ତେନ୍ତୁଳିଖୁଣ୍ଟି : ଆଜି ସନ୍ଧ୍ୟା ସାଢେ ଛଅ ଘଣ୍ଟା ସମୟରେ ଜଣେ ବାଇକ ଆରୋହୀଙ୍କୁ ମାଡ଼ ମାରି ବାଇକ ଏବଂ ୩୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁଇଜଣ ଦୁବୃର୍ତ୍ତ। ତେନ୍ତୁଳିଖୁଣ୍ଟି ବ୍ଲକ ଦିଗୀ ପଂଚାୟତ ଅନ୍ତର୍ଗତ ଡମଗୁଡା- ପଣସପଦର ରାସ୍ତାରେ ଘଟିଛି ଏଭଳି ଘଟଣା। ବାଇକ ଆରୋହୀ ଦୁଇଜଣ ସେହି ରାସ୍ତା ଦେଇ ଯାଉଥିବା ଜଣେ ବାଇକ ଆରୋହୀଙ୍କୁ ଲିଫ୍ଟ ମାଗି ତେନ୍ତୁଳିଖୁଣ୍ଟି ଥାନାରେ ପହଂଚି ଏନେଇ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ ନନ୍ଦାହାଣ୍ଡି ବ୍ଲକ ଦୋହଣା ପଂଚାୟତ ଅନ୍ତର୍ଗତ ମେରନାସ ଗ୍ରାମର କୁନୁ ସୌରା ଏବଂ ଅର୍ଜୁନ ହରିଜନ ଏକ ବାଇକ ହିରୋ ଏଚ. ଏଫ ଡିଲକ୍ସ ନଂ ଓଡି୨୪ଇ୮୯୫୩ ଯୋଗେ ଅର୍ଜୁନଙ୍କ ପାଇଁ ଏକ ସେକେଣ୍ଡ ହେଣ୍ଡ ବାଇକ କିଣିବାକୁ ଇନ୍ଦ୍ରାବତୀ ଯାଇଥିଲେ। ଗାଡି ନମିଳିବାରୁ ସନ୍ଧ୍ୟା ସାଢ଼େ ୬ ଟାରେ ଫେରୁଥିଲେ। ଫେରିବା ସମୟରେ ପଣସ ପଦର-ଡମଗୁଡା ରାସ୍ତାର ଏକ ପୋଲ ନିକଟରେ ଦୁଇଜଣ ଦୁବୃର୍ତ୍ତ କୁନୁଙ୍କ ବାଇକକୁ ଅଟକାଇ ଥିଲେ। କୁନୁ ବାଇକ ରଖିବେ ମାତ୍ରେ ପଛରୁ ପିଛା କରି ଆସୁଥୁବା ଦୁଇଜଣ ଦୁର୍ବୁତ୍ତ ପହଂଚି ଯାଇଥିଲେ। ଦୁଇଟି ବାଇକରେ ଥିବା ଚାରିଜଣ ଦୁବୃର୍ତ୍ତ କୁନୁ ଓ ଅର୍ଜୁନଙ୍କୁ ଛୁରୀ ଓ ପିସ୍ତଲ ଦେଖେଇ ଭୟଭୀତ କରିବା ସହ ମାଡ଼ ମାରିଥିଲେ। ମାଡ଼ ମାରିବା ସହ ଅର୍ଜୁନ ଗାଡି କିଣିବା ପାଇଁ ଧରିଥୁବା ୩୦ ହଜାର ଟଙ୍କା ଏବଂ କୁନୁର ବାଇକ ଛଡେଇ ନେଇଥିଲେ ବୋଲି ତେନ୍ତୁଳିଖୁଣ୍ଟି ଥାନାରେ ଲିଖିତ ଅଭିଯୋଗ ହୋଇଛି। ଚାରିଜଣ ଦୁବୃର୍ତ୍ତ ମୁହଁରେ ମାସ୍କ ପିନ୍ଧିଥିଲେ ଏବଂ ସେମାନେ ବ୍ୟବହାର କରୁଥିବା ବାଇକରେ ନମ୍ବର ପ୍ଲେଟ ନଥୁବା ଅଭିଯୋଗକାରୀମାନେ ପ୍ରକାଶ କରିଛନ୍ତି।