କଟକ ଜିଲ୍ଲାରେ ଖଟିଆ କିଣାରେ ଦୁର୍ନୀତିର ଗନ୍ଧ! କରୋନା ମୁକାବିଲାରେ ଅବ୍ୟବସ୍ଥା ଅଭିଯୋଗ ବଢିଲା, ଅଭିଯୋଗ କରି ଚିଠି ଲେଖିଲେ ବିଜେପି ନେତା ଶାରଦା ପ୍ରଧାନ

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ପ୍ରତି ପଞ୍ଚାୟତରେ ସଙ୍ଗରୋଧ ଗୃହ ପ୍ରସ୍ତୁତ କରାଯାଉଛି। ସେଠାରେ କି କି ସୁବିଧା ଉପଲବ୍ଧ ହେବ, ସେଥି ପାଇଁ ସରକାର ଆବଶ୍ୟକ ଗାଇଡ୍‌ଲାଇନ୍ ମଧ୍ୟ ଜାରି କରିଛନ୍ତି। ମାହାଙ୍ଗା ନିର୍ବାଚନମଣ୍ଡଳୀର ନିଶ୍ଚିତକୋଇଲି ବ୍ଲକ୍‌ରେ ସଂଗରୋଧ ଗୃହ ପ୍ରସ୍ତୁତିରେ ବ୍ୟାପକ ଅବ୍ୟବସ୍ଥା ଓ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ମାହାଙ୍ଗା ବିକାଶ ପରିଷଦ ଅଧ୍ୟକ୍ଷ ତଥା ବିଜେପି ନେତା ଶାରଦା ପ୍ରଧାନ। ଏ ନେଇ ସେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ କମିସନର୍‌ଙ୍କୁ ଚିଠି ଲେଖିଛନ୍ତି।

ଶ୍ରୀ ପ୍ରଧାନ ଦର୍ଶାଇଛନ୍ତି, କରୋନା ମୁକାବିଲା ପାଇଁ ରାଜ୍ୟରେ ୬,୭୯୮ ଗ୍ରାମ ପଞ୍ଚାୟତରେ ୧୨,୪୬୧ ସଙ୍ଗରୋଧ ଗୃହରେ ସମସ୍ତ ସୁବିଧା କରାଯାଇ ୪ ଲକ୍ଷ ୮୭ ହଜାର ୪୦୭ଟି ବେଡ୍ ରଖାଯାଇଛି। ଗତ ୪ ତାରିଖ‌େର ପଞ୍ଚାୟତିରାଜ ମନ୍ତ୍ରୀ ନିଜ ନିର୍ବାଚନମଣ୍ଡଳୀ‌େର କରୋନା ନିୟନ୍ତ୍ରଣର ସମୀକ୍ଷା କରି କହିଲେ ଯେ ନିଶ୍ଚିତକୋଇଲି ବ୍ଲକରେ  ୪୧ ଗ୍ରାମପଞ୍ଚାୟତରେ ୯୪ଟି ସଂଗରୋଧ ଗୃହ କରାଯାଇ ସମସ୍ତ ପ୍ରକାରର ସୁବିଧା କରାଯାଇଛି। କିନ୍ତୁ ବାସ୍ତବରେ ମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ସଙ୍ଗରୋଧ ଗୃହ ପ୍ରସ୍ତୁତି ହୋଇ ନାହିଁ। ନିଶ୍ଚିତକୋଇଲି ବ୍ଲକ୍‌ର ୪୧ଟି ଗ୍ରାମ ପଞ୍ଚାୟତରୁ ୨୦ଟି ପଞ୍ଚାୟତରେ କରୋନା ମୁକାବିଲା ପାଇଁ ସଙ୍ଗରୋଧ ଗୃହ ପ୍ରସ୍ତୁତିରେ ପ୍ରଶାସନ ଫେଲ୍ ମାରିଛି। ବାରୋଡେ, ଫୁଗଳ ଗ୍ରାମ ପଞ୍ଚାୟତରେ ସଙ୍ଗରୋଧ ଗୃହ ପ୍ରସ୍ତୁତି ହୋଇ ନ ଥିବା ବେଳେ ଏହି ପଞ୍ଚାୟତକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ଜିଗନୀପୁର ପଞ୍ଚାୟତରେ ରଖାଯାଇଛି।

ଶ୍ରୀ ପ୍ରଧାନ ଆହୁରି ଅଭିଯୋଗ କରିଛନ୍ତି, ସ୍ବତନ୍ତ୍ର ରିଲିଫ କମିସନର୍‌ଙ୍କ ନିର୍ଦ୍ଦେଶ ଅନୁଯାୟୀ ସଙ୍ଗରୋଧ ଗୃହ ପାଇଁ ଆବଶ୍ୟକ ପଡ଼ୁଥିବା ଉପକରଣ ନିମନ୍ତେ ଏକ ନିର୍ଦ୍ଦିଷ୍ଟ ମୂଲ୍ୟ ସ୍ଥିର କରାଯିବ। କଟକ ଜିଲ୍ଲାରେ ପ୍ରଶାସନ ସଙ୍ଗରୋଧ ଗୃହ ପାଇଁ କିଣୁଥିବା ଉପକରଣରେ ଦୁର୍ନୀତି ହୋଇଛି। ପାନିଆ, ବ୍ରସ, ଜିଭ ଛେଲା ପାଇଁ କଟକ ଜିଲ୍ଲା ପ୍ରଶାସନ ମୂଲ୍ୟ ନିର୍ଦ୍ଧାରଣ କରିଥିବା ବେଳେ ଖଟିଆ କିଣିବା ପାଇଁ କାହିଁକି ମୂଲ୍ୟ ନିର୍ଦ୍ଧାରଣ କଲେ ନାହିଁ ? ଯାହା ଫଳରେ ଖଟିଆର ମୂଲ୍ୟ ଠାରୁ ଢେର୍‌ ଅଧିକ ମୂଲ୍ୟରେ ରସିଦ୍ କରାଯାଇ ଅର୍ଥ ଆତ୍ମସାତ କରାଯାଉଛି । ପାଖାପାଖି ୨୫ ହଜାର ଖଟିଆ କିଣା ଯାଇ ବ୍ୟାପକ ଦୁର୍ନୀତି କରାଯାଇଛି। ଖଟିଆର ମୂଲ୍ୟ ନିର୍ଦ୍ଧାରଣ ନ କରି ଜଣେ ବ୍ୟକ୍ତିଙ୍କୁ ସଙ୍ଗରୋଧ ଗୃହକୁ ୨୫ ହଜାର ଖଟିଆ ଦେବା ପାଇଁ ପ୍ରଶାସନ କିପରି ବିନା ଟେଣ୍ଡରରେ ଦେଇଦେଲେ ? ଖୋଦ୍ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଓ ନିଜ ଜିଲ୍ଲାରେ ଏହି  ଦୁର୍ନୀତି ହୋଇଛି। ଏହା ପଛରେ ମନ୍ତ୍ରୀଙ୍କ ହାତ ଅଛି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି। କରୋନା ପରି ସଙ୍ଗୀନ୍ ସ୍ଥିତିରେ ଯେଉଁମାନେ ସରକାରଙ୍କ ତହବିଲ୍‌ରୁ ସଙ୍ଗରୋଧ ଗୃହ ପାଇଁ ଚଢ଼ା ଦରରେ ଉପକରଣ କିଣି ଅର୍ଥ ଆତ୍ମସାତ କରିଛନ୍ତି, ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର