ଭଞ୍ଜନଗର: କାଁ ଭାଁ ଉତ୍ତେଜନା ଓ କିଛି ଅବ୍ୟବସ୍ଥାକୁ ଛାଡ଼ିଦେଲେ ଭଞ୍ଜନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ଆଜି ମତଦାନ ଶାନ୍ତିପୂର୍ଣ୍ଣ ଭାବେ ‌ଶେଷ ହୋଇଛି। କିଛି ବୁଥ୍‌ରେ ଚାପା ଉତ୍ତେଜନା ଓ ଛକାପଞ୍ଝା ଆରମ୍ଭ ହେବାରୁ ପୁଲିସ ହସ୍ତକ୍ଷେପ ପରେ ପରିସ୍ଥିତିରେ ସୁଧାର ଆସିଥିଲା। ନିର୍ବାଚନମଣ୍ଡଳୀର ସମସ୍ତ ବୁଥ୍‌ରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଭଞ୍ଜନଗର ବ୍ଲକ୍ ତଥା ତାରସିଂ ଥାନା ଅଧୀନ ତୁରୁମୁ ପଞ୍ଚାୟତର ବେରୁଆଁବାଡ଼ି ଗ୍ରାମରେ ହୋଇଥିବା ୪୭ ନମ୍ବର ବୁଥ୍‌ରେ ଜଣେ ବୟସ୍କ ଭୋଟର୍‌ଙ୍କୁ କେନ୍ଦ୍ର କରି ଦୁଇ ଏଜେଣ୍ଟ୍‌ଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହାପରେ ହାତାହାତି ଓ ଧସ୍ତାଧସ୍ତି ହୋଇଥିଲା। ଖବର ପାଇ ପୁଲିସ ପହଞ୍ଚି ତୁରନ୍ତ ସମାଧାନ କରିବା ପ‌ରେ ସଶସ୍ତ୍ର ବାହିନୀ ଉପସ୍ଥିତିରେ ସ୍ବାଭାବିକ ମତଦାନ ଚାଲିଥିଲା।

Advertisment

ଅନ୍ୟପକ୍ଷରେ କିଛି ବୁଥ୍‌ରେ ଇଭିଏମ୍ ଖରାପ ହେବାରୁ ପୋଲିଂ କର୍ମଚାରୀ ଓ ଭୋଟର୍ ହଇରାଣ ହୋଇଥିଲେ। ତୁରନ୍ତ ମେସିନ୍‌ଗୁଡ଼ିକୁ ପରିବର୍ତ୍ତନ କରି ନୂତନ ମେସିନ୍ ବ୍ୟବସ୍ଥା କରାଯାଇଥିଲା। ସେହିପରି କିଛି ସ୍ଥାନରେ ମତଦାନ ଅଧା ସମୟରେ ମଧ୍ୟ ମେସିନ୍‌ ଖରାପ ହେବାରୁ ସେଗୁଡ଼ିକୁ ବଦଳାଯାଇଥିବା ନିର୍ବାଚନ ଅଧିକାରୀ ତଥା ଭଞ୍ଜନଗର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ବାଉଁଶଲୁଣ୍ଡିରେ ୧୨୪ ନମ୍ବର ବୁଥ୍‌ରେ ମତଦାନ ଚାଲିଥିବା ପ୍ରିଜାଇଡ଼ିଂ ଅଫିସର୍ ବିସ୍ମିତା ଲକ୍ଷ୍ମୀ ସତର୍ ଅସୁସ୍ଥ ହୋଇପଡ଼ିଥିଲେ। ତୁରନ୍ତ ତାଙ୍କୁ ସେଠାରୁ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ପଦ୍ମିନୀ ସେଠୀଙ୍କୁ ଉକ୍ତ ବୁଥ୍ ଦାୟିତ୍ବ ପ୍ରଦାନ କରାଯାଇଥିଲା।

ସକାଳ ସାଢ଼େ ୫ଟାରେ ମକପୋଲ୍ ହୋଇଥିବା ବେଳେ ୭ଟାରେ ଭୋଟ୍ ଗ୍ରହଣ ପକ୍ରିୟା ଆରମ୍ଭ ହୋଇଥିଲା। ଅର୍ଥମନ୍ତ୍ରୀ ତଥା ଭଞ୍ଜନଗର ବିଧାନସଭା ବିଜେଡି ପ୍ରାର୍ଥୀ ବିକ୍ରମକେଶରୀ ଆରୁଖ ଅ‌ଗଝୋଳ ଗ୍ରାମରେ ମତଦାନ କରିଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକ ଓ କଂଗ୍ରେସ ପ୍ରାର୍ଥୀ ପ୍ରଶାନ୍ତ ବିଶୋୟୀ ନିଜ ଗାଁରେ ଭୋଟ୍ ଦେଇଥିଲେ। ମତଦାନ ପାଇଁ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଅପରାହ୍‌ଣରେ ପବନ ଓ ବର୍ଷା ହେବା ଫଳରେ କିଛି ସଖୀ ବୁଥ୍‌ର ଟେଣ୍ଟ୍ ଭାଙ୍ଗିଯାଇଥିଲା। ଏଥିସହ କେତେକ ସ୍ଥାନରେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ମତଦାନ ଚାଲିଥିବା ଜଣାପଡ଼ିଛି। ଅପରାହ୍‌ଣ ୫ଟା ୧୫ ସୁଦ୍ଧା ଭଞ୍ଜନଗର ବିଧାନସଭା ମଣ୍ଡଳୀରେ ୪୯.୧ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି।