ଭୂ-ଅର୍ଜନ ମଣ୍ଡଳ ଅଧିକାରୀଙ୍କୁ ରାସ୍ତାରେ ମାଡ଼: ମହିଳା ଝାଡ଼ୁରେ ପିଟିଲେ, ସିନ୍ଦୂର-ଅଳତା ବୋଳିଲେ

ମାସ ମାସ ଧରି କୁହୁଳୁଥିଲା ଅସନ୍ତୋଷ, ୫ ଗିରଫ, କ୍ଷତିପୂରଣ ରାଶି ଦେବା ନେଇ ଟଙ୍କା ଦାବି ଅଭିଯୋଗ

ନୟାଗଡ଼: ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ ନୟାଗଡ଼ ଭୂ-ଅର୍ଜନ ମଣ୍ଡଳ ଅଧିକାରୀଙ୍କୁ ଆଜି ମହିଳାମାନେ ରାସ୍ତାରେ ପ୍ରବଳ ମାଡ଼ ମାରିଥିବା ଦେଖାଯାଇଛି। ଝାଡ଼ୁରେ ପିଟିବା ସହିତ ସିନ୍ଦୂର-ଅଳତା ବୋଳିଛନ୍ତି। ଏହି ଘଟଣାରେ ନୟାଗଡ଼ ଟାଉନ୍‌ ଥାନା ପୁଲିସ୍ ୫ଜଣ ମହିଳାଙ୍କୁ ଗିରଫ କରିଛି। ସେମାନେ ହେଲେ, କମଳିନୀ ପାଟ୍ଟଶାଣୀ, ଗୁମୁରୀ ଦଳେଇ, ପୁଷ୍ପାଞ୍ଜଳି ମାଝୀ, ଊର୍ମିଳା ମହାପାତ୍ର ଓ ପ୍ରେମାନନ୍ଦ ପାଟ୍ଟଶାଣୀ।

ସୂଚନା ଅନୁସାରେ, ଆଜି ଅପରାହ୍ନରେ ଭୂ-ଅର୍ଜନ ଅଧିକାରୀ ସଞ୍ଜୟ ପ୍ରତିହାରୀ ସ୍ଥାନୀୟ ମିଶ୍ର କଲୋନୀସ୍ଥିତ ଭଡ଼ାଘରୁ ନୟାଗଡ଼ ମଣ୍ଡଳ କାର୍ଯ୍ୟାଳୟକୁ ଯାଉଥିଲେ। ଏହିସମୟରେ ପାଖାପାଖି ୧୦ ଜଣ ମହିଳା ତାଙ୍କୁ ଘେରିଯାଇ ଚପଲ ଓ ଝାଡ଼ୁରେ ମାଡ଼ ମାରିବା ସହିତ ସିନ୍ଦୂର, ଅଳତା ବୋଳିଥିଲେ। ମହିଳାମାନେ ଅଶ୍ଳୀଳ ଭାଷାରେ ତାଙ୍କୁ ଗାଳି କରିବା ସହିତ ମୁହଁକୁ ମୁଥ, ଗୋଇଠା ମାରୁଥିବା ଦେଖିବାକୁ ମିଳିଥିଲା। ଖବରପାଇ ଘଟଣାସ୍ଥଳରେ ଟାଉନ ଥାନା ପୁଲିସ ପହଞ୍ଚି ଶ୍ରୀ ପ୍ରତିହାରୀଙ୍କୁ ଉଦ୍ଧାର କରିଥିଲା। ପ୍ରଥମେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଭୁବନେଶ୍ବରକୁ ପଠାଇ ଦିଆଯାଇଛି। ଚିକିତ୍ସାଳୟରେ ଅତିରିକ୍ତ ଜିଲ୍ଲାପାଳ ବିଧାନଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ପ୍ରମୁଖ ଶ୍ରୀ ପ୍ରତିହାରୀଙ୍କୁ ଭେଟିଥିଲେ। ଟାଉନ ଥାନାରେ ଶ୍ରୀ ପ୍ରତିହାରୀ ଏହି ଘଟଣା ନେଇ ଅଭିଯୋଗ କରିଥିବା ବେଳେ ଗଣମାଧ୍ୟମ ସମ୍ମୁଖରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ତେବେ, ଏହି ଘଟଣାକୁ ନେଇ ଜିଲ୍ଲାର ଓଏଏସ୍‌ ଅଧିକାରୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି‌ରେ ଓଏଏସ୍‌ ଅଧିକାରୀ ସଂଘ ପକ୍ଷରୁ ଏକ ବୈଠକ କରାଯାଇଥିବା ଜଣାପଡ଼ିଛି।

ଆକ୍ରମଣକାରୀ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ନୟାଗଡ଼ ଜିଲ୍ଲା ଦେଇ ଖୋର୍ଦ୍ଧା-ବଲାଙ୍ଗୀର ‌‌ରେଳ ପଥ ଯାଉଛି। ବର୍ତ୍ତମାନ ଦଶପଲ୍ଲାରେ ରେଳପଥ ନିର୍ମାଣ ଚାଲିଥିବା ‌ବେଳେ, ଏହି ଅଞ୍ଚଳରେ ଜମି ହରାଇଥିବା ପରିବାରଙ୍କୁ କ୍ଷତିପୂରଣ ରାଶି ପ୍ରଦାନରେ ଶ୍ରୀ ପ୍ରତିହାରୀ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଯେଉଁମାନଙ୍କର କ୍ଷତିପୂରଣ ଅର୍ଥ ମଞ୍ଜୁର ହୋଇଛି, ଦଲାଲ୍‌ ପଠାଇ ସେମାନଙ୍କଠାରୁ ଟଙ୍କା ଦାବି କରୁଛନ୍ତି। ଟଙ୍କା ନଦେଲେ କ୍ଷତିପୂରଣ ଅର୍ଥ ମିଳିବନାହିଁ ବୋଲି ଧମକ ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି। ତେବେ, ଏହି ଅଭିଯୋଗ ଉପରେ ଭୂ-ଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ସମ୍ବନ୍ଧିତ ଖବର