ଫଟୋ, ଭିଡ଼ିଓ ବି ଉଠାଇଲେ, ପୁଲିସ ଉଦ୍ଧାର କଲା
ସପ୍ତାହକରେ ଦ୍ୱିତୀୟ ଘଟଣା

Advertisment

ଭଂଜନଗର : ଚୋର ଗ୍ୟାଙ୍ଗ୍‌କୁ ନେଇ ଆତଙ୍କିତ ଗ୍ରାମବାସୀ ଏବେ ନୀରିହଙ୍କ ଉପରେ ଦାଉ ସାଧୁଛନ୍ତି। ରାତିରେ ଯାହାକୁ ଦେଖୁଛନ୍ତି ତାକୁ ଚୋର ବୋଲି ଭାବି କାବୁ କରି ରାଗ ଶୁଝାଉଛନ୍ତି। ଖାଲି ଏତିକି ନୁହେଁ, କାହାକୁ ଲଣ୍ଡା କରାଯାଇ ଗାଁ ବୁଲାଯାଉଛି ତ ଆଉ କାହାକୁ ବାନ୍ଧି ନିର୍ଧୁମ ମାଡ଼ ମାରୁଛନ୍ତି। ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଧୀନ ଏ.ବରିଡ଼ା ଗ୍ରାମବାସୀଙ୍କ ଏଭଳି କଠୋର କାର୍ଯ୍ୟକଳାପକୁ ନେଇ ଆଖପାଖ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ଚୋରଙ୍କୁ ଧରିବା ପାଇଁ ରାତିରେ ଦଳ ଦଳ ହୋଇ ଜଗୁଥିବା ଗ୍ରାମବାସୀ ଏବେ ନିରୀହ ଯୁବକଙ୍କୁ ଟାର୍ଗେଟ୍‌ କରୁଛନ୍ତି।

ଗତ ଦୁଇ ଦିନ ତଳେ ନିକଟ ଚଢିଆପଡ଼ା ଗ୍ରାମବାସୀ ଚୋର ସନ୍ଦେହରେ ପୋଲସରାର ଜଣେ ଯୁବକଙ୍କୁ ରାତିସାରା ଅଟକ ରଖି ମାଡ଼ ମାରିବା ସହ ଅଧାଲଣ୍ଡା କରି ଗାଁ ବୁଲାଇଥିଲେ। ଏହା ପରେ ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା। ଗତକାଲି ପୁଣି ଏ.ବରିଡ଼ା ଗ୍ରାମରେ ପୁଣି ଏହାର ପୁନରାବୃତ୍ତି ଘଟିଛି। ଚୋର ସନ୍ଦେହରେ ଗ୍ରାମବାସୀ ଆସିକା ଥାନା ଭେଜିପୁଟ ଅଞ୍ଚଳର ଜଣେ ମାନସିକ ଭିନ୍ନକ୍ଷମ ଯୁବକଙ୍କୁ ରାତିସାରା ଗାଁରେ ଅଟକ ରଖିଥିଲେ। ଏହା ପରେ ଜଣେ ବ୍ୟକ୍ତିଙ୍କ ଘର ନିକଟରେ ତାଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହ ଭିଡ଼ିଓ ଓ ଫଟୋ ଉତ୍ତୋଳନ କରିଥିବା ଜଣାପଡ଼ିଛି। ଆଜି ସକାଳେ ଯୁବକଙ୍କୁ କବିସୂର୍ଯ୍ୟନଗର ଥାନା ପୁଲିସ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରିଛି। ଯୁଚକଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବାରୁ ତାଙ୍କୁ କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ଗ୍ରାମବାସୀଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି।

ଏ ବରିଡା ଗାଁରେ ଗତ ୨୩ ତାରିଖ ବିଳମ୍ବିତ ଏକ ଲୁଟେରା ଗ୍ୟାଙ୍ଗ୍‌ ବୃଦ୍ଧ ଦମ୍ପତିଙ୍କୁ ଆକ୍ରମଣ କରି ଅଳଙ୍କାର ଏବଂ ବିଦେଶୀ ମଦ ଦୋକାନରୁ ଟଙ୍କା ଲୁଟ୍‌ ହୋଇଥିଲା। ଏହା ପରଠୁ ଲୋକେ ଆତଙ୍କିତ ଅବସ୍ଥାରେ ରାତିରେ ଜଗୁଥିବା ଦେଖିବାକୁ ମିଳିଛି। ଗତକାଲି ରାତିରେ ନୟନା ସାହିରେ ଉକ୍ତ ମାନସିକ ଭିନ୍ନକ୍ଷମ ଯୁବକଜଣକ ବୁଲୁ ଥିଲେ। ଯାହାକୁ ଦେଖି ଲୋକଙ୍କ ମନରେ ଚୋର ବୋଲି ସନ୍ଦେହ ଜାତ ହୋଇଥିଲା। ଗ୍ରାମବାସୀଙ୍କୁ ପରିଚୟ ପଚାରି ଥିଲେ। କିନ୍ତୁ ସେ କୌଣସି ଉତ୍ତର ଦେଇ ପାରି ନଥିଲେ। ଫଳରେ ତାଙ୍କୁ ଲୋକେ ଟଣାଓଟରା କରି ପ୍ରବଳ ମାଡ଼ ମାରିବା ଆରମ୍ଭ କରିଥିଲେ।

ଏହା ପରେ ଗୋଟିଏ ଘରର ଖମ୍ବରେ ତାଙ୍କୁ ବନ୍ଧାଯିବା ସହ ସଂଘବଦ୍ଧ ଭାବେ ତାଙ୍କୁ ଗୋଇଠା ଓ ଲାତ ମରାଯାଇଥିଲା। ଯୁବକଜଣକ କାନ୍ଦି କାନ୍ଦି କାକୁତିମିନତି ହୋଇ ଥିଲେ ବି ତାଙ୍କୁ ନିସ୍ତାର ମିଳି ନଥିଲା। ଗ୍ରାମବାସୀ ଭିଡ଼ିଓ ଏବଂ ଫଟୋ ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଥିଲା। ସାରା ରାତି ଗାଁରେ ଯୁବକଙ୍କ ଉପରେ ଅତ୍ୟାଚାର ଚାଲିଥିଲେ ବି କେହି ଏହାକୁ ପ୍ରତିହତ କରି ନଥିଲେ।

ସକାଳେ କବିସୂର୍ଯ୍ୟନଗର ପୁଲିସ ଗାଁରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରିଥିଲେ। ଥାନାକୁ ଅଣି ପଚରାଉଚରା କରିବା ପରେ ବି ଯୁବକଜକଣ ନିଜ ନାମ କହି ପାରୁ ନଥିଲେ। କିଛି ସମୟ ପରେ ପରିବାରବର୍ଗ ଏ ବିଷୟରେ ଖବର ପାଇ ଥାନାକୁ ଆସି ଯୁବକଜଣଙ୍କୁ ନେଇ ସାଙ୍ଗରେ ନେଇ ଯାଇଥିଲେ। ଚୋର ଗ୍ୟାଙ୍ଗ୍‌ର ଆତଙ୍କ ଏ.ବରିଡ଼ା ଗ୍ରାମବାସୀଙ୍କ ମନରୁ ଲିଭି ନାହିଁ। ତେବେ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଦାବି ହୋଇଛି।