ବାସୁଦେବପୁର: ଗତ ସାଧାରଣ ନିର୍ବାଚନରେ ଗ୍ରାମବାସୀ ଭୋଟ୍‌ ଦେଲେନି। ଫଳରେ ଦୀର୍ଘଦିନର କ୍ଷମତା ହାତରୁ ଖସିଗଲା। ଏଥିରେ ପ୍ରତିଶୋଧପରାୟଣ ହୋଇ ଜଣେ ନେତା ଗାଁ ରାସ୍ତା ଉପରେ ବାଡ଼ ବସାଇ ଦେଇଛନ୍ତି। ଫଳରେ ଗୋଟିଏ ହାମଲେଟ୍‌ ମୌଜାର ୫୦ଟି ପରିବାର ୨ ଦିନ ଧରି ବାହାରକୁ ବାହାରି ପାରୁନାହାନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ ବିନୋବା ଭାବେ ନଗର ପଞ୍ଚାୟତ ଗାନ୍ଧିନଗର ଗ୍ରାମର ମାଇତିପଡ଼ା ହାମଲେଟ୍‌ ମୌଜାରେ ଦେଖିବାକୁ ମିଳିଛି ଏମିତି ଅଭାବନୀୟ ଘଟଣା।

Advertisment

ସୂଚନା ଅନୁସାରେ, ୨୦୧୧-୧୨ ବର୍ଷରେ ମନରେଗାରେ ମାଟି ପକାଯାଇ ଗାନ୍ଧିନଗର ଗ୍ରାମର ମାଇତିପଡ଼ା ହାମ୍‌ଲେଟ ମୌଜାକୁ ରାସ୍ତା ନିର୍ମାଣ କରାଯାଇଥିଲା। ରାସ୍ତା ନିର୍ମାଣ ବେଳେ ସରକାରୀ ଜମି ପର୍ଯ୍ୟାପ୍ତ ମିଳି ନଥିଲା। ଫଳରେ ରାସ୍ତା ପାର୍ଶ୍ବରେ ଥିବା କେତେକ ଜମି ମାଲିକ ଲିଖିତ ସ୍ବୀକୃତି ପ୍ରଦାନ କରିବାପରେ ସେଠାରେ ସରକାରୀ ଅର୍ଥ ବିନିଯୋଗ ହୋଇ ଗାନ୍ଧିନଗର ଗ୍ରାମରୁ ମାଇତିପଡ଼ାକୁ ରାସ୍ତା ନିର୍ମାଣ କରାଯାଇଥିଲା। ଏହି ରାସ୍ତା ଉପରେ ଦୀର୍ଘ ୧୩ ବର୍ଷ ଧରି ମାଇତିପଡ଼ା ସାହିର ପାଖାପାଖି ୫୦ଟି ପରିବାର ଯାତାୟାତ କରୁଛନ୍ତି। ତେବେ ଗତ ସାଧାରଣ ନିର୍ବାଚନରେ ଜଣେ ପ୍ରଭାବଶାଳୀ ପ୍ରାର୍ଥୀଙ୍କ ପରାଜୟ ହେବାପରେ ସଂପୃକ୍ତ ରାସ୍ତାକୁ ନିଜର ବୋଲି ଦାବିକରି ସ୍ଥାନୀୟ ଅଞ୍ଚଳର ଜଣେ ନେତା ରାସ୍ତା ଉପରେ ବାଡ଼ ବସାଇ ଦେଇଛନ୍ତି। ଫଳରେ ୨ ଦିନ ହେଲା ସାହିକୁ ଯାତାୟାତ ଠପ୍‌ ହୋଇଯାଇଛି।