ଗ୍ରାମର ଭୁବନ ଦାସ, ଶକ୍ତି ଦାସ, ପିଙ୍କୁ ଦାସ ଏବଂ ଅନ୍ୟ ଯୁବକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ଖବର ପାଇ ପୁଲିସ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ସନ୍ଦେହରେ ପୁଲିସ ଭୁବନ ଏବଂ ତାଙ୍କ ପୁଅ ଶକ୍ତିକୁ ଅଟକ ରଖି ପଚରାଉଚରା କରୁଛି। ଏ ସମ୍ପର୍କରେ ଥାନା ଅଧିକାରୀ ସଲିଳ କର କହିଛନ୍ତି, ମୃତକଙ୍କ ସହ ପୂର୍ବରୁ ଦାସ ପରିବାରର ଶତ୍ରୁତା ଥିଲା। ଗତକାଲି ମଧ୍ୟ ଗଣ୍ଡଗୋଳ ହୋଇଥିଲା। ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଛି। ଖୁବଶୀଘ୍ର ଅଭିଯୁକ୍ତମାନେ ଗିରଫ ହେବେ ବୋଲି ସେ କହିଛନ୍ତି।