ବୁର୍ଲା କୋଭିଡ୍ ହସ୍ପିଟାଲରେ ଶଯ୍ୟା ଅଭାବ; ଶଯ୍ୟା ସଂଖ୍ୟା ୧୨୦, ଭର୍ତ୍ତି ହୋଇଛନ୍ତି ୧୬୦ ରୋଗୀ

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ କରୋନା ସଂକ୍ରାମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ପଟେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଚିକିତ୍ସା ପାଇଁ ଶଯ୍ୟା, ଔଷଧ ଅଭାବ ଏବେ ବଡ଼ ଜଟିଳ ପରିସ୍ଥିତି ସୃଷ୍ଟି କରିଛି। ପଶ୍ଚିମ ଓଡ଼ିଶାର ସ୍ବାସ୍ଥ୍ୟସେବାର ଜୀବନ ରେଖା କହାଯାଉଥିବା ଭିମ୍‌ସାର କୋଭିଡ୍ ଡାକ୍ତରଖାନାରେ ଶଯ୍ୟା ସଂଖ୍ୟାଠାରୁ ଅଧିକ ୪୦ ଜଣ ରୋଗ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଏଭଳି ସ୍ଥଳେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁନଥିବା କହାଯାଉଛି। ଚିକିତ୍ସା ଅବହେଳା ଅଭିଯୋଗ କରି ରୋଗୀ ସଂପର୍କୀୟ ମଧ୍ୟରେ ଉତ୍ତେଜନା ଦେଖାଦେଉଛି।

ପ୍ରାପ୍ତ ସୂଚନା ଅନୁସାରେ, ରାଜ୍ୟର ଅନ୍ୟ ଅଂଚଳ ତୁଳନାରେ ପଶ୍ଚିମ ଓଡ଼ିଶାରେ କରୋନା ଆକ୍ରାନ୍ତ ସ୍ଥିତି ଚିନ୍ତାଜନକ ରହିଛି। ‌ଗତକାଲି ପରୀକ୍ଷା ହୋଇଥିବା ନମୁନାରୁ କେବଳ ପଶ୍ଚିମ ଓଡ଼ିଶାର ୧୫୧୯ ଜଣ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏଥିରୁ ବରଗଡ଼ ଜିଲ୍ଲାରୁ ୧୫୬ ଜଣ, ବଲାଂଗୀରରୁ ୯୨ ଜଣ, ବୌଦ୍ଧରୁ ୭ ଜଣ, ଦେବଗଡ଼ରୁ ୨୧ ଜଣ, କଳାହାଣ୍ଡିରୁ ୫୩ ଜଣ, ଝାରସୁଗୁଡ଼ାରୁ ୧୧୯ ଜଣ, ସମ୍ବଲପୁରରୁ ୧୪୯ ଜଣ, ‌‌ସୋନପୁରରୁ ୪ଜଣ, ସୁ୍ନ୍ଦରଗଡ଼ ୫୨୩ରୁ ଜଣ ଏବଂ ନୂଆପଡ଼ା ଜିଲ୍ଲାରୁ ୩୯୫ ଜଣ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭିମ୍‌ସାର କୋଭିଡ୍ ହସ୍ପିଟାଲ ଉପରେ ଏବେ ପଶ୍ଚିମ ଓଡ଼ିଶାର ସବୁ ଅଂଚଳର ରୋଗୀ ନିର୍ଭର କରୁଛନ୍ତି। ଏହି ହସ୍ପିଟାଲରେ ସର୍ବମୋଟ ୧୨୦ଟି ଶଯ୍ୟା ରହିଥିବା ବେଳେ ଏଥିରୁ ୨୦ଟି ଶଯ୍ୟା ଆଇସିୟୁରେ ରହିଛି। ବର୍ତ୍ତମାନ ଏଠାରେ ୧୪୦ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ସ୍ଥିତି ଏମିତି ହୋଇଛି ଯେ, ଏଠାରେ ଯେଉଁଠି ଟିକିଏ ଫାଙ୍କା ଜାଗା ଦେଖାଯାଉଛି, ସେଠାରେ ଶଯ୍ୟାଟିଏ ପକାଇ ରୋଗୀ ଚିକିତ୍ସା କରାଯାଉଛି। ଏପଟେ ଉପଯୁକ୍ତ ଚିକିତ୍ସା ମିଳୁନଥିବା ନେଇ ଅଭିଯୋଗ ହୋଇଆସୁଛି। ଶନିବାର ଅବହେଳା ଅଭିଯୋଗ କରି ରୋଗୀଙ୍କ ପରିଜନମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ।

ଅପରପକ୍ଷରେ ସମ୍ବଲପୁର ମହାନଗର ଅଂଚଳରେ ଆହୁରି ଦୁଇଟି ଘରୋଇ ଡାକ୍ତରଖାନା ସମଲେଶ୍ବରୀ ନର୍ସିଂହୋମ୍‌ ଏବଂ ଆରୋଗ୍ୟମରେ ରୋଗୀ ଚିକିତ୍ସା କରାଯାଉଥିବା ବେଳେ ସେଠାରେ ବି ଶଯ୍ୟା ଅଭାବ ପରିଲକ୍ଷିତ ହୋଇଛି। ଆରୋଗ୍ୟମରେ ୪୦ ଶଯ୍ୟା ପାଇଁ ଅନୁମତି ରହିଥିବା ବେଳେ ଆଜି ୪୧ଜଣ ରୋଗୀ ଚିକିତ୍ସିତ ହେଉଥିଲେ। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଏଠାରେ ଶଯ୍ୟା ଖାଲି ହେବାର ସମ୍ଭାବନା ମଧ୍ୟ କ୍ଷୀଣ। ଏଭଳି ସ୍ଥିତିରେ ବହୁ ରୋଗୀ ଘରେ ରହି ଚିକିତ୍ସିତ ହେବାକୁ ବାଧ୍ୟ ହେଉଛନ୍ତି। ତେବେ, କରୋନା ପାଇଁ ଜରୁରୀ ଔଷଧ ସମ୍ବଲପୁର ବଜାରରେ ଉପଲବ୍‌ଧ ନାହିଁ। ଏପଟେ ଦରକାର ମୁତାବକ ଅକ୍ସିଜେନ ସିଲେଣ୍ଡର ମଧ୍ୟ ମିଳିପାରୁ ନାହିଁ। ସମ୍ବଲପୁର ସହରରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ରୋଗୀମାନଙ୍କୁ ଡାକ୍ତରଖାନା ପକ୍ଷରୁ ଫୋନ୍ ଯୋଗ ଡାକ୍ତରୀ ପରମର୍ଶ ବି ମିଳିପାରୁନଥିବା ବହୁ ବ୍ୟକ୍ତି ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର