ଭୁବନେଶ୍ବର : ୨୦୨୩-୨୪ ଶିକ୍ଷାବର୍ଷରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟଗୁଡ଼ିକର ବିଏଡ୍, ବିଏଚ୍ଏଡ୍ ଓ ଏମ୍ଏଡ୍ ପାଠ୍ୟକ୍ରମରେ ନାମଲେଖା ଲାଗି ଜୁନ୍ ୧୦ ଓ ୧୧ ତାରିଖରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ମେ’ ୪ ତାରିଖ ଅପରାହ୍ନ ୨ଟାରୁ ଅନ୍ଲାଇନ୍ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ମେ’ ୧୪ରେ ଶେଷ ହେବ। ଆଗ୍ରହୀ ଛାତ୍ରଛାତ୍ରୀ ସାମ୍ସ ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ମେ’ ୧୮ ସୁଦ୍ଧା ଓକାକ୍ ପକ୍ଷରୁ ପରୀକ୍ଷା ପରିଚାଳନା କରୁ୍ଥିବା ଏସ୍ଏସ୍ବିକୁ ସମସ୍ତ କମନ୍ ଆପ୍ଲିକେସନ ଫର୍ମ(ସିଏଏଫ୍) ପ୍ରଦାନ କରାଯିବ।
ଜୁନ୍ ୧ରୁ ୧୧ ତାରିଖ ମଧ୍ୟରେ ଏସ୍ଏସ୍ବି ୱେବସାଇଟ୍ରେ ହଲ୍ ଟିକେଟ୍ ଉପଲବ୍ଧ ହେବ। ଏମ୍ଏଡ୍ ପାଠ୍ୟକ୍ରମ ଲାଗି ଜୁନ୍ ୧୦ରେ ଏବଂ ବିଏଡ୍ ଓ ବିଏଚ୍ଏଡ୍ ପାଠ୍ୟକ୍ରମ ପାଇଁ ଜୁନ୍ ୧୧ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଜୁଲାଇ ୮ରୁ ୧୬ ତାରିଖ ମଧ୍ୟରେ ଆବେଦନକାରୀ ପ୍ରାର୍ଥୀମାନେ ସ୍ନାତକ ତଥା ସମତୁଲ ପାଠ୍ୟକ୍ରମ ମାର୍କକୁ ଅପ୍ଡେଟେସନ୍ କରିବେ। ଏସ୍ଏସ୍ବି ପକ୍ଷରୁ ଜୁଲାଇ ୧୫ ସୁଦ୍ଧା ଓକାକ୍କୁ ପ୍ରବେଶିକା ପରୀକ୍ଷା ମାର୍କ ପ୍ରଦାନ କରାଯିବ। ଯେଉଁ ସ୍ନାତକ ଛାତ୍ରଛାତ୍ରୀ ପରୀକ୍ଷା ଫଳ ଅପେକ୍ଷାରେ ରହିଛନ୍ତି ସେମାନେ ବି ଆବେଦନ କରିପାରିବେ। ମାତ୍ର ସେମାନଙ୍କୁ ଧାର୍ଯ୍ୟ ସମୟ ମଧ୍ୟରେ ମାର୍କ ଅପଲୋଡ୍ କରିବାକୁ ପଡ଼ିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।