ରାୟଗଡ଼ା: ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଜିଲ୍ଲାରେ ଏକ ପାଠାଗାର ରହିଛି। ଏହି ପାଠାଗାର ରାୟଗଡ଼ା ଜିଲ୍ଲାର କେଉଁ ସ୍ଥାନରେ ରହିଛି କେହି ଜାଣନ୍ତି ନାହିଁ। ଏକ ସରକାରୀ କ୍ବାଟରରେ ଅତି ଦୟନୀୟ ଅବସ୍ଥାରେ ଜିଲ୍ଲା ପାଠାଗାର ରହିଛି। ସ୍ଥାନୀୟ ଏଲଆଇସି କଲୋନିରେ ଏହି ପାଠାଗାର ରହିଥିବା ବେଳେ ଲୋକେ ପାଠାଗାର ପ୍ରତି ଆକୃଷ୍ଟ ହେଉନଥିବା ଦେଖିବାକୁ ମିଳିଛି। ପୁଣି ପାଠାଗାର କେତେବେଳେ ଖୋଲୁଛି ଏବଂ କେତେବେଳେ ବନ୍ଦ ହେଉଛି କେହି ଜାଣନ୍ତି ନାହିଁ। କିନ୍ତୁ ବିଭାଗ ପକ୍ଷରୁ ସକାଳ ଏବଂ ଅପରାହ୍ନରେ ଖୋଲୁଥିବା କୁହାଯାଉଛି। ପାଠାଗାର ନିକଟରେ ସେଭଳି କୌଣସି ଖୋଲିବା ସମୟ ଓ ବନ୍ଦ ହେବା ସମୟ ଉଲ୍ଲେଖ କରାଯାଇ ନାହିଁ।ତେଣୁ ପାଠକମାନେ ପାଠାଗାରକୁ ଆସିବାକୁ ଇଛା ପ୍ରକଟ କରୁନାହାନ୍ତି।
ପ୍ରକାଶଥାଉକି ଏହି ପାଠାଗାରଟି ଗତ ୧୯୭୯ ମସିହାରେ ସ୍ଥାପିତ ହୋଇଥିଲା। ପୁରୁଣା ରାୟଗଡ଼ାର ମୁଖ୍ୟ ଚିକିତ୍ସାଳୟ ସାମ୍ନାରେ ଥିବା ପୌର ପରିଷଦର ଏକ ମାର୍କେଟିଂ କମ୍ପ୍ଲେକ୍ସରେ ରହିଥିଲା। ତାହା ଭଙ୍ଗା ଦଦରା ହେବା ପରେ ଏବେ ସେଠାରୁ ପାଠାଗାରକୁ ହଟାଇ ଏଲଆଇସି କଲୋନିର କ୍ବାଟରରେ କରାଯାଇଛି। ପାଠାଗାରରେ ଦୀର୍ଘବର୍ଷ ହେଲା କୌଣସି ବହି ସରକାରଙ୍କ ତରଫରୁ ମିଳିନାହିଁ। କେବଳ ୨୦୧୬ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀର ରାଜା ରାମ ମୋହନ ରାୟ ସାଂସ୍କୃତିକକ ବିଭାଗ ପକ୍ଷରୁ ବହି ପ୍ରଦାନ କରାଯାଇଥିଲା।ତାହା ମଧ୍ୟ ଗଳ୍ପ, ନାଟକ, ଇତିହାସ, ଧର୍ମ, ଦର୍ଶନ, ଉପନ୍ୟାସ। ଉଚ୍ଚ ଶିକ୍ଷା ପାଇଁ ଇଛା କରୁଥିବା ଛାତ୍ରଛାତ୍ରୀ ଏହି ପାଠାଗାରରେ ସେଭଳି କୌଣସି ବହି ପାଇପାରିବେ ନାହିଁ। ଏଠାରେ ଉପଯୁକ୍ତ ପରିବେଶ ନଥିବାରୁ ପାଠକ କିମ୍ବା ଛାତ୍ରଛାତ୍ରୀ ଆସୁନାହାନ୍ତି।
ପାଠାଗାରରେ ବହି ରଖିବାପାଇଁ ସେଭଳି କୌଣସି ବ୍ୟବସ୍ଥା ନଥିବାରୁ ବହିଗୁଡ଼ିକ ନଷ୍ଟ ହେବାକୁ ବସିଲାଣି। କେବଳ ପୁରୁଣା ବହି କିଛି ରହିଥିବାରୁ ସେତିକିରେ ପାଠାଗାର ଚାଲିଛି। ସରକାରଙ୍କ ତରଫରୁ ଲାଇବ୍ରେରି ଏବଂ ଇ-ଲାଇବ୍ରେରି ପାଇଁ ଲକ୍ଷାଧିକ ଟଂକା ଖର୍ଚ୍ଚ କରୁଛନ୍ତି। କିନ୍ତୁ ରାୟଗଡ଼ା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ରହିଥିବା ପୁରୁଣା ପାଠାଗାରକୁ ନା ସଜଡା ଯାଉଛି ନା ପାଠକଙ୍କ ପାଇଁ ନୂଆ ନୂଆ ବହି ଖରିଦ କରାଯାଉଛି। କେବଳ ନାମକୁ ମାତ୍ର ଜଣେ ଲାଇବ୍ରେରିୟାନ ରହିଛନ୍ତି। ପ୍ରତିଦିନ ସକାଳେ ଏବଂ ସଂଧ୍ୟାରେ ପାଠାଗାର ଖୋଲିଦେଉଛୁ। ଯାହା ବହି ଅଛି ତାକୁ ଲୋକଙ୍କୁ ଦେଉଛୁ। ନୂଆ ବହି କେଉଁଠୁ ଆଣିବୁ ବୋଲି ବିଭାଗ ପାଲଟା ଉତ୍ତର ଦେଉଛି। ବିଶେଷକରି ଗରିବ ପିଲାମାନେ ପାଠାଗାରକୁ ଆସି ବିଭିନ୍ନ ଧନ୍ଦାମୂଳକ ପରୀକ୍ଷା ପୁସ୍ତକ କିମ୍ବା ପାଠ୍ୟପୁସ୍ତକ ବହି ପଢିବାକୁ ଆସୁଥିବା ବେଳେ ସେଗୁଡିକ ଏଠାରେ ଉପଲବ୍ଧ ହେଉନଥିବାରୁ ଖାଲି ହାତରେ ଫେରୁଛନ୍ତି, ଯାହାଫଳରେ ପାଠାଗାର ପ୍ରତି ଲୋକଙ୍କର ଆସିବା କମୁଛି। ସ୍ଥାନୀୟ ବୁଦ୍ଧିଜୀବୀଙ୍କ କହିବା ଅନୁୟାୟୀ ପାଠାଗାରକୁ ନୂଆ ନୂଆ ମେଗାଜିନ, ପାଠ୍ୟପୁସ୍ତକ, ଧନ୍ଦାମୂଳକ କିମ୍ବା କମ୍ପେଟେଟିଭ ପରୀକ୍ଷାର ବହି ଆସିଲେ ପୁଣି ପାଠାଗାର ହସିବ।ବହୁ ମେଧାବୀ ଛାତ୍ରଛାତ୍ରୀ ଏଥିରୁ ଉପକୃତ ହୋଇପାରନ୍ତେ ବୋଲି କୁହାଯାଇଛି। ପ୍ରଶାସନ ଏବଂ ସରକାରଙ୍କର ଦୃଷ୍ଟି ପଡିଲେ ପୁଣି ପାଠାଗାରକୁ ପାଠକ ଆସିବେ ସାଧାରଣରେ ଆଲୋଚନା ହେଉଛି।