ରାଉରକେଲା: ହକି ବିଶ୍ବକପ୍‌ ପାଇଁ ସହରରେ ଭିତ୍ତିଭୂମିର ବିକାଶ କରାଯାଇଥିଲା। ରାସ୍ତା ନିର୍ମାଣଠାରୁ ଆରମ୍ଭକରି ଚଳାପଥ ନିର୍ମାଣ, ସୌନ୍ଦର୍ଯ୍ୟକରଣ ପାଇଁ ବୃକ୍ଷରୋପଣ, କାନ୍ଥବାଡ଼ରେ ଚିତ୍ରାଙ୍କନ, ସ୍ମାର୍ଟ‌୍ ପାର୍କ ସ୍ଥାପନ ଆଦି ୬୪ଟି ପ୍ରକଳ୍ପ ହାତକୁ ନିଆଯାଇଥିଲା। ଏବେ ରକ୍ଷଣାବେକ୍ଷଣ କରାଯାଉନଥିବାରୁ ସବୁ ପ୍ରକଳ୍ପ ଛେଉଣ୍ଡ ହୋଇପଡ଼ିଛି। କେତୋଟି ପାର୍କର ଲୁହା ‌ବାଡ଼ ଚୋରି ହୋଇଗଲାଣି ତ କେଉଁଠି ଭାଙ୍ଗି ଧସି ଗଲାଣି। ଏହି ପ୍ରକଳ୍ପର ସାଂପ୍ରତିକ ସ୍ଥିତିକୁ ଦେଖିଲେ ସ୍ମାର୍ଟସିଟି ଅନୁଦାନରେ ନିର୍ମିତ ପ୍ରକଳ୍ପ ପାଇଁ ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) କର୍ତ୍ତୃପକ୍ଷଙ୍କ ଆନ୍ତରିକତା ନଥିବା ସ୍ପଷ୍ଟ ହୁଏ।
Advertisment
ପ୍ରାୟ ୧୨ କୋଟି ବ୍ୟୟ ଅଟକଳରେ ସ୍ଥାନୀୟ ହକି ଛକ-ହନୁମାନ ବାଟିକା ଛକ, ଭିଏସ୍‌ଏସ୍‌ ମାର୍କେଟ-କଳିଙ୍ଗ ବିହାର ଛକ, ଛେଣ୍ଡ୍‌ ଛକ-ବିପିପୟୁଟି ଛକ ଯାଏ ଚଳାପଥ, ସୌନ୍ଦର୍ଯ୍ୟବହନ କରୁଥିବା ଚାରାରୋପଣ କରାଯାଇଥିଲା। ତେବେ ନିର୍ମାଣର ମାସେ ନ ପୂରୁଣୁ ଚଳାପଥରେ ଲାଗିଥିବା ଟାଇଲ୍‌ ଫେବର ବ୍ଲକ୍‌ କେଉଁଠି ଉପୁଡ଼ି ପଡ଼ିଥିଲା ତ କେଉଁଠି ଧସି ଯାଇଥିଲା। ଏମିତିକି ନିମ୍ନମାନର ଗଛ ଲଗାଯାଇଥିବାରୁ ତାହା ଏବେ ଉଭାନ ହୋଇସାରିଲାଣି। ଏମିତିକି ସହରର ବିଭିନ୍ନ କାନ୍ଥବାଡ଼ରେ ଅଙ୍କିତ ଭିନ୍ନ ଭିନ୍ନ କିସମର ଚିତ୍ରରୁ ରଙ୍ଗ ଖସିବା ଆରମ୍ଭ ହେଲାଣି। ଏତଦ୍‌ବ୍ୟତୀତ, ବିଭିନ୍ନ ପ୍ରକଳ୍ପରେ ଲାଗିଥିବା ବିଭିନ୍ନ ସାମଗ୍ରୀ ଚୋରି ହେବାରେ ଲାଗିଛି। ସ୍ମାର୍ଟସିଟି ଅନୁଦାନରେ ସହରରେ ପ୍ରାୟ ୬.୬୫ କୋଟି ଟଙ୍କା ବିନିଯୋଗରେ ୬ଟି ସ୍ମାର୍ଟ‌୍ ପାର୍କ ନିର୍ମାଣ ହୋଇଥିଲା। ଏଥିମଧ୍ୟରୁ ଉଦିତନଗର ଓ ସିଭିଲ୍‌ଟାଉନସିପରେ ୨ଟି ନିର୍ମାଣ ହୋଇଥିବାବେଳେ କୋଏଲନଗର ଓ ଛେଣ୍ଡ୍‌ରେ ଗୋଟିଏ ଲେଖାଏ ସ୍ମାର୍ଟ ପାର୍କ ନିର୍ମାଣ କରାଯାଇଥିଲା। ଏଥିମଧ୍ୟରୁ ଏକାଧିକ ପାର୍କର ସୌନ୍ଦର୍ଯ୍ୟ ବିଗିଡ଼ିବାରେ ଲାଗିଲାଣି। ଉଦିତନଗର ପଡ଼ିଆରେ ଲାଗିଥିବା ୨୪ଟି ହାଇମାଷ୍ଟ୍‌ ଲାଇଟ୍‌ ମଧ୍ୟରୁ ଏକାଧିକ ଜଳୁନି। ପଡ଼ିଆ ଭିତରେ କୁଢ଼କୁଢ଼ ଅଳିଆ ଆବର୍ଜନା ଭର୍ତ୍ତି ହୋଇଛି। ଏମିତିକି ଅସାମାଜିକ ବ୍ୟକ୍ତିଙ୍କ ଆଡା ଜମୁଛି। ସେହିଭଳି କୋଏଲନଗର ଇ’ ବ୍ଲକ୍‌ରେ ନିର୍ମିତ ପାର୍କରେ ଯାବତୀୟ ଅବ୍ୟବସ୍ଥା ଆରମ୍ଭ ହୋଇଗଲାଣି। ଏଠାରେ ଲାଗିଥିବା ପାଖାପାଖି ୮୦/୯୦ ଫୁଟ୍‌ ଲମ୍ବ ବିଶିଷ୍ଟ ଲୁହା ବାଡ଼କୁ ଦୁର୍ବୃତ୍ତ ଚୋରି କରିସାରିଲେଣି। ଏହାସହ ଶକ୍ତିନଗର ପାର୍କ‌ର ପାର୍ଶ୍ବରେ ଥିବା ପାର୍କର ସ୍ଥିତି ମଧ୍ୟ ସମାନ। ଏଠାରେ ଲାଇଟ୍‌ ବି ଜଳୁନଥିବାରୁ ଅନ୍ଧାରର ରାଜୁତି ଦେଖିବାକୁ ମିଳୁଛି। ଏହି ଅନ୍ଧାରର ସୁଯୋଗ ନେଇ କିଛି ଦିନ ପୂର୍ବେ ଦୁଇ ଜଣ ପ୍ରେମୀଯୁଗଳ ସେଠାରେ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ସ୍ଥାନୀୟବାସିନ୍ଦା ଦେଖିବାକୁ ପାଇଥିଲେ। ଏନେଇ ଝିରପାଣି ପୁଲିସ ନିକଟରେ ବି ଅଭିଯୋଗ ହୋଇଥିଲା। ଉଲ୍ଲେଖଯୋଗ୍ୟ, ପ୍ରାୟ ୧୧.୪୮ କୋଟି ଟଙ୍କା ବ୍ୟୟରେ ବାସନ୍ତୀକଲୋନି ଡିଏଭି ପୋଖରୀକୁ ନୂଆ ରୂପ ଦିଆଯାଇଥିଲା। ଉଦ୍‌ଘାଟନର କିଛି ଦିନ ପରେ ଏଠାରେ ଲାଗିଥିବା ଲୁହା ରେଲିଂକୁ ଦୁର୍ବୃତ୍ତ କାଟିନେଇଥିଲେ।
ସମ୍ଭବତଃ, ବିଭିନ୍ନ ପ୍ରକଳ୍ପର ନିର୍ମାଣବେଳେ ମାନକୁ ଧ୍ୟାନ ଦିଆଯାଇନଥିଲା। କେବଳ ପ୍ରକଳ୍ପ ସଂପନ୍ନ ଲକ୍ଷ୍ୟରେ ତରବରିଆ ଭାବେ ନିର୍ମାଣ କରାଯାଇଥିବାରୁ ପ୍ରକଳ୍ପର ସ୍ଥିତି ବିଗିଡ଼ିବାରେ ଲାଗିଲାଣି। ଯଦ୍ବାରା ୪୦ ଫୁଟ୍‌ ଉଚ୍ଚତା ବିଶିଷ୍ଟ ହକିର ପ୍ରତୀକ ଭାଙ୍ଗୁଥିବାବେଳେ ୩୦/୪୦ ଫୁଟ ଲମ୍ବର ପାଚେରୀ ମାଟିରେ ମିଶିଯାଉଛି। ଏହି ପ୍ରକଳ୍ପର ସୁରକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉନି; ଯଦ୍ବାରା ପ୍ରକଳ୍ପ ଭାଙ୍ଗିବା ସହ ନିୟମିତ ବ୍ୟବଧାନରେ ଚୋରି ହେଉଛି।