ପଞ୍ଚାୟତରେ ସଙ୍ଗରୋଧ କକ୍ଷ ଏମିତି; ବେଡ୍‌ ନାହିଁ, ଖାଇବାକୁ ମିଳୁନି

ରାଉରକେଲା: ମହାମାରୀ କରୋନା ମୁକାବିଲା ପାଇଁ ସରକାରଙ୍କ ନିର୍ଦ୍ଦେଶକ୍ରମେ ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ସଙ୍ଗରୋଧ କକ୍ଷ କରାଯାଇଛି। ଏଥିପାଇଁ ପ୍ରତ୍ୟେକ ପଞ୍ଚାୟତକୁ ମିଳିଛି ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା। ସଙ୍ଗରୋଧ କକ୍ଷରେ ଆନୁଙ୍ଗିକ ବ୍ୟବସ୍ଥା ଠିକ୍‌ ଅଛି କି ନାହିଁ ତଦାରଖ ପାଇଁ ସ୍ଥାନୀୟ ବିଡିଓଙ୍କୁ ଦାୟିତ୍ବ ଦିଆଯାଇଛି। ବିଡମ୍ବନା, ସୁନ୍ଦରଗଡ ଜିଲ୍ଲା ଅନେକ ପଞ୍ଚାୟତରେ ବହୁ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ନିକଟରେ ବିଶ୍ରା ବ୍ଲକର କେତୋଟି ପଞ୍ଚାୟତରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ଖବର ପ୍ରକାଶିତ ହେବା ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ସଜାଗ ହୋଇଥିଲେ। ପୁରୁଣା ଗଦି, ତକିଆକୁ ବଦଳାଇ ନୂଆ ପକାଇଥିଲେ। ସ୍କୁଲ ବେଞ୍ଚକୁ ବାହାର କରି ନୂଆ ବେଡ୍‌ ପକାଇଥିଲେ। ଏବେ ପୁଣି ସମାନ ଅବ୍ୟବସ୍ଥା ଦେଖିବାକୁ ମିଳିଛି ଉପାନ୍ତ ନୂଆଗାଁ ବ୍ଲକରେ। ଗୋଟିଏ କି ଦୁଇଟି ନୁହେଁ, ଏଠାକାର ପ୍ରାୟ ଅଧିକାଂଶ ପଞ୍ଚାୟତ ସଙ୍ଗରୋଧ କକ୍ଷରେ ସେ‌ହି ସମାନ ଅବ୍ୟବସ୍ଥା। ବ୍ଲକର ୨୦ଟି ପଞ୍ଚାୟତ ମଧ୍ୟରୁ ଅଦ୍ୟାବଧି କିଛି ପଞ୍ଚାୟତରେ ସଙ୍ଗରୋଧ କକ୍ଷ ଏବେ ବି ନିର୍ମାଣ କାମ ଚାଲିଛି।

ଯେଉଁ କେ‌ତୋଟି ସଙ୍ଗରୋଧ କକ୍ଷ ନିର୍ମାଣ ସରିଛି, ସେଗୁଡ଼ିକୁ ଆଦୌ ସାନିଟାଇଜ୍‌ କରାଯାଉ ନାହିଁ। ୫୦ ବେଡ୍‌ ରହିବାର ନିୟମ ଥିବା ସତ୍ବେ ୨୦ରୁ ୩୦ ବେଡ୍‌ ପକାଯାଉଛି। ଏଭଳି ଅବ୍ୟବସ୍ଥା ସଂକ୍ରାନ୍ତରେ ସ୍ଥାନୀୟ ଲୋକ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କର ଦୃ୍ଷ୍ଟି ଆକର୍ଷଣ କରିଥିଲେ। ଲୋକଙ୍କ ଅଭିଯୋଗ ଆଧାରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଏମ୍ମା ଏକ୍କା, ବିଜେଡି ନେତ୍ରୀ ସୁଶୀଲ ଟପ୍ନୋ, ହିମାଂଶୁ ପଣ୍ଡା ପ୍ରମୁଖ ବ୍ଳକର ଉର୍ମେଇ, ବଡଯୋଜଦା, କାତେପୁର, ସୋରଡା ଆଦି ପଞ୍ଚାୟତ ସଙ୍ଗରୋଧ କକ୍ଷଗୁଡ଼ିକୁ ବାସ୍ତବ ସ୍ଥିତି ପରଖିବାକୁ ଯାଇଥିଲେ। ଯାହା ଦେଖିଲେ ଚକିତ ହୋଇଯାଇଥିଲେ। ଉର୍ମେଇ ପଞ୍ଚାୟତ ସଙ୍ଗରୋଧ କକ୍ଷରେ ମାତ୍ର ୩୦ ବେଡ୍‌ ପଡିଥିଲା। କେତେକ ବେଡ୍‌ରେ ଗଦି ବି ନଥିଲା। ପାନୀୟ ଜଳ ପାଇଁ ବ୍ୟବସ୍ଥା ନଥିଲା। ସମ୍ପୃକ୍ତ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀଙ୍କୁ କାହିଁକି ଏତିକି ବେଡ୍‌ ପଡିଛି ବୋଲି ପଚାରିବାରୁ ଯନ୍ତ୍ରୀ ଜଣକ କିଛି ସନ୍ତୋଷଜନକ ଉତ୍ତର ଦେଇ ନ ପାରି ଚୁପ୍‌ ରହିଥିଲେ। ଅନ୍ୟପଟେ ବ୍ଲକର ୨୦ଟି ପଞ୍ଚାୟତରୁ ମାତ୍ର ୯ ପଞ୍ଚାୟତରେ ଖାଦ୍ୟ ଦିଆଯାଉଛି। ତାହା ପୁଣି କେଉଁଠି ରନ୍ଧା ଖାଦ୍ୟ ତ ପୁଣି କେଉଁଠି ଶୁଖିଲା ଖାଦ୍ୟ। ଅବଶିଷ୍ଟ ୧୧ଟି ପଞ୍ଚାୟତରେ ଏ ଯାଏଁ ରନ୍ଧା ଖାଦ୍ୟ ଦିଆଯାଇ ନାହିଁ। ଫଳସ୍ବରୂପ ଖଟିଖିଆ ଗରିବ ଲୋକମାନେ ଗଣ୍ଡେ ଖାଇବାକୁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ପଞ୍ଚାୟତ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ‌କିନ୍ତୁ କେହି ସେମାନଙ୍କ କଥା ଶୁଣୁ ନାହାନ୍ତି।

ସମ୍ବନ୍ଧିତ ଖବର