ଭୁବନେଶ୍ବର: ଗତ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପ୍ରସଙ୍ଗକୁ ଦଳୀୟ ନେତା ସହଜରେ ଗ୍ରହଣ କରିପାରୁନାହାନ୍ତି। ଦଳ ଭିତରେ କୁହୁଳୁଥିବା ଅସନ୍ତୋଷକୁ ନେଇ ଜଣକ ପରେ ଜଣେ ନେତା ଏବେ ମୁହଁ ଖୋଲିବା ଆରମ୍ଭ କଲେଣି। କିଛି ଦିନ ତଳେ କଟକ-ଚୌଦ୍ବାରର ପୂର୍ବତନ ବିଧାୟକ ବିଜେଡିର ପରାଜୟ ପାଇଁ ପ୍ରଣବ ପ୍ରକାଶ ଦାସ (ବବି) ଓ ଭି.କେ ପାଣ୍ଡିଆନଙ୍କୁ ଦାୟୀ କରିଥିବା ବେଳେ ଆଜି ପାରାଦୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ଗଣମାଧ୍ୟମରେ ବିସ୍ଫୋରକ ବୟାନ ଦେଇଛନ୍ତି। ସମ୍ବିତ କହିଛନ୍ତି ଯେ ଗତ ନିର୍ବାଚନରେ ନବୀନ ପଟ୍ଟନାୟକ ହାରି ନାହାନ୍ତି, ତାଙ୍କୁ ସୁଚିନ୍ତିତ ଭାବେ ହରାଇ ଦିଆଯାଇଛି।

Advertisment

ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକ ସରକାର ନିଜର ଗନ୍ତାଘର ଖୋଲିଦେଇଥିଲେ। ପ୍ରତ୍ୟେକ ପଞ୍ଚାୟତକୁ ୫୦ଲକ୍ଷ ଲେଖାଏ ଦିଆଯାଇଛି। କାମ କରିବା ପାଇଁ ଏମାନଙ୍କ ପାଖେ ସ୍କୋପ୍ ନାହିଁ। ବିଗତ ଦୁଇ ବର୍ଷ ଭିତରେ ରାସ୍ତାଘାଟ, ମଠ, ମନ୍ଦିର କ’ଣ ନହୋଇଛି। ତା’ପରେ ବି ଲୋକମାନେ ଆମକୁ ହତାଦାର କରିଦେଲେ। ଗଣତନ୍ତ୍ରରେ ସର୍ବସାଧାରଣ ସବୁଠୁ ଉପରେ। ନିଶ୍ଚିତ ଭାବେ ଆମେ ସବୁ କଲା ପରେ ବି ଆମର କିଛି ଭୁଲ୍ ରହିଥିବ। ସେ ଭୁଲ୍ ଭିତରେ ଗଣମାଧ୍ୟମରେ ବିଜେଡି ପରାଜୟ ନେଇ ଯେଉଁ କଥା ଉଠୁଛି ତାହା ଥାଇପାରେ। ତା’ବାବଦରେ ଚିନ୍ତା କରି ଲାଭ ନାହିଁ। ଆମର ଆଲୋଚନା ଚାଲିଛି, ହାରିବାର କାରଣ ଖୋଜା ଚାଲିଛି।

ଏହାସହ ସେ କହିଛନ୍ତି ଯେ ଢୋଲ ଭିତରେ ମୂଷା ରହିଲେ। ମୂଷା କିଏ ଆପଣ ଜାଣିଥିବେ। ଆଜି ନ ହେଲେ କାଲି ସେ ମୂଷା କଢ଼ା ହେବେ। ବରିଷ୍ଠ ନେତାମାନେ ଆଲୋଚନା କରୁଛନ୍ତି। ମୂଷା ରହିଲେ ଆପଣଙ୍କ ଧନ, ସମ୍ପତ୍ତି ଲୁଟ୍‌ ହେବାର ଆଶଙ୍କା ରହିଛି। ସମ୍ବିତ ଢୋଲ ଭିତରେ ମୂଷା ଉପାଖ୍ୟାନ ଉଠାଇ ପରୋକ୍ଷରେ କହିଛନ୍ତି ଯେ ଦଳ ଭିତର ଲୋକ ହିଁ ଷଡ଼୍‌ଯନ୍ତ୍ର କରି ନବୀନଙ୍କୁ ହରାଇଛନ୍ତି। ହାରିବା ପଛରେ କିଏ ଦାୟୀ ସେମାନଙ୍କୁ ଖୋଜି କଢ଼ାଯିବ। ପାଣ୍ଡିଆନଙ୍କ ଯୋଗୁ ବିଜେଡିର ପରାଜୟ ହେଲା କି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଏନେଇ କିଛି ମତାମତ ଦେବିନି। କିନ୍ତୁ ଆଲୋଚନା ବେଳେ କହିଥିଲେ ଯେ ମୂଷା କିଏ ଅଛି ମୁଁ କହିବିନି। ଯିଏ ଯାହା ବୁଝୁଛି ବୁଝୁ।