ବିଏଡ୍‌ ନାମଲେଖା ନେଇ ଅନିଶ୍ଚିତତା, ଏପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନକୁ ସିଟ୍‌ ଅନୁମତି ମିଳିନି

୩୧ରେ ବିଏଡ୍‌ ପ୍ରବେଶିକା ପରୀକ୍ଷା, ହୋଇପାରିଲାନି ଏନ୍‌ସିଟିଇ ଅନ୍‌ଲାଇନ୍‌ ଶୁଣାଣି

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନ ଶିକ୍ଷକ ଶିକ୍ଷା ଅନୁଷ୍ଠାନ(ଟିଇଆଇ)ରେ ନାମଲେଖା ନେଇ ଏଥର ବି ଅନିଶ୍ଚିତତା ଦେଖାଦେଇଛି। ଆବଶ୍ୟକ ଭିତ୍ତିଭୂମି ନ ଥିବାରୁ ନ୍ୟାସନାଲ କାଉନସିଲ୍‌ ଅଫ୍‌ ଟିଚର୍‌ ଏଜୁକେସନ(ଏନ୍‌ସିଟିଇ) ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନର ଅନୁମୋଦିତ ସିଟ୍‌ରେ ନାମଲେଖା ଲାଗି ଏପର୍ଯ୍ୟନ୍ତ ଅନୁମତି ମିଳିନାହିଁ। ଯେତେବେଳେ କି ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଆସନ୍ତା‌ ୩୧ ତାରିଖରେ ପ୍ରବେଶିକା ପରୀକ୍ଷା ହେବାକୁ ଥିବା ବେଳେ ଟିଇଆଇଗୁଡ଼ିକର ଭିତ୍ତିଭୂମି ନ ଥିବାରୁ ପୁଣିଥରେ ଆବଶ୍ୟକ ସିଟ୍‌ ଅନୁମତି ମିଳିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଗୁରୁତ୍ବପୂର୍ଣ୍ଣ କଥା‌ ହେଉଛି ଯେ ସିଟ୍‌ ଅନୁମୋଦନ ପୂର୍ବରୁ ଏନ୍‌ସିଟିଇ ପକ୍ଷରୁ ଗତ ୨୩ ଓ ୨୪ରେ ଅନୁଷ୍ଠିତ ହେବାକୁ ଥିବା ଅନ୍‌ଲାଇନ୍‌ ଶୁଣାଣିକୁ ହଠାତ୍‌ ବାତିଲ୍‌ କରାଯାଇଛି। ତେଣେ ସିଟ୍‌ ଅନୁମତି ମିଳି ନ ଥିବାରୁ ଏହାକୁ ନେଇ ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ଚିନ୍ତା ପ୍ରକଟ କରିଛନ୍ତି।

ଇତିମଧ୍ୟରେ ରାଜ୍ୟ ସରକାର ଏନ୍‌ସିଟିଇକୁ ପତ୍ର ଲେଖି ଭିତ୍ତିଭୂମି ସୁଦୃଢ଼ କରାଯାଉଥିବାରୁ ୧୬ଟି ଟିଇଆଇ ପାଇଁ ଅନୁମୋଦିତ ସମସ୍ତ ସିଟ୍‌ରେ ନାମଲେଖା ଲାଗି ଅନୁମତି ଦେବାକୁ ଅନୁରୋଧ କରିଥିଲେ। ପତ୍ରରେ ଦର୍ଶାଯାଇଥିଲା ଯେ ଟିଇଆଇଗୁଡ଼ିକରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦିଗରେ ପଦକ୍ଷେପ ନିଆଯାଇଛି। ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି)ଙ୍କ ଦ୍ବାରା ନିଯୁକ୍ତି ପ୍ରକ୍ରିୟା ଚାଲିଛି। ଇତିମଧ୍ୟରେ ଭୂଗୋଳ, ଗଣିତ, ରାଜନୀତି ବିଜ୍ଞାନ ଓ ଉଦ୍ଭିଦ ବିଜ୍ଞାନ ବିଷୟର ୬୭ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ଇତିହାସ ଓ ଅର୍ଥନୀତି ବିଷୟର ୩୬ଜଣ ଶିକ୍ଷକଙ୍କୁ ନିଯୁକ୍ତିପତ୍ର ବଣ୍ଟନ ସରିଛି। ୨୬ତାରିଖଠାରୁ ସେମାନଙ୍କ ତାଲିମ ଆରମ୍ଭ ହେବ ଏବଂ ଅଗଷ୍ଟ ପ୍ରଥମ ସପ୍ତାହରେ କାର୍ଯ୍ୟରେ ଯୋଗଦେବେ। ଇଂରାଜୀ ଓ ରସାୟନ ବିଜ୍ଞାନ ବିଷୟର ୪୫ଶିକ୍ଷକଙ୍କ ଚୟନ ପ୍ରକ୍ରିୟା ଶେଷ ହୋଇଛି। ଖୁବ୍‌ଶୀଘ୍ର ନିଯୁକ୍ତିପତ୍ର ବଣ୍ଟନ ସହ ଅଗଷ୍ଟ ୧୫ସୁଦ୍ଧା କାର୍ଯ୍ୟ‌‌ରେ ଯୋଗଦେବେ। ବାକି ରହିଥିବା ଅନ୍ୟାନ୍ୟ ବିଷୟର ଶିକ୍ଷକ ନିଯୁକ୍ତି ପାଇଁ ଓପିଏସ୍‌ସି ପକ୍ଷରୁ ଚାଲିଥିବା ଚୟନ ପ୍ରକ୍ରିୟା ଅଗଷ୍ଟ ୧୫ସୁଦ୍ଧା ‌ସରିବ ଏବଂ ୩୧ତାରିଖ ସୁଦ୍ଧା ଟିଇଆଇରେ ଯୋଗ‌ଦେବାର କାର୍ଯ୍ୟକ୍ରମ ରହିଛି।

ଆହୁରି ଦର୍ଶାଇଛନ୍ତି ଯେ ଓଡ଼ିଶା ଏକମାତ୍ର ‌ରାଜ୍ୟ, ଯେଉଁଠାରେ କେବଳ ସରକାରୀ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ଶିକ୍ଷା ପାଠ୍ୟକ୍ରମରେ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକସ୍ତରରେ ତାଲିମ ଦିଆଯାଉଛି। ଏହି ପାଠ୍ୟକ୍ରମ ପରିଚାଳନା ଲାଗି ରାଜ୍ୟର କୌଣସି ଘରୋଇ କଲେଜକୁ ଅନୁମତି ଦିଆଯାଉନାହିଁ, ବରଂ ୧୬ଟି ଟିଇଆଇରେ ବିଏଡ୍‌, ବିଏଚ୍‌ଇଡି, ଏମ୍‌.ଏଡ୍‌ ପାଠ୍ୟକ୍ରମରେ ଶିକ୍ଷା ପ୍ରଦାନ କରାଯାଉଛି। ଶିକ୍ଷାନୁଷ୍ଠାନରେ ପ୍ରତିବନ୍ଧକ ଲଗାଯିବା ଦ୍ବାରା ଓଡ଼ିଶାରେ ଆବଶ୍ୟକ ତାଲିମପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବାହାରୁ ନାହାନ୍ତି। ଓଡ଼ିଶାରେ ଶିକ୍ଷକ ଶିକ୍ଷା ପାଠ୍ୟକ୍ରମର ଭବିଷ୍ୟତ ଏବଂ ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ୧୬ଟି ଶିକ୍ଷାନୁଷ୍ଠାନ ଲାଗି ପୂର୍ବରୁ ଅନୁମୋଦିତ ହୋଇଥିବା ସିଟ୍‌ରେ ୨୦୨୨-୨୩ ଶିକ୍ଷାବର୍ଷରେ ନାମଲେଖା ଲାଗି ଅନୁମତି ଦେବାକୁ ଉଚ୍ଚଶିକ୍ଷ‌ା ସଚିବ ଶାଶ୍ବତ ମିଶ୍ର ଏନ୍‌ସିଟିଇ ଅଧ୍ୟକ୍ଷଙ୍କୁ ଅନୁରୋଧ କରିଥିଲେ।

ଅନ୍ୟପକ୍ଷରେ ଏନ୍‌ସିଟିଇର ଶୁଣାଣିକୁ ଦୃଷ୍ଟିରେ ରଖି ଆବଶ୍ୟକ ଡକ୍ୟୁମେଣ୍ଟ ପ୍ରସ୍ତୁତ ରଖିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷଙ୍କୁ କୁହାଯାଇଥିଲା। ସେହି ଅନୁଯାୟୀ ସେମାନେ ଟିଇଆଇ ୱେବସାଇଟ୍‌କୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ସହ ଏନ୍‌ସିଟିଇ ଅଧିକାରୀ ଯେମିତି ୱେବସାଇଟ୍‌କୁ ଗ୍ରହଣ କରିପାରିବେ ସେଦିଗରେ ପଦକ୍ଷେପ ନେଇଛନ୍ତି। ଶୁଣାଣି ତାରିଖ ପୂର୍ବରୁ ଶିକ୍ଷାନୁଷ୍ଠାନର ସମସ୍ତ ଅଧ୍ୟାପକଙ୍କ ତଥ୍ୟ, ଓପିଏସ୍‌ସି ଦ୍ବାରା ନବନିଯୁକ୍ତ ଅଧ୍ୟାପକଙ୍କ ତାଲିକା ୱେବସାଇଟ୍‌ରେ ଦେଇଛନ୍ତି। ଶୁଣାଣି ସମୟରେ ମୋବାଇଲ୍‌ ବ୍ୟବହାର ନ କରିବା, ଶିକ୍ଷାନୁଷ୍ଠାନର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ରହିବା ଦିଗରେ କର୍ତୃପକ୍ଷ ପ୍ରାଥମିକତା ଦେଇଛନ୍ତି।

ସମ୍ବନ୍ଧିତ ଖବର