ବିଶ୍ବକପ୍‌ ପୂର୍ବରୁ ସରିବ ତ ସୌନ୍ଦର୍ଯ୍ୟକରଣ ! ସ୍ମାର୍ଟସିଟି ପ୍ରକଳ୍ପ ଅଧା ସରିଛି, ଅଧା ବାକି

କାମ ଆରମ୍ଭ କରିନି ରେଳବାଇ କର୍ତ୍ତୃପକ୍ଷ

ରାଉରକେଲା: ଆସନ୍ତା ଜାନୁଆରୀ ମାସରେ ଭୁବନେଶ୍ବର ସମେତ ରାଉରକେଲାରେ ପୁରୁଷ ହକି ବିଶ୍ବକପ୍‌ ଆୟୋଜନ ହେବ। ଖାସ୍‌ ଏଥିପାଇଁ ଇସ୍ପାତ ସହରର ନବକଳେବର କରାଯିବ। ସହରକୁ ବିଭିନ୍ନ ପ୍ରକଳ୍ପ ଭେଟି ଦିଆଯିବ; ଯଦ୍ବାରା ସୌନ୍ଦର୍ଯ୍ୟ ବୃଦ୍ଧି ହେବା ସ୍ବାଭାବିକ୍‌। ରାଉରକେଲାର ରାସ୍ତାଘାଟଠାରୁ ଆରମ୍ଭକରି, ଡ୍ରେନେଜ ସିଷ୍ଟମ୍‌, ସ୍ପୋର୍ଟ‌୍ସ କଂପ୍ଲେକ୍ସର ବିକାଶ କରାଯିବ। ରାଉରକେଲା ସ୍ମାର୍ଟସିଟି ପକ୍ଷରୁ ପ୍ରାୟ ୯ ଶହ କୋଟି ବ୍ୟୟଅଟକଳରେ ଏକାଧିକ ପ୍ରକଳ୍ପ ହାତକୁ ନିଆଯାଇଥିବାବେଳେ ରେଳବାଇ ପକ୍ଷରୁ ମଧ୍ୟ ରେଳ ଷ୍ଟେସନର ସାମଗ୍ରିକ ବିକାଶ କରିବାକୁ ଯୋଜନା ରହିଛି। ଇତିମଧ୍ୟରେ ସ୍ମାର୍ଟସିଟିର ଅଧା ପ୍ରକଳ୍ପ ଶେଷ ହୋଇସାରିଥିବାବେଳେ ଅଧା ନିର୍ମାଣାଧୀନ ରହିଛି। ତେବେ ରେଳବାଇ ପକ୍ଷରୁ ନିଆଯାଇଥିବା ପ୍ରକଳ୍ପ ଏଯାଏଁ ଆରମ୍ଭ ହୋଇନି; ଫଳରେ ଏହା ନିର୍ଦ୍ଧାରିତ ସମୟରେ ସରିବ ନା ନାହିଁ, ତାହା ସନ୍ଦେହ ସୃଷ୍ଟି କରୁଛି।

ବିଗତ ଦିନରେ ସହରର ବିକାଶ ପାଇଁ ଏକାଧିକ ପ୍ରକଳ୍ପ ହାତକୁ ନିଆଯାଇଥିଲା। ଏଥିମଧ୍ୟରୁ ଅନ୍ୟତମ ଥିଲା ବ୍ରାହ୍ମଣୀ ନଦୀ କୂଳର ସୌନ୍ଦର୍ଯ୍ୟୀକରଣ ପାଇଁ ‘ବ୍ରାହ୍ମଣୀ ରିଭର୍‌ ଫ୍ରଣ୍ଟ୍‌’ ପ୍ରକଳ୍ପ। ଉଦ୍ଦେଶ୍ୟ ଥିଲା, ମୁକୁଳା ଓ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇରହିଥିବା ବ୍ରାହ୍ମଣୀ ନଦୀ ପଠା ସ୍ବଚ୍ଛ ଓ ବ୍ୟବହାର ଉପଯୋଗୀ କରିବା। ସ୍ଥାନୀୟ ଅଞ୍ଚଳବାସୀ ପ୍ରାତଃ ଓ ସାନ୍ଧ୍ୟ ଭ୍ରମଣର ମଜା ନେବା ସହ ନଦୀକୂଳ ନୂଆ ରୂପ ପାଇ ସହରର ସୌନ୍ଦର୍ଯ୍ୟ ବୃଦ୍ଧି କରିବ। ଏଥିପାଇଁ ପାଖାପାଖି ୪୪.୩୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ତେବେ ଆର୍‌ଏସ୍‌ସିଏଲ୍‌ ବୋର୍ଡ ବୈଠକରେ ଏହି ପ୍ରସ୍ତାବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିନଥିଲା। ଫଳସ୍ବରୂପ ପ୍ରକଳ୍ପକୁ ପରବର୍ତ୍ତୀ ସମୟରେ ବାଦ୍‌ ଦିଆଯାଇଥିଲା। ସେହିଭଳି ପାନପୋଷ ମାର୍କେଟ୍‌ କମ୍ପ୍ଲେକ୍ସର ନବୀକରଣ ପ୍ରକଳ୍ପ ମଧ୍ୟ ନିର୍ଦ୍ଧାରିତ ସମୟରେ ଶେ‌ଷ ହେବାର ଆଶଙ୍କା ଦେଖାଦେଇଛି।

ଏହି ପ୍ରକଳ୍ପ ପାଇଁ ୪୮.୧୮ କୋଟି ବ୍ୟୟ ବରାଦ ହୋଇଥିବାବେଳେ ୨୦୨୩ ଫେବ୍ରୁଆର ସୁଦ୍ଧା ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେବେ ଏହାର ସାଂପ୍ରତିକ ସ୍ଥିତି ଦେଖିଲେ, ନିର୍ଦ୍ଧାରିତ ସମୟରେ ସରିବା ସନ୍ଦିହାନ ସୃଷ୍ଟିକରେ। ତେବେ ଅନେକଗୁଡ଼ିକଏ ପ୍ରକଳ୍ପ ଇତିମଧ୍ୟରେ ଶେ‌ଷ ହୋଇସାରିଥିବାବେଳେ ଅନେକ ପ୍ରକଳ୍ପ ନିର୍ମାଣାଧୀନ। ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ, ବୀର୍ସା ମୁଣ୍ଡା ହକି ଷ୍ଟାଡିୟମର ଅଭ୍ୟାସ ପଡ଼ିଆ ନିର୍ମାଣ ଶେଷ ହୋଇସାରିଛି। ଅନ୍ୟାନ୍ୟ ପ୍ରକଳ୍ପ, ଯଥା- ବୀର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ, ଡ୍ରେନେଜ ବ୍ୟବସ୍ଥା(୯୫ କୋଟି), ଟ୍ରାଇବାଲ ମ୍ୟୁଜିୟମ୍‌(୧୧୭.୭୬ କୋଟି), ସ୍ମାର୍ଟ ରୋଡ୍‌ ଫେଜ୍‌-୨(୧୦୪.୭୧ କୋଟି), ଡିଏଭି ପୋଖରୀ ବିକାଶ ପ୍ରକଳ୍ପ, ହନୁମାନ ବାଟିକା- ମୀର୍ସା ଛକ ଓ ହକି ଛକ-ପାନପୋଷ-ଛକ ରାସ୍ତା ସୌନ୍ଦର୍ଯ୍ୟୀକରଣ, ୩୦ଟି ପାର୍କ, କୋଏଲନଗରରେ ରିକ୍ରିଏସନାଲ ବ୍ୟବସ୍ଥା(୧୫.୩୩ କୋଟି) ଆଦି ପ୍ରକଳ୍ପ ନିର୍ମାଣାଧୀନ ଥିବାବେଳେ ନିର୍ଦ୍ଧାରିତ ସମୟରେ ଏହା ସଂପୂର୍ଣ୍ଣ ହେବବୋଲି ବିଭାଗ ପକ୍ଷରୁ କୁହାଯାଉଛି।

ଅପରପକ୍ଷରେ ରେଳବାଇ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯିବବୋଲି ଗତ ୧୦ ତାରିଖରେ ରାଉରକେଲା ଗସ୍ତରେ ଆସିଥିବା ରେଳବାଇ ବୋର୍ଡ ଅଧ୍ୟକ୍ଷ ଭି.କେ. ତ୍ରିପାଠୀଙ୍କ ଘୋଷଣା, କେବଳ ଘୋଷଣାରେ ସୀମିତ ରହିଛି। ନିର୍ଦ୍ଦିଷ୍ଟ କେଉଁ କେଉଁ ଦିଗରେ ବିକାଶ କରାଯିବ ସେନେଇ କିନ୍ତୁ ବିସ୍ତୃତ ସୂଚନା ଦିଆଯାଇନି। ତେବେ ରାଉରକେଲା ରେଳ ଷ୍ଟେସନର ବର୍ତ୍ତମାନ ସ୍ଥିତିକୁ ଦେଖିଲେ, ଏକାଧିକ କ୍ଷେତ୍ରରେ ବିକାଶ କରାଯିବାର ଆବଶ୍ୟକତା ରହିଛି।

ବି‌ଶେଷକରି ଗୋପବନ୍ଧୁପଲ୍ଲୀ ପଟକୁ ଥିବା ଦ୍ବିତୀୟ ପ୍ରବେଶ ପଥର ଅମୂଳଚୂଳ ପରିବର୍ତ୍ତନ ସହ ବିହିତ ବିକାଶ ଜରୁରୀ। ଏଠାରେ ଉନ୍ନତମାନର ପାର୍କିଂ ବ୍ୟବସ୍ଥାଠାରୁ ଆରମ୍ଭକରି ଯାତ୍ରୀ ରହଣୀସ୍ଥଳ, ଅଧିକ ସଂଖ୍ୟକ ଟିକେଟ୍‌ କାଉଣ୍ଟର୍‌ ସମେତ ସୌନ୍ଦର୍ଯ୍ୟ ବୃଦ୍ଧି କରାଯିବା ଆବଶ୍ୟକ। ଏହାସହ ରେଳ ଷ୍ଟେସନର ମୁଖ୍ୟ ପ୍ରବେଶ ପଥ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳକୁ ନୂଆ ରୂପ ଦେବା, ଅନାବଶ୍ୟକ ଭିଡ଼ ଏଡ଼ାଇବାକୁ ଆଉ ଏକ ପ୍ରବେଶ ଓ ପ୍ରସ୍ଥାନ ପଥ ସୃଷ୍ଟି; ଆଦି ଏକାଧିକ ଦିଗ ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ହକି ବିଶ୍ବକପ୍‌କୁ ଆଉ ହାତଗଣତି ୬ ମାସ ଥିବାବେଳେ ଏଯାଏଁ କାଣିଚାଏଁ ବି ପଦକ୍ଷେପ ନିଆନଯିବା; ରେଳବାଇ କର୍ତ୍ତୃପକ୍ଷଙ୍କ କାର୍ଯ୍ୟକଳାପ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରେ। ବିଶ୍ବକପ୍‌ ସମୟରେ ରାଜ୍ୟ ସମେତ ପଡ଼ୋଶୀ ରାଜ୍ୟର ବହୁ ହକି ପ୍ରେମୀଙ୍କ ସମାଗମ ହେବାର ଆକଳନ କରାଯାଉଥିବାବେଳେ ଏସବୁ ପ୍ରକଳ୍ପକୁ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପନ୍ନ କରିବାକୁ କ୍ରୀଡ଼ାବିତ୍‌, କ୍ରୀଡ଼ା ସଂଗଠନ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର