ଲକ୍ଷ୍ମୀପୁର : ଘର ଭାଙ୍ଗିବାକୁ କେନ୍ଦ୍ର କରି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ଅନ୍ତର୍ଗତ ଉପରକୁଟିଙ୍ଗା ଗାଁରେ ଗତକାଲି ଲୋମହର୍ଷକ ଘଟଣା ଘଟିଛି। ବିଦ୍ୟୁତ ଖୁଣ୍ଟିରେ ବାନ୍ଧି ଜଣେ ବୃଦ୍ଧଙ୍କୁ ପିଟିପିଟି ନିର୍ମମ ଭାବେ ହତ୍ୟା କରାଯାଇଛି। ଏହାପରେ ପ୍ରମାଣ ନଷ୍ଟ କରିବାକୁ ରାତାରାତି ଶବ ପୋଡ଼ି ଦେଇଥିଲେ। କିନ୍ତୁ ଆଜି ସକାଳେ ବୃଦ୍ଧଙ୍କ ହତ୍ୟା କରିବାର ଭିଡିଓ ଭାଇରାଲ ହୋଇଯାଇଥିଲା। ଯାହାଫଳରେ ଚପଇ ଦେବାକୁ ଉଦ୍ୟମ ହୋଇଥିବା ଏହି ଚାଞ୍ଚଲ୍ୟକର ଘଟଣା ଲୋକଲୋଚନକୁ ଆସିଛି। ପୁଲିସ ନଜରକୁ ଭିଡିଓ ଆସିବା ପରେ ତତ୍ପରତା ପ୍ରକାଶ କରିଛି। ଜଣେ ମହିଳାଙ୍କୁ ଅଟକ ରଖିଥିବା ବେଳେ ଦୁଇ ଜଣ ପୁରୁଷ ଫେରାର ହୋଇଯାଇଥିବା ଜଣାପଡ଼ିଛି।
ଗତକାଲି ଉପରୋକ୍ତ ଗାଁର କୁର୍ଷ ମିଣିଆକା କୌଣସି କାରଣରୁ ଉତ୍ତ୍ୟକ୍ତ ହୋଇ ରହିଥିଲେ। ତେଣୁ ନିଜ ପୁଅ ଘରର ଆଜବେଷ୍ଟ ସିଟ୍ ଗୁଡ଼ିକୁ ଭାଙ୍ଗି ଦେବା ସହ ଗାଳିଗୁଲଜ କରିଥିଲେ। କିନ୍ତୁ ଏହି ଘଟଣା ପରେ କୁର୍ଷଙ୍କ ବଡ଼ଭାଇଙ୍କ ପରିବାର ଉତ୍କ୍ଷିପ୍ତ ହୋଇଯାଇଥିଲା। ବଡ଼ଭାଇ, ପୁତୁରା ଏବଂ ପୁତୁରା ବୋହୂ ସଂଘବଦ୍ଧ ଆକ୍ରମଣ କରିଥିଲେ। କୁର୍ଷଙ୍କୁ ପ୍ରଥମେ ଗୋଟିଏ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଥିଲେ। ଏହାପରେ ଗ୍ରାମବାସୀଙ୍କ ସମ୍ମୁଖରେ ଠେଙ୍ଗାରେ ପିଟିପିଟି ମାରି ଦେଇଥିଲେ। ଗ୍ରାମବାସୀଙ୍କ ସମ୍ମୁଖରେ ଏହି ଘଟଣା ଘଟିଥିଲେ ସୁଦ୍ଧା କେହି ମୁହଁ ଖୋଲି ନଥିଲେ। ଏପରିକି ପ୍ରମାଣ ନଷ୍ଟ କରି ଘଟଣାକୁ ଚପାଇ ଦେବାକୁ କିଛି ଗ୍ରାମବାସୀ ସହାୟତା କରିଥିଲେ। ଯାହାଫଳରେ ରାତାରାତି ଶବ ପୋଡ଼ି ଦିଆଯାଇଥିଲା। ଗାଁରେ କୌଣସି ପ୍ରକାର ହତ୍ୟାକାଣ୍ଡ ହୋଇ ନଥିବା ଭଳି ସମସ୍ତେ ଅଚରଣ ଦେଖାଇଥିଲେ।
ସମସ୍ତ ପ୍ରୟାସ ସତ୍ତ୍ବେ ହତ୍ୟାକାଣ୍ଡକୁ ବେଶୀ ସମୟ ପାଇଁ ଲୁଚାଇ ରଖିପାରିଲେ ନାହିଁ। ହତ୍ୟାକାଣ୍ଡର ଗୋଟିଏ ଲୋମଟାଙ୍କୁରା ଭିଡିଓ ଆଜି ସକାଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା। ଏହି ଭିଡିଓ ପୁଲିସ ନିକଟରେ ପହଞ୍ଚିବାରୁ ତନାଘନା ଆରମ୍ଭ ହୋଇଥିଲା। ଲକ୍ଷ୍ମୀପୁର ଏସ୍ଡିପିଓ ଅଶ୍ବିନୀ ନାୟକ, ଥାନା ଆଇଆଇସି ଶ୍ବେତପଦ୍ମା ସେଠ୍, ଏସ୍ଆଇ ମାସନ ପ୍ରଧାନ ପ୍ରମୁଖ ଆଜି ସକାଳେ ଗାଁକୁ ଯାଇଥିଲେ। ପଚରାଉଚୁରା ଆରମ୍ଭ କରି ପୁଲିସ କୁର୍ଷଙ୍କ ପୁତୁରା ବୋହୂ ସଂଗିତା ମିଣିଆକାଙ୍କୁ ଅଟକ ରଖିଛି। ଅନ୍ୟପକ୍ଷରେ ଗିରଫଦାରୀକୁ ଏଡ଼ାଇବା ପାଇଁ କୁର୍ଷଙ୍କ ବଡ଼ଭାଇ ଏବଂ ପୁତୁରା ଫେରାର ହୋଇଯାଇଥିବା ସୂଚନା ମିଳିଛି। ବଡ଼ପ୍ରଶ୍ନ ହେଲା ଏଭଳି ଜଘନ୍ୟ ଘଟଣାକୁ ଗାଁର ଅନେକ ଜଣ ଦେଖିବା ସତ୍ତ୍ବେ ପୁଲିସକୁ ନଜଣାଇ କାହିଁକି ଚୁପ୍ ରହିଲେ। କେହି ସହାୟତା ପାଇଁ ଆଗକୁ ନ ଆସିବା ବି ଚକିତ କରୁଛି। ସେହିପରି ତରବରିଆ ଭାବେ ଶବକୁ ପୋଡ଼ି ଦିଆଯାଇଥିବା ବେଳେ ବହୁ ଜଣଙ୍କ ସଂପୃକ୍ତି ରହିଥିବା କୁହାଯାଉଛି। ଏବେ ଦେଖିବାକୁ ବାକି ରହିଲା ଏହି ସମ୍ବେଦନଶୀଳ ଘଟଣାରେ ପୁଲିସ କେଉଁ ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/koraput.jpg)