‘ସୁନ୍ଦରୀ ଟେନ୍‌ସନ୍‌ ଆଉ ମାସେ! ଓଡ଼ିଶାରୁ ବାଘୁଣୀକୁ ଫେରାଇ ନେବାକୁ ଏନ୍‌ଟିସିଏର ସାନି ନିର୍ଦ୍ଦେଶ

ସାତକୋଶିଆ କର୍ତୃପକ୍ଷଙ୍କ ଅପାରଗତା ଦର୍ଶାଇଲା ମଧ୍ୟପ୍ରଦେଶ, ବାଘୁଣୀର ହିଂସ୍ରପଣ ନାହିଁ, ରି-ୱାଇଲ୍‌ଡ଼ିଂ ଭାରି କଷ୍ଟ

ଅନୁଗୁଳ: ‘ସୁନ୍ଦରୀ’ ଟେନ୍‌ସନ ଆଉ ମାସେ! ଆଉ ଅଳ୍ପ ଦିନ ମଧ୍ୟରେ ସାତକୋଶିଆରୁ ନିଜ ବାଘୁଣୀକୁ ଫେରାଇ ନେବ ମଧ୍ୟପ୍ରଦେଶ। ତାକୁ ନେଇ ରି-ୱାଇଲ୍‌ଡିଂ ସେଣ୍ଟରରେ ରଖିବ। ବାଘୁଣୀକୁ ନିଜ ଜନ୍ମମାଟିକୁ ଫେରାଇ ନେବା ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତୃପକ୍ଷ(ଏନ୍‌ଟିସିଏ) ଦ୍ବିତୀୟ ବାର ମଧ୍ୟପ୍ରଦେଶ ବନ ବିଭାଗକୁ ନିର୍ଦ୍ଦେଶ ଦେବାପରେ ଏପରି ସମ୍ଭାବନା ଉପୁଜିଛି। ଆଉ ମାସେ ଭିତରେ ସୁନ୍ଦରୀ ଫେରି ଯାଇପାରେ ବୋଲି ଏନ୍‌ଟିସିଏ ମୁଖ୍ୟ ଅନୁପ କୁମାର ନାୟକ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ ସ୍ଥଗିତ କରାଯିବା ପରେ ସାତକୋଶିଆରେ ବାଘୁଣୀର କିଛି ଆବଶ୍ୟକତା ନାହିଁ। ତେଣୁ କିଛି ମାସ ତଳେ ବାଘୁଣୀକୁ ଫେରାଇ ନେବାକୁ ମଧ୍ୟପ୍ରଦେଶ ବନ ବିଭାଗକୁ ଚିଠି ଲେଖାଯାଇଥିଲା। ବାଘୁଣୀର ହିଂସ୍ରପଣ ପୁଣି ଫେରାଇ ଆଣିବାକୁ(ରି-ୱାଇଲ୍‌ଡ଼ିଂ) ଏନ୍‌ଟିସିଏ ପକ୍ଷରୁ କୁହାଯାଇଥିଲା। ମଧ୍ୟପ୍ରଦେଶର ଏକ ବିଶେଷଜ୍ଞ ଟିମ୍‌ ବାଘୁଣୀକୁ ଫେରାଇ ଆଣିବା ପୂର୍ବରୁ ତାର ସ୍ଥିତି ଦେଖିବାକୁ ସାତକୋଶିଆକୁ ଆସିଥିଲେ। କିନ୍ତୁ, ବାଘୁଣୀକୁ ଦେଖିଲା ପରେ ବିଶେଷଜ୍ଞ ଦଳ ଏନ୍‌ଟିସିଏ ପାଖରେ ଯେଉଁ ନକରାତ୍ମକ ଟିପ୍ପଣୀ ରଖିଲେ, ସେଥିରେ ସାତକୋଶିଆ କର୍ତୃପକ୍ଷଙ୍କ ଅପାରଗତା ପୁଣି ପ୍ରମାଣିତ ହୋଇଛି। ଟିମ୍‌ ଦର୍ଶାଇଛି, ବାଘୁଣୀକୁ ରି-ୱାଇଲ୍‌ଡ଼ିଂ କରିବା ସହଜ ନୁହେଁ। ଯେତିକି ଦିନି ଏନକ୍ଲୋଜର ମଧ୍ୟରେ ରହିଗଲାଣି ଏବଂ ଘୁଷୁରୀ ମାଂସ ଖାଇଲାଣି ସେଥିରେ ବାଘୁଣୀ ନିଜର ହିଂସ୍ରତା ଛାଡ଼ି ପୋଷା ଭଳି ହୋଇଗଲାଣି। ମହାବଳ ସାଧାରଣତଃ ଏମିତି ଏକ ଜୀବ, ଯାହାପାଖେ ମଣିଷ ଗନ୍ଧ ବାଜେ ନାହିଁ। ତାକୁ କେହି ଦେଖି ପାରିବେ ନାହିଁ। ପ୍ରକୃତି ଦତ୍ତ ଶିକାର କରି ତାର ଖାଦ୍ୟ ସଂଗ୍ରହ କରେ। କିନ୍ତୁ, ସାତକୋଶିଆ କର୍ତୃପକ୍ଷ ଗୋଟିଏ ଗୋଟିଏ ଘୁଷୁରୀ ଦେଇ ବାଘୁଣୀକୁ ପୂରା ମୋଟୀ କରିସାରିଲେଣି। ତେଣୁ ବାଘୁଣୀର ୱାଇଲ୍‌ଡ଼ ନେସ୍‌ ନାହିଁ ବୋଲି ମଧ୍ୟପ୍ରଦେଶ ଟିମ୍‌ ଆମକୁ ଚିଠି ଲେଖି ଜଣାଇଥିଲା ବୋଲି ଏନ୍‌ଟିସିଏ ମୁଖ୍ୟ ଶ୍ରୀ ନାୟକ କହିଛନ୍ତି।

ମଧ୍ୟପ୍ରଦେଶର ଏହି ଚିଠି ଉପରେ ଏନ୍‌ଟିସିଏ ନିର୍ଦ୍ଦେଶନାମା ଜାରି କରିଛି। ଯେହେତୁ, ସାତକୋଶିଆରେ ମହାବଳ ସ୍ଥାନାନ୍ତର ପ୍ରକଳ୍ପ ସ୍ଥଗିତ ଅଛି, ତେଣୁ ସେଠାରେ ବାଘୁଣୀର କୌଣସି ଆବଶ୍ୟକତା ନାହିଁ। ତେଣୁ ବାଘୁଣୀକୁ ନିଜ ଲ୍ୟାଣ୍ଡ୍‌ ସ୍କେପକୁ ତୁରନ୍ତ ଫେରାଇ ଆଣିବା ପାଇଁ ଆମେ ୱାଲ୍‌ଡ଼ ଲାଇଫ୍‌ ପ୍ରୋଟେକ୍ସନ୍‌ ଆକ୍ଟ ଆଧାରରେ ମଧ୍ୟପ୍ରଦେଶକୁ ନିର୍ଦ୍ଦେଶନାମା ଜାରି କରିଛୁ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି। ସେଥିପାଇଁ ମଧ୍ୟପ୍ରଦେଶ ବନ ବିଭାଗ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି। ମଧ୍ୟପ୍ରଦେଶରେ ବାଘ ରିହାବିଲଟେସନ୍‌ ସେଣ୍ଟର ଉଭୟ ବାନ୍ଧବଗଡ଼ ଏବଂ କାହ୍ନା ବ୍ୟାଘ୍ର ପ୍ରକଳ୍ପରେ ଅଛି। କାହ୍ନାର ଦୁଇଟି ସେଣ୍ଟରରେ ଦୁଇଟି ବାଘ ଥିଲେ। ସାତକୋଶିଆ ବାଘୁଣୀ ପାଇଁ କାହ୍ନାର ଗୋଟିଏ ସେଣ୍ଟରକୁ ଇତିମଧ୍ୟରେ ଖାଲି କରାଯାଇଛି। ଲକ୍‌ଡାଉନ୍‌ ପାଇଁ ସୁନ୍ଦରୀକୁ ଫେରାଇ ନେବା ବିଳମ୍ବ ହୋଇଛି। ସମ୍ଭବତଃ ଆଉ ମାସେ ମଧ୍ୟରେ ସୁନ୍ଦରୀ ଓଡ଼ିଶାରୁ ଫେରି ଆସିବ ବୋଲି ଏନ୍‌ଟିସିଏ ମୁଖ୍ୟ ଶ୍ରୀ ନାୟକକୁ ସୂଚନା ଦେଇଛନ୍ତି। ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପରେ ସାତକୋଶିଆକୁ ଆହୁରି ଦୁଇ ଯୋଡ଼ା ବାଘ ଆସିବା କଥା। କିନ୍ତୁ, ବନ ବିଭାଗ ସ୍ଥାନୀୟ ଲୋକଙ୍କ ବିଶ୍ବସନୀୟତା, ଜଙ୍ଗଲ ପ୍ରେ-ବେସ୍‌ ବୃଦ୍ଧି, ଜଙ୍ଗଲ ସୁରକ୍ଷା କାର୍ଯ୍ୟ ଯେ ପର୍ଯ୍ୟନ୍ତ ସୁନିଶ୍ଚିତ ନ କରିଛନ୍ତି ସେ ପର୍ଯ୍ୟନ୍ତ ନୂଆ ମହାବଳ ଯୋଡ଼ାଙ୍କୁ ଛାଡ଼ିବା ଆଶା କ୍ଷୀଣ ବୋଲି ଶ୍ରୀ ନାୟକ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର