ଦୁର୍ଦ୍ଦଶାରେ ରାଜ୍ୟର ୧୪ ବିଏଡ୍‌ କଲେଜ

ବ୍ରହ୍ମପୁର : ରାଜ୍ୟ‌ରେ ଥିବା ୧୪ଟି ଯାକ ବିଏଡ୍‌ କଲେଜ ଅବସ୍ଥା ଏବେ ଶନିଦଶା ଭଳି ସ୍ଥିତିରେ। ଦିନକୁ ଦିନ ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ଶିକ୍ଷକ ତିଆରି କରାଖାନା ଗୁଡିକରେ ଅଧ୍ୟାପକ ସଙ୍କଟ ଚରମ ଦୁର୍ଦ୍ଦଶାରେ ପହଞ୍ଚିଛି। ୧୪ ବିଏଡ୍‌ କଲେଜ ପାଇଁ ୨୨୩ ଅଧ୍ୟାପକ, ଅଧ୍ୟାପିକା ଆବଶ୍ୟକ। ଅଛନ୍ତି ମାତ୍ର ୪୪। କେଉଁଠି ଜଣେ କେଉଁଠି ଦୁଇ ଜଣ ଶିକ୍ଷକରେ ଚାଲିଛି ପାଠପଢା। ଅନୁଷ୍ଠାନ ଗୁଡିକର ମୁରବି ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ତଥାପି ନିଘୋଡ଼ ନିଦରେ। ଦୀର୍ଘ ଦିନ ହେଲା ଉକ୍ତ ପଦବୀ ଗୁଡିକ ଖାଲି ପଡିଥିବାବେଳେ ଏହା ପୂରଣ ଦିଗରେ ପଦକ୍ଷେପ ନିଆଯାଉ ନାହିଁ।

ତଥ୍ୟ ଅନୁଯାୟୀ, ରାଜ୍ୟରେ ୧୪ଟି ବିଏଡ୍‌ କଲେଜ ମଧ୍ୟରୁ କଟକ, ବ୍ରହ୍ମପୁର ଓ ସମ୍ବଲପୁର ଠାର ବିଏଡ୍‌ କଲେଜ ଗୁଡିକରେ ଉଚ୍ଚତର ଗବେଷଣା କେନ୍ଦ୍ର ଉପଲବ୍ଧ। ବିଏଡ୍ କଲେଜ ଗୁଡିକର କାର୍ଯ୍ୟଧାରା ହେଉଛି ନୂତନ ଶିକ୍ଷକ ସୃଷ୍ଟି କରିବା ସହିତ ହାଇସ୍କୁଲ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେବା। କିନ୍ତୁ ସବୁଠି ଅଧ୍ୟାପକ, ଅଧ୍ୟପିକା ପଦ ଖାଲି ଥିବାରୁ ଏହି ଅନୁଷ୍ଠାନ ଗୁଡିକ ଲକ୍ଷ୍ୟ ଠାରୁ ଦୂରେଇ ଯାଇଛି। ଦକ୍ଷିଣ ଓଡ଼ିଶାର ଏକମାତ୍ର ପୁରାତନ ଶିକ୍ଷାନୁଷ୍ଠାନ ହେଉଛି ଦିବାକର ପଟ୍ଟନାୟକ ଉଚ୍ଚତର ଶିକ୍ଷା ଗବେଷଣା କେନ୍ଦ୍ର। ବିଏଡ୍‌, ଏମ୍‌ଏଡ୍‌ ଓ ଏମ୍‌ଫିଲ ପାଠ୍ୟକ୍ରମ ଥିବା ବେଳେ ୨୭ଜଣ ଅଧ୍ୟାପକ ଅଧ୍ୟପିକା ପଦବୀ ମଞ୍ଜୁର ହୋଇଛି। କିନ୍ତୁ ଏଠାରେ ଜଣେ ମାତ୍ର ଅଧ୍ୟାପକ ଦାୟିତ୍ବରେ। ସେହିପରି ସମ୍ବଲପୁରସ୍ଥିତ ପର୍ଶୁରାମ ମିଶ୍ର ଶିକ୍ଷା ମହାବିଦ୍ୟାଳୟ ଓ କଟକ ସ୍ଥିତ ରାଧାନାଥ ଶିକ୍ଷା ମହାବିଦ୍ୟାଳୟ ଅଗ୍ରଗାମୀ ଶିକ୍ଷାନୁଷ୍ଠାନ ମାନ୍ୟତା ପାଇଥିଲେ ହେଁ ଏହାର ସ୍ଥିତି ମଧ୍ୟ ତଦ୍ରୂପ। ପର୍ଶୁରାମ ମିଶ୍ର ଶିକ୍ଷା ମହାବିଦ୍ୟାଳୟରେ ୨୭ ଅଧ୍ୟାପକ, ଅଧ୍ୟପିକା ପଦବୀରୁ ୨୨ଟି ଖାଲି ପଡିଛି। ସେହିପରି ରାଧାନାଥ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ୨୭ଟି ପଦବୀ ରୁ ୨୦ଟି ଖାଲି ପଡିଛି। ଭୁବନେଶ୍ବରସ୍ଥିତ ଏନଡିଡବ୍ଲୁ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ୨୧ରୁ ୧୦, ଅନୁଗୋଳ ସ୍ଥିତ ଏନ୍‌କେସି ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟର ୧୯ରୁ ୧୫ଟି, ବାରିପଦା ସ୍ଥିତ ୟୁଜି ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ରେ ୬ ରୁ ୩ଟି ଓ ବାଲେଶ୍ବର ସ୍ଥିତ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ୧୮ ରୁ ୧୬ଟି ପଦବୀ ଖାଲି ପଡିଛି। ସେହିପରି ରାଉରକେଲା ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ୬ଟି ପଦବୀରୁ ୫ଟି, ବଲାଙ୍ଗୀର ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ୧୮ରୁ ୧୭ଟି, ଭବନୀପାଟଣା ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ୬ ରୁ ୪ଟି, କୋରାପୁଟ ଡିଭିସି ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ୧୭ରୁ ୧୬ଟି ଅଧ୍ୟାପକଅଧ୍ୟାପିକା ପଦବୀ ଖାଲି ପଡିଛି। ସରକାର ପ୍ରଶିକ୍ଷଣ ମହାବିଦ୍ୟାଳୟରେ ୮ ରୁ ୬ଟି, କେନ୍ଦୁଝର ଫକୀରପୁର ଶକ୍ଷିକ ପ୍ରଶିକ୍ଷଣ ମହାବିଦ୍ୟାଳୟରେ ୬ରୁ ୨ ପଦବୀ ଖାଲି ପଡିଛି।

ରାଜ୍ୟ ସରକାରଙ୍କ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ (ଏସ୍‌ସିଇଆରଟି) ପକ୍ଷରୁ ଖାଲି ପଦବୀ ଗୁଡିକ ପୁରଣ ଦିଗରେ ପଦକ୍ଷେପ ନିଆଯାଉନାହିଁ। ତେବେ, ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏସ୍‌ସିଇଆର୍‌ଟିର ନିର୍ଦ୍ଦେଶକ ଗଙ୍ଗାଧର ସାହୁ। ସେ କହିଛନ୍ତି ଯେ, ଖାଲି ପଡ଼ିଥିବା ପଦବୀ ପୂରଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ସେଥିମଧ୍ୟରୁ ଷ୍ଟାଫ୍‌ ସିଲେକ୍‌ସନ ବୋର୍ଡ ମାଧ୍ୟମରେ ୬୨ ଟି ପଦବୀ ପୂରଣ ହେବ। ଆଗାମୀ ୩ ମାସ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବ ବୋଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର