ମାଡ଼ ଘଟଣା: ଉଭୟ ଶିକ୍ଷୟିତ୍ରୀଙ୍କୁ ବଦଳି ଦାବିରେ ଧାରଣା

ଆନନ୍ଦପୁର : ଶିକ୍ଷୟିତ୍ରୀଙ୍କୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମାଡ଼ ଘଟଣାରେ ଆଜି ଉତ୍ତ୍ୟକ୍ତ ଗ୍ରାମବାସୀ ଦୁହିଁଙ୍କ ବଦଳି ଦାବିରେ ସ୍କୁଲରେ ତାଲା ପକାଇ ଧାରଣା ଦେଇଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ବିଦ୍ୟାଳୟରେ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ମାଡ଼ଗୋଳ ଯୋଗୁ ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି। ସ୍କୁଲରେ ବିଶୃଙ୍ଖଳା ସୃଷ୍ଟି ହେଉଛି। ଏହାର କୁପ୍ରଭାବ ଛୋଟଛୋଟ ପିଲାଙ୍କ ଉପରେ ପଡୁଛି।  ତେଣୁ ପ୍ରଧାନଶିକ୍ଷୟିତ୍ରୀ ଲିଲିପ୍ରିୟା ‌ଜେନା ଓ ଶିକ୍ଷୟିତ୍ରୀ ପଙ୍କଜିନୀ ସାହୁଙ୍କ ତୁରନ୍ତ ଏଠାରୁ ବଦଳି କରାଯାଉ। ଏଭଳି ଦାବି ନେଇ ଆଜି ଆନନ୍ଦପୁର ବ୍ଳକ ବେଲବାହାଳି ପଞ୍ଚାୟତ ଡ଼ିହସାହି ଗ୍ରାମବାସୀ ଡ଼ିହସାହି ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିବାରୁ ଅଡ଼ୁଆ ପିରସ୍ଥିତି ସୃଷ୍ଟି ହୋଇଥିଲା।

୨୭ତାରିଖରେ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଓ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପ୍ରଧାନଶିକ୍ଷୟିତ୍ରୀ ଗାଳିଗୁଲଜ କରୁଥିବାର ଅଡ଼ିଓ ଶିକ୍ଷୟିତ୍ରୀ ପଙ୍କଜିନୀ ମୋବାଇଲରେ ରେକର୍ଡିଂ କରିଥିଲେ। ଏହା ଜାଣିପାରି ପ୍ରଧାନ ଶିକ୍ଷୟିତ୍ରୀ ହଠାତ୍ ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ କରିଥିଲେ। ଆହତ ଶିକ୍ଷୟିତ୍ରୀ ପଙ୍କଜିନୀ ଏନେଇ ଘସିପୁରା ଥାନାରେ ଏତଲା ଦେଇଥିଲେ। ଥାନା ଅଧିକାରୀ ବିକ୍ରମ କେଶରୀ ଭୂୟାଁଙ୍କ ଉଦ୍ୟମରେ ଥାନାରେ ଏହାର ଆପୋସ ବୁଝାମଣା ହୋଇଥିଲା।

ତେବେ ଆଜି ସ୍କୁଲ ଖୋଲିବା ପୂର୍ବରୁ ଶତାଧିକ ଗ୍ରାମବାସୀ ବିଦ୍ୟାଳୟ ଫାଟକ ଆଗରେ ଧାରଣାରେ ବସିଥିଲେ। ଦୁଇଜଣ ଶିକ୍ଷୟିତ୍ରୀଙ୍କ ବଦଳି କରାଯିବା ସହିତ ନୂତନ ଶିକ୍ଷକ ନିଯୁକ୍ତି ଦେବାକୁ ଗ୍ରାମବାସୀ ଅଡ଼ି ବସିଥିଲେ। ଖବରପାଇ ଘସିପୁରା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଏବିଇଓ ରଘୁନାଥ ବେହେରା, ମକୁନ୍ଦ ଚରଣ ସାହୁ, ପ୍ରକାଶ କୁମାର ରାୟ, ସରପଞ୍ଚ ଦୀପ୍ତି ସାହୁ, ଜିଲ୍ଲା ପରିଷଦ ସଦସ୍ୟା ଅସୀମା ମିଶ୍ର ପ୍ରମୁଖ ଗ୍ରାମବାସୀ ଓ ଶିକ୍ଷା କମିଟିର ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ। ଦୁଇଜଣଙ୍କୁ ଅନ୍ୟତ୍ର ପଠାଯିବାକୁ ନିଷ୍ପତ୍ତି ହୋଇଥିବାବେଳେ ସିଆରସିସି ବିଶ୍ବଭୂଷଣ ରାଉତଙ୍କୁ ସାମୟିକ ଭାବେ ବିଦ୍ୟାଳୟର ଦାୟିତ୍ବ ପ୍ରଦାନ କରାଯାଇଛି। ଏନେଇ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ବିଇଓଙ୍କ ପକ୍ଷରୁ ରିପୋର୍ଟ ପ୍ରଦାନ କରାଯିବାପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର