ଦିବ୍ୟାଙ୍ଗଙ୍କୁ ମାଡ଼ ମାରି ପାଦ ଚଟାଇଲେ

ଭିଡିଓ ଭାଇରାଲ୍‌ ପରେ ପୁଲିସ କାର୍ଯ୍ୟାନୁଷ୍ଠାନ, ବନ୍ଧା ହେଲେ ପରିଚାଳକ ଓ ସହଯୋଗୀ

ବାରିପଦା : ପଦାକୁ ଆସିଛି ବାରିପଦା କାଳିକା ବଜାର‌ସ୍ଥିତ ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ର କର୍ତ୍ତୃପକ୍ଷଙ୍କ ବର୍ବରତା। ଜଣେ ଦିବ୍ୟାଙ୍ଗ ଅନ୍ତେବାସୀଙ୍କୁ ପ୍ଲାଷ୍ଟିକ୍ ପାଇପ୍‌ରେ ନିସ୍ତୁକ ମାଡ଼ ମାରିବା ଓ ପାଦ ଚଟାଇବାର ଭିଡିଓ ଭାଇରାଲ୍‌ ହେବା ପରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଭିଡିଓଟି ବର୍ଷେ ପୂର୍ବର ହୋଇଥିଲେ ବି ଗତକାଲି ଏହା ଭାଇରାଲ୍‌ ହେବା ପରେ ପୁଲିସ ନିଜ ଆଡ଼ୁ ମାମଲା ରୁଜୁ କରି କେନ୍ଦ୍ର ପରିଚାଳକ ଅବନୀ ପତି ଓ ସହ‌ଯୋଗୀ ପିତବାସ ରାଉଳଙ୍କୁ ଗିରଫ କରିଛି।

ନିଶାଗ୍ରସ୍ତ ଲୋକଙ୍କ କୁଅଭ୍ୟାସ ଛଡ଼ାଇବା ଲାଗି ଏହି କେନ୍ଦ୍ର ଖୋଲା ଯାଇଥିବାବେଳେ କେନ୍ଦ୍ର ପରିଚାଳକ ଅବନୀ ପତି ଏଠାରେ ରହୁଥିବା ଅନ୍ତେବାସୀଙ୍କୁ ମାଡ଼ ମାରିବା, ଖାଇବାକୁ ନଦେଇ ନିର୍ଯାତନା ଦେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା। ତେବେ ଏ ସଂପର୍କରେ କୌଣସି ସୁରାକ ପୁଲିସ ହାତରେ ଲାଗିନଥିଲା। ୨୦୨୧ ମସିହା ଜୁଲାଇ ମାସରେ ଜଣେ ଅନ୍ତେବାସୀଙ୍କୁ କେନ୍ଦ୍ରରେ ନିର୍ଘାତ ମାଡ଼ ମରାଯିବା ସହ ପାଦ ଚଟାଇବା ନେଇ ଅଭିଯୋଗ ହୋଇଥିଲା। ହେଲେ ପରିଚାଳକ ଏହାକୁ ମିଛକଥା କହି ସେତେ‌ବେଳେ ଖସି ଯାଇଥିଲେ।

ତେବେ ସେଦିନର ଘଟଣାକୁ କେହି ଜଣେ ମୋବାଇଲ୍‌ରେ ଉତ୍ତୋଳନ କରି ନେଇଥିବା ବେଳେ ପ୍ରାୟ ବର୍ଷେ ପରେ ଏହାକୁ ସାମାଜିକ ଗଣମାଧ୍ୟମରେ ଛାଡ଼ି ଦେଇଛନ୍ତି। ଭିଡିଓଟି ଗତକାଲିଠାରୁ ଭାଇରାଲ୍‌ ହେଉଥିଲେ ବି ପୁଲିସ ଏହାକୁ ଗୁରୁତ୍ବ ଦେଇନଥିଲା। ତେବେ ପୂର୍ବରୁ ଅନେକ ଥର ବିବାଦ ଘେରକୁ ଆସିଥିବା ଏହି କେନ୍ଦ୍ରକୁ ସବୁଦିନ ପାଇଁ ବନ୍ଦ କରିବା ଓ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରୁ ଦାବି ହେବା ସହ ଉପରୁ ଚାପ ପଡ଼ିବା ପରେ ପୁଲିସ ନିଜ ଆଡ଼ୁ କେସ୍‌ ନଂ ୩୦୯/୨୨, ଆଇପିସି ୩୪୧, ୩୨୩, ୩୨୪, ୩୦୭ ଓ ୩୪ ଆଇପିସିରେ ମାମଲା ରୁଜୁ କରି କେନ୍ଦ୍ରରେ ଚଢ଼ଉ କରିଥିଲା। କେନ୍ଦ୍ର ପରିଚାଳକ ଓ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ସହଯୋଗୀମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ବାରିପଦା ସଦର ଏସ୍‌ଡିପିଓ କେକେ ହରିପ୍ରସାଦ ସୂଚନା ଦେଇଛନ୍ତି। ଏଥିସହ କେନ୍ଦ୍ରର ଲାଇସେନ୍ସ ବି ରଦ୍ଦ କରିବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯିବ ବୋଲି ବାରିପଦା ଟାଉନ୍‌ ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତି କହିଛନ୍ତି।

ସମ୍ବନ୍ଧିତ ଖବର