ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଲା ପ୍ରେମ : କଙ୍ଗାରୁ କୋର୍ଟରେ ନିସ୍ତୁକ ମାଡ଼, ୬୦ ହଜାର ଜରିମାନା

ରାଇଘର : ପ୍ରେମିକାକୁ ଭେଟିବା ପାଇଁ ଯାଇଥିଲେ। କିନ୍ତୁ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଗଲେ। ନିସ୍ତୁକ ମାଡ଼ ଖାଇବା ସହ ଗଣିଲେ ଜରିମାନା। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଯୋଡ଼େଙ୍ଗା ପଞ୍ଚାୟତ ଅନ୍ତର୍ଗତ ବୋରିଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। କଙ୍ଗାରୁ କୋର୍ଟରେ ଦଣ୍ଡ ପାଇଥିବା ସଂପୃକ୍ତ ଯୁବକ ଜଣକ ଏନେଇ ରାଇଘର ଥାନାରେ ଏତଲା ଦେଇଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଉଦୟପୁର (ଆଦିବାସୀ) ଗାଁର ସୁରେନ୍ଦ୍ର ହରିଜନ ଦୀର୍ଘ ଦିନ ହେଲା ବୋରିଗାଁର ଜଣେ ଆଦିବାସୀ ଯୁବତୀଙ୍କୁ ପ୍ରେମ କରୁଥିଲେ। ଯାହାକୁ ପ୍ରେମିକାଙ୍କ ପରିବାର ଲୋକ ବିରୋଧ କରି ଆସୁଥିଲେ। ତଥାପି ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ରହି ଆସିଥିଲା। ଗତ ଶନିବାର ଦିନ ରାତିରେ ସୁରେନ୍ଦ୍ର ନିଜ ପ୍ରେମିକାଙ୍କୁ ଭେଟିବା ପାଇଁ ବୋରିଗାଁ ଆସିଥିଲେ। ଏନେଇ କେମିତି ଗ୍ରାମବାସୀ ଜାଣିବା ପରେ ସୁରେନ୍ଦ୍ରଙ୍କୁ ଘେରି ଯାଇଥିଲେ। ପ୍ରାଣ ବିକଳରେ ‌ସୁରେନ୍ଦ୍ର ବାଇକ୍‌ ଛାଡ଼ି ସେଠାରୁ ଦୌଡ଼ି ପଳାଇଥିଲେ। ତେବେ ପରଦିନ ପୁଣି ସୁରେନ୍ଦ୍ର ବାଇକ ଆଣିବା ପାଇଁ ବୋରିଗାଁ ଯାଇଥିଲାବେଳେ ସେ ଗ୍ରାମବାସୀଙ୍କ କବଳରୁ ରକ୍ଷା ପାଇ ନଥିଲେ। ତାଙ୍କୁ ଗୋଡ଼ାଇ ଗୋଡ଼ାଇ ନିସ୍ତୁକ ପିଟିଥିଲେ ଗ୍ରାମବାସୀ। ଏପରିକି ଗୋଟିଏ ଘରେ ବନ୍ଦୀ ଭଳି କିଛି ସମୟ ପାଇଁ ରଖିଥିଲେ।

ଶେଷରେ ଗାଁରେ ବସିଥିଲା କଙ୍ଗାରୁ କୋର୍ଟ। ଶୁଣାଣି ପାଇଁ ସୁରେନ୍ଦ୍ରଙ୍କୁ ହାଜର କରାଯାଇ ଜରିମାନା ବାବଦ ୬୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଗଲା। ବହୁ କଷ୍ଟରେ ଯୋଗାଡ଼ କରି ୧୦ ହଜାର ଟଙ୍କା ଦେବା ସତ୍ତ୍ବେ ବାଇକ୍‌ ଫେରାଇ ନଥିଲେ ଗ୍ରାମବାସୀ। ବଳକା ୫୦ ହଜାର ଟଙ୍କା ଦେଲେ ହିଁ ବାଇକ୍‌ ଫେରି ପାଇବ ବୋଲି କହିଥିଲେ। ଅପରପକ୍ଷରେ ସୁରେନ୍ଦ୍ରଙ୍କୁ ଆକ୍ରମଣ ଏବଂ କଙ୍ଗାରୁ କୋର୍ଟରେ ଚାଲିଥିବା ବିଚାର ପ୍ରକ୍ରିୟାର ଭିଡିଓ ବିଭିନ୍ନ ‌ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା। ବୋରିଗାଁରୁ ଫେରି ସୁରେନ୍ଦ୍ର ଏନେଇ ରାଇଘର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ କେସ୍ ନମ୍ବର ୧୩୬/୨୦ରେ ଏକ ମାମଲା ରୁଜୁ କରିଛି। ଉଭୟପକ୍ଷକୁ ଡକାଇ ପୁଲିସ ପଚରାଉଚୁରା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର