ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ପାଇଁ ଶୁଭ ଖବର। ବିକ୍ରମ ଦେବ ବିଶ୍ବବିଦ୍ୟାଳୟରେ ବନ୍ଦ ହୋଇଯାଇଥିବା ବିଏଡ୍‌ ପାଠ୍ୟକ୍ରମ ପାଇଁ ପୁଣି ନାମ‌ ଲେଖା ପାଇଁ ଅନୁମତି ମିଳିଛି। ଏହି ଶିକ୍ଷାବ‌ର୍ଷରୁ ହିଁ ପୁଣି ନାଁ ଲେଖା ପ୍ରକ୍ରିୟା ହେବ ବୋଲି କହିଛନ୍ତି ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ଡ.ଗୋପାଳ ହାଲଦାର, ବିଭାଗୀୟମୁଖ୍ୟ ସହକାରୀ ପ୍ରାଧ୍ୟାପକ ଡ. ମନୋରଂଜନ ପ୍ରଧାନ।

Advertisment

ସୂଚନା ଅନୁଯାୟୀ, ୨୦୧୮-୧୯ଶିକ୍ଷାବର୍ଷରେ ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟ ଥିବା ସମୟରେ ନ୍ୟାସନାଲ କାଉନସିଲ ଅଫ୍ ଟିଚର ଏଜୁକେସନ୍ (ଏନ୍ ସିଟିଇ)ର ଅନୁମୋଦନରେ ସେଲ୍ପ ଫାଇନାନ୍ସିଂ ବିଷୟ କ୍ରମରେ ୫୦ଟି ସିଟକୁ ନେଇ ବିଏଡ୍  ପାଠ ପଢ଼ା ଆରମ୍ଭ ହୋଇଥିଲା। ପତ୍ର ବିନିମୟ ଓ କିଛି ବିବରଣୀ ଠିକଣା ସମୟ ଦେବାରେ ବିଳମ୍ବ  ହୋଇଥିଲା। ୨୦୨୦ଶିକ୍ଷାବର୍ଷରେ ଏନସିଟିଇ ପକ୍ଷରୁ ମହାବିଦ୍ୟାଳୟକୁ ଏକ କାରଣଦର୍ଶାଅ ନୋଟିସ ଜାରୀ କରାଯାଇଥିଲା। ୨୦୧୭ମାର୍ଗଦର୍ଶିକା ଅନୁଯାୟୀ, ଅଧ୍ୟାପକ ନିଯୁକ୍ତି ଦିଆଯାଇଛି ନା ନାହିଁ, କେତେ ଜଣ ଅଧ୍ୟାପକ ଓ କର୍ମଚାରୀ ଆଦି ରହିଛନ୍ତି, ଅନୁସଙ୍ଗିକ ଭିତ୍ତିଭୂମି ସବୁ କଣ କଣ ରହିଛି ଆଦିର ସଂପୁର୍ଣ୍ଣ ବିବରଣୀ ଦାଖଲ କରିବାକୁ ଏନସିଟିଇ ପକ୍ଷରୁ କୁହାଯାଇଥିଲା। ବିଳମ୍ବରେ  ଏହାର ଉତ୍ତର ଦାଖଲ କରାଯାଇଥିବା ବେଳେ ଅନଲାଇନରେ କରାଯିବାକୁ କୁହାଯାଇଥିବା ବେଳେ ଅଫଲାଇନରେ ଏହାକୁ ପଠାଯାଇଥିଲା। ପରବର୍ତ୍ତୀ ସମୟରେ ପୁଣି ଏନସିଟିଇ ଆଉ ଗୋଟିଏ କାରଣଦର୍ଶାଅ ନୋଟିସ ଜାରୀ କରିବାରେ ଏହାର ସଠିକ ଉତ୍ତର ଦେବା ବଦଳରେ ପୁରୁଣା ଫର୍ମାଟକୁ  ପଠାଇ ଦିଆଯାଇଥିଲା।

ତେବେ ଏଥିରେ ଏନସିଟିଇ କୌଣସି ସକରାତ୍ମକ ଓ ନକରାତ୍ମକ ମନ୍ତବ୍ୟ ଦେଇ ନଥିଲେ। ପରବର୍ତ୍ତୀ ସମୟରେ ପୁଣି ଚିଠି ଦେବା ପରେ ବି ମହାବିଦ୍ୟାଳୟରୁ କିଛି ଉତ୍ତର ଏନସିଟିଇକୁ ଯାଇ ନଥିଲା। ଏଭଳି ସ୍ଥିତିରେ ଏନସିଟିଇ ଏହି ବର୍ଷର ନାମଲେଖା ପ୍ରକ୍ରିୟା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।  ବିକ୍ରମଦେବ ମହାବିଦ୍ୟାଳୟରୁ  ବିଶ୍ବବିଦ୍ୟାଳୟ ହେବାର ଅଳ୍ପ କିଛି ଦିନ ପରେ ଏଭଳି  ନିର୍ଦ୍ଦେଶ ସମସ୍ତଙ୍କୁ ନିରାଶ କରିଦେଇଥିଲା।  ଏହାରି ମଧ୍ୟରେ ବିଶ୍ବବିଦ୍ୟାଳୟ ପକ୍ଷ‌ରୁ ପୁନଃ ଅନୁରୋଧ କରି ଆବେଦନପତ୍ର ଦାଖଲ କରି ଅବିଭକ୍ତ କୋରାପୁଟ ଜିଲ୍ଲାର ଅନୂସୂଚିତ ଜାତିଓ ଜନଜାତି, ପଛୁଆ, ଗରିବ ଶ୍ରେଣୀର ପିଲା ମାନେ ପଢ଼ୁଥିବାରୁ ପୁର୍ନବିଚାର କରିବାକୁ ଅନୁରୋଧ କରାଯାଇଥିଲା। ଧାର୍ଯ୍ୟ ଶୁଳ୍କ ବି ଦାଖଲ କରିଥିଲେ। ଏହାପରେ ଏନସିଟିଇ ୨ଥର ଶୁଣାଣୀ କରିଥିଲା।  କୋରପୁଟ ବିଏଡ୍ କଲେଜ ଓ ବିଶ୍ବବିଦ୍ୟାଳୟର ବିଏଡ୍ ବନ୍ଦକୁ ନେଇ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରଥମେ ମୁଖ୍ୟମନ୍ତ୍ରୀ, ୫ଟି ସଚିବ, ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଓ ସଚିବଙ୍କୁ ଚିଠି‌ ଲେଖିଥିଲେ। ଏହା ପରେ  ବିଧାନସଭାରେ  ଏହି ପ୍ରଶ୍ନ ଉଠାଇ ସରକାରଙ୍କୁ ହରଡଘଣାରେ ପକାଇବାକୁ ଚେଷ୍ଟା କରିଥିଲେ। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ  ଏ ନେଇ ଏନସିଟିଇକୁ ଚିଠି କରିବା ସହ ପୁନଃ ଅନୁମୋଦନ ଦେବାକୁ  ଅନୁରୋଧ କରିଥିଲେ। ଏହା ପରେ ଏନସିଟିଇ ଅନୁମୋଦନ ଦେଇଥିବା ସୂଚନା ମିଳିଛି।