ଏସ୍‌ସିବିରେ ବଢ଼ିବ ୧୦୦ ଶଯ୍ୟା, ଅନ୍ୟ ଜିଲ୍ଲାର ରୋଗୀ ବି ଉପକୃତ ହେବେ: ସିଏମ୍‌ସି କମିସନର

କଟକ: ସ୍ଥାନୀୟ ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲ କଲେଜରେ ଆଗାମୀ ଦିନରେ ଆହୁରି ୧୦୦ ବେଡ ବଢ଼ିବ । ଏଥିରେ ୪୧ଟି ଆଇସିୟୁ ବେଡ ଓ ୪୦ଟି ଏଚ୍‌ଡିୟୁ ରହିବ । ଏସ୍‌ସିବିକୁ ମିଶାଇ କଟକରେ ଏବେ ୧୨ ଶହ ବେଡ, ୩୦୦ ଆଇସିୟୁ ଅଛି । କୋଭିଡ ସଂପର୍କିତ ସୂଚନା ଦେବା ଅବସରରେ କଟକ ମହାନଗର ନିଗମ (ସିଏମ୍‌ସି) କମିସନର ଅନନ୍ୟା ଦାସ ଏହା କହିଛନ୍ତି । ଏସ୍‌ସିବିରେ ବେଡ ଉପଲବ୍ଧତା ବଢ଼ିଲେ ଅନ୍ୟ ଜିଲ୍ଲାର ରୋଗୀ ମଧ୍ୟ ଉପକୃତ ହେବେ ବୋଲି ସେ ସୂଚନା ଦେଇଛନ୍ତି ।

ଶ୍ରୀମତୀ ଦାସ କହିଛନ୍ତି ଯେ, ସଂକ୍ରମିତ ମାନେ ଘରେ ରହି ଚିକିତ୍ସିତ ହୁଅନ୍ତୁ । ଜରୁରୀ ପଡ଼ିଲେ ଆମ ନମ୍ବର (କୋଭିଡ କଣ୍ଟ୍ରୋଲ ରୁମ ନଂ ୭୦୭୭୭୭୫୫୫୫୫) ସହ ଯୋଗାଯୋଗ କରନ୍ତୁ । ଟୋଲ ଫ୍ରି ନମ୍ବର ୧୮୦୦୩୪୫୮୨୮୯କୁ ଜଣାନ୍ତୁ । ଲକ୍ଷଣ ଥାଇ ଆଣ୍ଟିଜେନ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଲେ ସୂଚନା ଦିଅନ୍ତୁ । କୋଭିଡ ହସ୍‌ପିଟାଲରେ ସସପେକ୍ସ ହିସାବରେ ଭର୍ତ୍ତି କରାଯିବ । କମ ଲକ୍ଷଣ ଥିବା ବ୍ୟକ୍ତି ଗୃହ ସଂଗରୋଧରେ ଭଲ ହେଉଛନ୍ତି । ରାପିଡ ରେସପନ୍ସ ଟିମ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖୁଛି । ହୋମ ଆଇସୋଲେସନର ସୁବିଧା ନଥିଲେ କୋଭିଡ କେୟାରକୁ ଅଣାଯାଉଛି ।

କୋଭିଡ କେୟାର ସେଣ୍ଟରରେ ପର୍ଯ୍ୟାପ୍ତ ପରିମାଣରେ ବେଡ ଉପଲବ୍ଧ ଅଛି । ବର୍ତ୍ତମାନ କୋଭିଡ କେୟାର ସେଣ୍ଟରରେ ବେଡ ଆକ୍ୟୁପେନ୍ସି ୪୦ରୁ ୫୦ ପ୍ରତିଶତ । କୋଭିଡ କେୟାର ସେଣ୍ଟରରେ ଅକ୍ସିଜେନ ଉପଲବ୍ଧ ଅଛି । ଦରକାର ପଡ଼ିଲେ ଆକ୍ରାନ୍ତଙ୍କୁ କୋଭିଡ ହସ୍‌ପିଟାଲକୁ ପଠାଯାଉଛି । ଆଇସିୟୁ ବେଡ ଉପରେ ଚାପ ରହୁଛି । ଏହାକୁ ଦୂର କରିବା ପାଇଁ ଏସ୍‌ସିବିର କ୍ଷମତାକୁ ବଢ଼ାଇବାକୁ ପ୍ରୟାସ କରାଯାଉଛି । କୋଭିଡ କଣ୍ଟ୍ରୋଲ ରୁମରେ ଉତ୍ସର୍ଗୀକୃତ ଡାକ୍ତର, ନର୍ସ ଓ ଅନ୍ୟ ମେଡିକାଲ କର୍ମଚାରୀ ଅଛନ୍ତି ବୋଲି ଶ୍ରୀମତୀ ଦାସ କହିଛନ୍ତି ।
ସିଏମ୍‌ସି କମିସନର କହିଛନ୍ତି, ଏବେ କଟକ ସହରରେ ୩୬୮୫ ଜଣ ସକ୍ରିୟ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ୩୬୮୫ରୁ ୮୮ ପ୍ରତିଶତ ଆକ୍ରାନ୍ତ ଗୃହ ସଂଗରୋଧରେ ଅଛନ୍ତି । କୋଭିଡ କେୟାର ସେଣ୍ଟରରେ ୪୦ରୁ ୫୦ ପ୍ରତିଶତ ଶଯ୍ୟା ପୂର୍ଣ୍ଣ ଅଛି । ସେଥିରୁ ୧୦ ପ୍ରତିଶତ ଆକ୍ରାନ୍ତଙ୍କୁ କୋଭିଡ ହସ୍‌ପିଟାଲକୁ ସ୍ଥାନାନ୍ତରଣ କରିବାକୁ ପଡ଼ିଛି ।

ସବୁ ପରେ ଲୋକମାନେ ଲକଡାଉନ୍ ଓ କୋଭିଡ୍ ନିୟମ ପାଳନ କରନ୍ତୁ । ଲକଡାଉନ୍ ଓ ନିୟମ ପାଳନ ନକଲେ ସଂକ୍ରମଣକୁ କମାଇ ହେବ ନାହିଁ । ମାର୍କେଟରୁ ପରିବା କିଣିବାକୁ ହେଲେ ପାଖ ଦୋକାନକୁ ଯାଇ ପରିବା ଆଣନ୍ତୁ ବୋଲି ଆଜି ଅନନ୍ୟା ଦାସ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର