ଘରକୁ ଫେରୁଛନ୍ତି ଆନ୍ଧ୍ରରେ ଅଟକିଥିବା ଓଡ଼ିଶା ଛାତ୍ରଛାତ୍ରୀ; ‘ସମ୍ବାଦ’କୁ ଧନ୍ୟବାଦ ଜଣାଇଲେ

ବାଲେଶ୍ବର/ବାରିପଦା: ପରୀକ୍ଷା ଦେବାକୁ ଯାଇ ଆନ୍ଧ୍ରପ୍ରଦେଶରେ ଫସିଥିବା ଓଡ଼ିଶା ଛାତ୍ରଛାତ୍ରୀ ଘରକୁ ଆସିବା ପାଇଁ ସହାୟତା ମାଗୁଥିଲେ। ହେଲେ କରୋନା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ହୋଇଥିବାରୁ କେହି ସେମାନଙ୍କ କଥା ଶୁଣୁ ନଥିଲେ। ଏ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ଓଡ଼ିଶା ସରକାର ଓ ଆନ୍ଧ୍ର ପ୍ରଦେଶ ସରକାରଙ୍କ ମିଳିତ ହସ୍ତକ୍ଷେପରେ ଆଜି ସମ୍ପୃକ୍ତ ଛାତ୍ରଛାତ୍ରୀମାନେ ଘରକୁ ଫେରୁଛନ୍ତି

ଆନ୍ଧ୍ରପ୍ରଦେଶକୁ ବିଇଡି ପରୀକ୍ଷା ଦେବା ପାଇଁ ଏହି ଛାତ୍ରଛାତ୍ରୀମାନେ ଯାଇଥିଲେ। ଚଳିତ ମାସ ୧୬ ତାରିଖରୁ ୩୧ତାରିଖ ଯାଏ ସେମାନଙ୍କର ପରୀକ୍ଷା ଥିଲା। ହେଲେ କରୋନା ପାଇଁ ପରୀକ୍ଷା ସ୍ଥଗିତ ହେବାରୁ ସେମାନେ ଘରକୁ ଆସିବାକୁ ଟିକେଟ୍‌ କାଟିଥିଲେ। ତେବେ ୨୨ତାରିଖରେ ସେମାନଙ୍କ ଟିକେଟ କନଫର୍ମ ହୋଇଥିଲେ ହେଁ ଜନତା କର୍ଫୁ ପାଇଁ ସେ ଟ୍ରେନ୍‌ ବି ବାତିଲ ହୋଇଯାଇଥିଲା। ତେଣୁ ସମସ୍ତେ ସେଠାରେ ଅଟକି ରହିବା ସହ ଖାଇବା ଓ ରହିବା ପାଇଁ ବଡ଼ ହଇରାଣ ହେଉଥିଲେ। ଏନେଇ ସେମାନଙ୍କ ମଧ୍ୟରୁ ଜଣେ ଛାତ୍ର ସେମାନଙ୍କ ଅସୁବିଧା ସମ୍ପର୍କରେ ଏକ ଭିଡିଓ ସୁଟ୍‌ କରି ସୋସିଆଲ ମିଡିଆ ମାଧ୍ୟମରେ ଓଡ଼ିଶା ସରକାରଙ୍କ ସହାୟତା ଲୋଡ଼ିଥିଲେ। ଉକ୍ତ ଭିଡିଓକୁ ନେଇ ‘ସମ୍ବା‌ଦ’ ସିଏମ୍‌ଓ, ମୋ ସରକାର ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ଖବର ପ୍ରକାଶ କରିଥିଲା।

ରାଜ୍ୟ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ଆଲୋଚନା କରିଥିଲେ। ପରେ ଛାତ୍ରଛାତ୍ରୀଙ୍କ ନିକଟରେ ସେଠାକାର ଜିଲ୍ଲା ପ୍ରଶାସନ ପହଞ୍ଚି ସେମାନଙ୍କ ଆସିବା ବ୍ୟବସ୍ଥା କରିଥିଲା। ଆନ୍ଧ୍ରପ୍ରଦେଶ ରାଜ୍ୟ ପରିବହନ ନିଗମର ଏକ ବସ୍‌ରେ ଅଟକି ରହିଥିବା ସମସ୍ତ ୪୩ ଜଣ ଛାତ୍ରଛାତ୍ରୀଙ୍କୁ ଆଣି ଆଜି ଓଡ଼ିଶା ଅଭିମୁଖେ ଆସିଛନ୍ତି। ସୂଚନାଥାଉକି, ଫେରୁଥିବା ସମସ୍ତ ଛାତ୍ରଛାତ୍ରୀ ବାଲେଶ୍ବର, ମୟୂରଭଂଜ ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀ ଅଟନ୍ତି।

ସମ୍ବନ୍ଧିତ ଖବର