ସୁରକ୍ଷା ସଂସ୍ଥା ଓ ସହାୟିକା ସଂସ୍ଥା ଉପରେ ବର୍ଷିଲେ
ବାଡ଼ି ଧରି ଡରାଇଥିବା ମାନିଲେ ଦୁଇ ସହାୟିକା
ତିନି ସହାୟିକାଙ୍କୁ ଚାକିରିରୁ ଅନ୍ତର କଲା ଯୋଗାଣକାରୀ ସଂସ୍ଥା
କଟକ : କଟକ ବଡ଼ ଡାକ୍ତରଖାନା ଅସହାୟ ୱାର୍ଡରେ ଜଣେ ବୃଦ୍ଧ ରୋଗୀଙ୍କୁ ଦୁଇଜଣ ସହାୟିକା ବାଡ଼ିଧରି ଧମକାଉଥିବାର ଭିଡ଼ିଓ ଭାଇରାଲ୍ ଘଟଣା ତଥା ବୃଦ୍ଧଙ୍କୁ ସେ ଦୁହେଁ ମାଡ଼ ମାରିବା ଅଭିଯୋଗର ରାଜ୍ୟ ମାନବଧିକାର କମିସନ ସଦସ୍ୟ ଅସୀମ ଅମିତାଭ ଦାଶ ତଦନ୍ତ କରିଛନ୍ତି। ଶ୍ରୀ ଦାଶ ଆଜି ବଡ଼ ଡାକ୍ତରଖାନାରେ ପହଞ୍ଚି ଘଟଣା ସହ ସଂପୃକ୍ତ ବିଭିନ୍ନ ବ୍ୟକ୍ତିଙ୍କୁ ପଚରାଉଚରା କରିବା ସହ ସୁରକ୍ଷାକର୍ମୀ ଯୋଗାଉଥିବା ସଂସ୍ଥା ଓ ସହାୟିକା ଯୋଗାଉଥିବା ସଂସ୍ଥା ଉପରେ ପ୍ରବଳ ବର୍ଷିଛନ୍ତି। ସୁରକ୍ଷାକର୍ମୀ ଓ ସହାୟିକା ଯୋଗାଉଥିବା ସଂସ୍ଥାଦ୍ବୟ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସେ ଏସ୍ସିବି କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେବା ସହ ଅସହାୟ ରୋଗୀଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ନେବାକୁ ତାଗିଦ୍ କରିଛନ୍ତି।
ଆଜି ସକାଳ ପ୍ରାୟ ୯ଟା ୧୫ ବେଳେ ମାନବାଧିକାର କମିସନ୍ ସଦସ୍ୟ ଆଇନଜୀବୀ ଶ୍ରୀ ଦାଶ ଏସ୍ସିବିରେ ପହଞ୍ଚିଥିଲେ। ୱାର୍ଡ ପରିଦର୍ଶନ କରିବା ସହ ଭିଡିଓରେ ଥିବା ବୃଦ୍ଧ ଅସହାୟ ରୋଗୀଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲେ ଓ ଅନ୍ୟ ରୋଗୀମାନଙ୍କୁ ଭେଟିଥିଲେ। ପୋକ ସାଲୁବାଲୁ ହୋଇ ପଡିଥିବା ଅସହାୟ ରୋଗୀଙ୍କୁ ଦେଖି ସେମାନଙ୍କ ଚିକିତ୍ସା ଓ ଯତ୍ନ ସମ୍ପର୍କରେ ଶ୍ରୀ ଦାଶ ଏସ୍ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜ କାନ୍ତ ସାହୁଙ୍କ ସହ ଆଲୋଚନା କରିଥିଲେ। ଏହାପରେ ସେ ଭାଇରାଲ୍ ହୋଇଥିବା ଭିଡ଼ିଓ ସମ୍ପର୍କରେ ପଚରାଉଚରା କରିଥିଲେ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପାର୍ବତୀ ସାମଲ ପୂର୍ବରୁ ଟିକ୍ଟକ୍ ଭିଡିଓ କରି ଚାକିରିରୁ ବିଦା ହୋଇଥିଲେ। ଏବେ ପୁଣି ଚାକିରିରେ ଯୋଗଦେଇ ଏପରି କାର୍ଯ୍ୟ କରିଥିବା ପାର୍ବତୀଙ୍କୁ କମିସନ ସଦସ୍ୟ ଖୋଜିବାରୁ ସଂସ୍ଥାର ମୁଖ୍ୟ କହିଥିଲେ ଯେ, ପାର୍ବତୀ ଅନୁଗୁଳ ପଳାଇଛନ୍ତି। ଏଥିରେ ବିରକ୍ତ ହୋଇ ଶ୍ରୀ ଦାଶ ତାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିବା ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ, ମାମଲା ରୁଜୁ ହେବା କଥା ଶୁଣିବାର ମାତ୍ର ୫ମିନିଟ୍ ଭିତରେ ପାର୍ବତୀ କମିସନଙ୍କ ପାଖରେ ହାଜର ହୋଇ ଯାଇଥିଲେ। କମିସନ ପାର୍ବତୀଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ସେ ପୂର୍ବର ଟିକ୍ଟକ୍ ଭିଡ଼ିଓ କଥା ସ୍ବୀକାର କରିବା ସହ ଏଥର ବାଡ଼ି ଧରିବା ଅଭିଯୋଗକୁ ବି ସ୍ବୀକାର କରିଥିଲେ। ତେବେ, ବୃଦ୍ଧଙ୍କୁ ମାରିବା ଅଭିଯୋଗକୁ ସେ ସ୍ବୀକାର କରି ନ ଥିଲେ। ହେଲେ, ଅସହାୟ ରୋଗୀଙ୍କ ୱାର୍ଡକୁ ବାଡି କେମିତି ଗଲା ଓ ତାକୁ କିଏ ତଥା କାହିଁକି ନେଇଥିଲା, ତାହା ଅନ୍ୟ ଏକ ପ୍ରଶ୍ନକୁ ଜନ୍ମ ଦେଇଛି। ସୁରକ୍ଷାକର୍ମୀ ଓ ସହାୟିକାମାନେ ଆଉଟସୋର୍ସିଂରେ ରହୁଥିବାରୁ ସେମାନଙ୍କୁ ତୁରନ୍ତ ତାଲିମ୍ ଦେବାର ବ୍ୟବସ୍ଥା କରିବା ପାଇଁ ଶ୍ରୀ ଦାଶ ଏସ୍ସିବି ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ।
କମିସନ୍ଙ୍କ ଗସ୍ତ ପରେ ସଂପୃକ୍ତ ସଂସ୍ଥା ସହାୟିକା ପାର୍ବତୀ ଦାମଲ, ସୁଦୀପ୍ତା ବେହେରା ଓ ଅନ୍ୟ ଜଣେ ସହାୟିକା ଝିଲି ମୁଖାର୍ଜୀଙ୍କୁ କାର୍ଯ୍ୟରୁ ଅନ୍ତର କରିଥିବା ସଂସ୍ଥାର ମୁଖ୍ୟ ବିଜୟଲକ୍ଷ୍ମୀ ମହାପାତ୍ର ସୂଚନା ଦେଇଛନ୍ତି। କମିସନଙ୍କ ଗସ୍ତ ସମୟରେ ଏସ୍ସିବି ଅଧୀକ୍ଷକଙ୍କ ସମେତ ଅତିରିକ୍ତ ଅଧୀକ୍ଷକ ଆସୋସିଏଟ୍ ପ୍ରଫେସର ଡାକ୍ତର ଶ୍ରୀକାନ୍ତ ପଣ୍ଡା, ସର୍ଜରି ବିଭାଗ ମୁଖ୍ୟ ପ୍ରଫେସର ବନବିହାରୀ ମିଶ୍ର,ଏସ୍ସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା, ପୂର୍ବତନ କର୍ପୋରେଟର ରଞ୍ଜନ କୁମାର ବିଶ୍ବାଳ, ସହାୟିକା ଯୋଗାଣକାରୀ ସଂସ୍ଥାର ମୁଖ୍ୟ, କର୍ମଚାରୀ ଅମୂଲ୍ୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ଗୁରୁବାର ଏସ୍ସିବିରେ ଡିନ୍ଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଡକାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଏସ୍ସିବି ଅଧୀକ୍ଷକ ସୂଚନା ଦେଇଛନ୍ତି। ତାଛଡ଼ା, କମିସନ୍ଙ୍କ ନିର୍ଦ୍ଦେଶାନୁସାରେ ସହାୟିକା ଯୋଗାଣକାରୀ ସଂସ୍ଥା ଓ ସୁରକ୍ଷାକର୍ମୀ ଯୋଗାଉଥିବା ସଂସ୍ଥାକୁ ନୋଟିସ୍ ଦିଆଯିବ ବୋଲି ମଧ୍ୟ ଏସ୍ସିବି ଅଧୀକ୍ଷକ କହିଛନ୍ତି।