କେନ୍ଦ୍ରାପଡ଼ା/ନିକିରାଇ: କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରାଙ୍କ ଉପରକୁ ଆଜି ପୁଣିଥରେ ଅଣ୍ଡାମାଡ଼ ହୋଇଛି। ସୌଭାଗ୍ୟବଶତଃ ଅଣ୍ଡା ତାଙ୍କ ଦେହରେ ନ ବାଜି ମଂଚ ତଳେ ପଡ଼ିଛି। ଏଭଳି ଘଟଣା କେନ୍ଦ୍ରାପଡ଼ା ବ୍ଲକ୍ ଇନ୍ଦୁପୁର ବଜାର ପଲ୍ଲୀମଂଗଳ ପଡ଼ିଆରେ ଆୟୋଜିତ ମହାତ୍ମା ଗାନ୍ଧୀ ପଦଯାତ୍ରା ସ୍ମାରକୀ ପ୍ରତିମୂର୍ତ୍ତି ଉନ୍ମୋଚନ ସଭାରେ ଦେଖିବାକୁ ମିଳିଛି।

Advertisment

ସୂଚନାନୁସାରେ, ମହାତ୍ମା ଗାନ୍ଧୀ ୧୯୩୪ ମେ ୩୦ତାରିଖରେ ହରିଜନ ପଦଯାତ୍ରାରେ ଇନ୍ଦୁପୁର ଆସିଥିଲେ। ଆଜି ସେହି ଐତିହାସିକ ପଦଯାତ୍ରାର ୮୯ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ପଲ୍ଲୀମଂଗଳ ପଡ଼ିଆରେ ଗାନ୍ଧୀଜୀଙ୍କର ଏକ ପୂର୍ଣ୍ଣାବୟବ ମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଇନ୍ଦପୁର ପଂଚାୟତ ଏବଂ ପୂଜ୍ୟପୂଜା ସଂସଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟକ ରୂପେ ବିଧାୟକ ଶ୍ରୀ ବେହେରା ଯୋଗଦେଇଥିଲେ। କାର୍ଯ୍ୟକ୍ରମର ଶେଷବକ୍ତା ଭାବେ ବିଧାୟକ ଭାଷଣ ଦେଉଥିଲା ବେଳେ ତାଙ୍କୁ ଲକ୍ଷ୍ୟକରି ମଞ୍ଚର ଡାହାଣ ପାର୍ଶ୍ବରୁ ତିନିଟି ଅଣ୍ଡାମାଡ଼ ହେଇଥିଲା। ଅଣ୍ଡା ତାଙ୍କ ଦେହରେ ନ ବାଜି ମଂଚ ତଳେ ପଡ଼ିଯାଇଥିଲା। ତେବେ, ସଭା ସାରି ବିଧାୟକ ଗାଡ଼ିରେ କେନ୍ଦ୍ରାପଡ଼ା ଫେରୁଥିବା ବେଳେ ନିକିରାଇରେ ତାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ଉଦ୍ୟମ ହେଇଥିବା ସୂଚନା ମିଳିଛି। ବ୍ୟାପକ ପୁଲିସ ସୁରକ୍ଷା ସତ୍ତ୍ବେ ଏଭଳି ଅଣ୍ଡାମାଡ଼ ହେଇଥିଲା। ସବୁଠୁ ରୋଚକ କଥା ହେଉଛି, ଏହି ଉତ୍ସବରେ ପୁଲିସ ବାବୁମାନେ ମଧ୍ୟ ସମ୍ବର୍ଧିତ ହେଇଛନ୍ତି।

ଅନ୍ୟପକ୍ଷରେ, ନିଜ ଅଂଚଳରେ କାର୍ଯ୍ୟକ୍ରମ ହେଇ ସୁଦ୍ଧା ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ଲିଲିତା ଦାସଙ୍କୁ ନିମନ୍ତ୍ରଣ କରାନଯିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ମୁଖ୍ୟ ଅତିଥି ଥିବା ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ, ସମ୍ମାନିତ ଅତିଥି କେନ୍ଦ୍ରାପଡ଼ା ପଂଚାୟତ ସମିତି ଅଧ୍ୟକ୍ଷା ରଶ୍ମିତା ସେଠୀ, ବିଡିଓ ବନ୍ଦନା ଖଟୁଆ କାର୍ଯ୍ୟକ୍ରମରୁ ଦୂରେଇ ରହିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।