ଜୟପୁର: ପ୍ରଥମେ କୋରାପୁଟ ଡିଏଭି ବିଏଡ୍ କଲେଜରେ ବିଏଡ୍ ଶିକ୍ଷାଦାନ ବନ୍ଦ ହୋଇଗଲା। ଏବେ ବିକ୍ରମ ଦେବ ବିଶ୍ବବିଦ୍ୟାଳୟରେ ଚାଳିଥିବା ସେଲ୍ପ ଫାଇନାନ୍ସିଂ ବିଏଡ୍ ବି ବନ୍ଦ ହୋଇଯାଇଛି। ଏଠାରେ ଆରମ୍ଭ ହେବାକୁ ଥିବା ଇଣ୍ଟିଗ୍ରେଟଡ୍ ବିଏଡ୍ ବି ଏ ପର୍ଯ୍ୟନ୍ତ ଆରମ୍ଭ ହୋଇ ପାରିନି। ଅପରପକ୍ଷରେ ଅବିଭକ୍ତ କୋରାପୁଟ ଜିଲ୍ଲାର ନବରଙ୍ଗପୁର ଓ ମାଲକାନଗିରୀରେ ଖୋଲିବାକୁ ବିଏଡ୍ ଡିଗ୍ରୀ କଲେଜ କୋଠା ନିର୍ମାଣ କରାଯାଇଥିଲେ ହେଁ ତାହା ବି କାର୍ଯ୍ୟକାରୀ ହୋଇପାରିନି। ଏହି ସ୍ଥିତିରେ ଚଳିତ ଏହି ଶିକ୍ଷା ବର୍ଷ ଅବିଭକ୍ତ କୋରାପୁଟ ଜିଲ୍ଲାର ପିଲା ମାନେ ବିଏଡ୍ ପାଠ୍ୟକ୍ରମରେ ନାମ ଲେଖାରୁ ବଂଚିତ ହେବା ଏକରକମର ସୁନିଶ୍ଚିତ।
ସୂଚନା ଅନୁଯାୟୀ, ୨୦୧୮-୧୯ଶିକ୍ଷାବର୍ଷରେ ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟ ଥିବା ସମୟରେ ନ୍ୟାସନାଲ କାଉନସିଲ ଅଫ୍ ଟିଚର ଏଜୁକେସନ୍ (ଏନ୍ ସିଟିଇ)ର ଅନୁମୋଦନରେ ସେଲ୍ପ ଫାଇନାନ୍ସିଂ ବିଷୟ କ୍ରମରେ ୫୦ଟି ସିଟକୁ ନେଇ ବିଏଡ୍ ଆରମ୍ଭ ହୋଇଥିଲା। ୨୦୨୦ଶିକ୍ଷାବର୍ଷରେ ଏନସିଟିଇ ପକ୍ଷରୁ ମହାବିଦ୍ୟାଳୟକୁ ଏକ କାରଣଦର୍ଶାଅ ନୋଟିସ ଜାରୀ କରାଯାଇଥିଲା। ୨୦୧୭ମାର୍ଗଦର୍ଶିକା ଅନୁଯାୟୀ, ଅଧ୍ୟାପକ ନିଯୁକ୍ତି ଦିଆଯାଇଛି ନା ନାହିଁ, କେତେ ଜଣ ଅଧ୍ୟାପକ ଓ କର୍ମଚାରୀ ଆଦି ରହିଛନ୍ତି, ଅନୁସଙ୍ଗିକ ଭିତ୍ତିଭୂମି ସବୁ କଣ କଣ ରହିଛି ଆଦିର ସଂପୁର୍ଣ୍ଣ ବିବରଣୀ ଦାଖଲ କରିବାକୁ କୁହାଯାଇଥିଲା। ବିଳମ୍ବରେ ଉତ୍ତର ଦାଖଲ କରାଯାଇଥିବା ବେଳେ ଅନଲାଇନରେ କରାଯିବାକୁ କୁହାଯାଇଥିବା ବେଳେ ଅଫଲାଇନରେ ଏହାକୁ ପଠାଯାଇଥିଲା। ପରବର୍ତ୍ତୀ ସମୟରେ ପୁଣି ଏନସିଟିଇ ଆଉ ଗୋଟିଏ କାରଣଦର୍ଶାଅ ନୋଟିସ ଜାରୀ କରିବାରେ ଏହାର ସଠିକ ଉତ୍ତର ଦେବା ବଦଳରେ ପୁରୁଣା ଫର୍ମାଟକୁ ପଠାଇ ଦିଆଯାଇଥିଲା।
ତେବେ ଏଥିରେ ଏନସିଟିଇ କୌଣସି ସକରାତ୍ମକ ଓ ନକରାତ୍ମକ ମନ୍ତବ୍ୟ ଦେଇ ନଥିଲେ।ପରବର୍ତ୍ତୀ ସମୟରେ ପୁଣି ଚିଠି ଦେବା ପରେ ବି ମହାବିଦ୍ୟାଳୟରୁ କିଛି ଉତ୍ତର ଏନସିଟିଇକୁ ଯାଇ ନଥିଲା। ଏଭଳି ସ୍ଥିତିରେ ଏନସିଟିଇ ଏହି ବର୍ଷର ନାମଲେଖା ପ୍ରକ୍ରିୟା ବନ୍ଦ କରିବାକୁ ବିକ୍ରମଦେବ ବିଶ୍ବବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଛି। ଏହାରି ମଧ୍ୟରେ ବିଶ୍ବବିଦ୍ୟାଳୟ ପକ୍ଷରୁ ପୁନଃ ଅନୁରୋଧ କରି ଆବେଦନପତ୍ର ଦାଖଲ କରି ଅବିଭକ୍ତ କୋରାପୁଟ ଜିଲ୍ଲାର ଅନୂସୂଚିତ ଜାତିଓ ଜନଜାତି, ପଛୁଆ, ଗରିବ ଶ୍ରେଣୀର ପିଲା ମାନେ ପଢ଼ୁଥିବାରୁ ପୁର୍ନବିଚାର କରିବାକୁ ଅନୁରୋଧ କରିଛନ୍ତି। ଏବଂ ଧାର୍ଯ୍ୟ ଶୁଳ୍କ ବି ଦାଖଲ କରିଛନ୍ତି। ଆସନ୍ତା ୧୭ତାରିଖ ଦିନ ଏହି ଅନୁରୋଧପତ୍ରର ଶୁଣାଣୀ ଏନସିଟିଇ କରିବ। ଅପରପକ୍ଷରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଠାରେ ୪ଚାରି ବର୍ଷର ଇଣ୍ଟିଗ୍ରେଟଡ୍ ବିଏଡ୍ ଆରମ୍ଭ କରିବାକୁ ଅନୁମତିଦେଇଥିଲେ। କଳାରେ ୫୦ଜଣ ଓ ବିଞାନରେ ୫୦ଜଣ। ଯୁକ୍ତ ୨ ପଢ଼ିବା ପରେ ପିଲାମାନେ ଏହି ୪ବର୍ଷିଆ ଇଣ୍ଟିଗ୍ରେଟଡ୍ ବିଏଡରେ ପଢ଼ିପାରିଥାନ୍ତେ।
ଏହି କ୍ରମରେ ୪ବର୍ଷ ପାଇଁ କଳାରେ ୨୦୦ ଓ ବିଞାନରେ ୨୦୦ପିଲା ପଢ଼ିପାରିଥାନ୍ତେ। ତେବେ ଏହି ଅନୁମତିପତ୍ରକୁ ପୁରୁଣା କଲେଜର କର୍ତ୍ତୃପକ୍ଷ ଭଲ ଭାବେ ନ ଦେଖି ଦଳି ମକଚି ପୋପାଡ଼ି ଦେଲେ। ଫଳ ସ୍ବରୁପ ଇଣ୍ଟିଗ୍ରେଟଡ୍ ଏଠାରେ ଆଉ ଆରମ୍ଭ ହୋଇ ପାରିନଥିଲା। ତେବେ ସେଲ୍ପ ଫାଇନାନସିଂରେ ୪୫ହଜାର ଟଙ୍କା ଫି ଦେଇ ପିଲା ମାନେ ଫଢ଼ୁଥିଲେ। ପୂର୍ବରୁ ୩ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା। ତେବେ ସ୍ବତନ୍ତ୍ର ଭାବେ ବିଏଡ୍ ପାଇଁ ଏହାରି ମଧ୍ୟରେ ରାଜ୍ୟସରକାର ଜଣେ ସହକାରୀ ପ୍ରାଧ୍ୟପକଙ୍କୁ ନିଯୁକ୍ତି ବି ଦେଇଛନ୍ତି। ତେବେ ଏହି ସମୟରେ ବିଏଡ୍ ପାଠ୍ୟକ୍ରମର ନାମଲେଖା ଏବର୍ଷ ବିଶ୍ବବିଦ୍ୟାଳୟରେ ହୋଇପାରିନି। ଅପରପକ୍ଷରେ ଏହି ସ୍ଥିତି ଲାଗି ରହିଥିବା ବେଳେ ବିଭିନ୍ନ ରାଜ୍ୟର ଘରୋଇ ବିଏଡ୍ କଲେଜ ଗୁଡିକର ମଧ୍ୟସ୍ଥ ଓଦଲାଲ ମାନେ ସକ୍ରିୟ ହୋଇ ପିଲାଙ୍କୁ ସେମାନଙ୍କୁ ଅନୁଷ୍ଠାନରେ ଆଡମିସନ ପାଇଁ ମତାଉଥିବା ଦେଖିବାକୁ ମିଳିଛି। ରାଜ୍ୟସରକାର ଓରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଏଦିଗରେ ତୁରନ୍ତ ହସ୍ତକ୍ଷେପ କଲେ ଅବିଭକ୍ତ କୋରାପୁଟଜିଲ୍ଲାର ପିଲା ମାନେ ଉପକୃତ ହୋଇ ପାରନ୍ତେ।