ଜଟିଳ ଯକ୍ଷ୍ମା ରୋଗୀଙ୍କ ପାଇଁ ଖୁସି ଖବର : ଏପ୍ରିଲ୍‌ରୁ ମିଳିବ ମାଗଣା ‘ବେଡାକ୍ୟୁଲିନ୍‌’ ଟାବଲେଟ୍‌

୬ ଲକ୍ଷ ଟଙ୍କାର ମାଗଣା ଔଷଧ ପାଇବେ ରୋଗୀ

କଟକ : ଜଟିଳ ଯକ୍ଷ୍ମା ରୋଗର ଚିକିତ୍ସା ପାଇଁ ଆବିଷ୍କୃତ ଔଷଧ ‘ବେଡାକ୍ୟୁଲିନ୍‌’ ଏବେ ଓଡ଼ିଶାରେ ଉପଲବ୍ଧ ହେବ। ଏହି ଗୋଟିଏ ଟାବ୍‌ଲେଟ୍‌ର ଦର ପ୍ରାୟ ୮ହଜାର ଟଙ୍କା। ରୋଗୀକୁ ସଂପୂର୍ଣ୍ଣ ମାଗଣାରେ ଏହି ଔଷଧ ଦିଆଯିବାକୁ ଥିବା ବେଳେ ଏହାଦ୍ୱାରା ଜଣେ ରୋଗୀ ୬ ମାସରେ ପାଖାପାଖି ୬ଲକ୍ଷ ଟଙ୍କାର ଫାଇଦା ପାଇପାରିବ। ଭାରତ ସରକାରଙ୍କ ରିଭାଇଜ୍‌ଡ୍‌ ନ୍ୟାସନାଲ୍‌ ଟ୍ୟୁବୋରକୁଲୋସିସ୍‌ କଣ୍ଟ୍ରୋଲ୍‌ ପ୍ରୋଗ୍ରାମ୍‌ (ଆର୍‌ଏନ୍‌ଟିସିପି) ଅଧୀନରେ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟାରେ ସାରା ଦେଶରେ ବେଡାକ୍ୟୁଲିନ୍‌ ମାଗଣାରେ ଯୋଗାଇ ଦେବାକୁ ସ୍ଥିର କରାଯାଇଛି। ତେବେ ଏହି କ୍ରମରେ ଓଡ଼ିଶା ସପ୍ତମ ରାଜ୍ୟ ଭାବେ ଉକ୍ତ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଯାଉଛି। ଏଥିପାଇଁ ରାଜ୍ୟର ତିନି ମେଡିକାଲ୍‌ କଲେଜରେ ଥିବା ନୋଡାଲ୍‌ ସେଣ୍ଟରକୁ ପର୍ଯ୍ୟାପ୍ତ ପାରିମାଣର ଔଷଧ ଆସିସାରିଛି। ଏପ୍ରିଲ୍‌ ପ୍ରଥମ ସପ୍ତାହରୁ ଏହାକୁ ବିଧିବଦ୍ଧ ଭାବେ ଆରମ୍ଭ କରାଯିବ ବୋଲି ଏସ୍‌ସିବି ମେଡିକାଲ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ଜଟିଳ ଯକ୍ଷ୍ମା ପାଇଁ ଉକ୍ତଷ୍ଟ ଔଷଧ ଶେଷ ଥର ପାଇଁ ୪୦ ବର୍ଷ ପୂର୍ବରୁ ତିଆରି ହୋଇଥିଲା। ସେହି ଔଷଧ ଦ୍ୱାରା ଟିବି ଆରୋଗ୍ୟ ହାର ପ୍ରାୟ ୫୦ ପ୍ରତିଶତ ରହୁଥିଲା। ହେଲେ ବେଡାକ୍ୟୁଲିନ୍‌ ବ୍ୟବହାର ଦ୍ୱାରା ଏହାକୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ବଢା ଯାଇପାରିବ। ପୂର୍ବରୁ ସଂପୂର୍ଣ୍ଣ ସୁସ୍ଥ ହେବାକୁ ୨ବର୍ଷ ସମୟ ଲାଗିଯାଉଥିବାବେଳେ ବେଡାକ୍ୟୁଲିନ୍‌ ସହାୟତାରେ ୯ରୁ ୧୧ ମାସ ଭିତରେ ରୋଗୀ ଆରୋଗ୍ୟ ହୋଇପାରିବ। ଭାରତ ସରକାରଙ୍କ ଦ୍ୱାରା ପ୍ରଥମେ ୫ ରାଜ୍ୟରେ ଏହାକୁ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯାଇ ଉକ୍ତ ରିପୋର୍ଟ ଦିଆଯାଇଥିବା କୁହାଯାଇଛି। ଏହି ଦାମୀ ଔଷଧର ଅପବ୍ୟବହାର ହେବା ଆଶଙ୍କା ଥିବାରୁ ନୋଡାଲ୍‌ ସେଣ୍ଟରରୁ ରୋଗୀକୁ ଔଷଧ ଖାଇବାକୁ ଦିଆଯିବ। ଏଠାରେ ରୋଗୀ ରହିବା ପରେ ପ୍ରଥମ ୧୫ ଦିନ ରୋଗୀକୁ ୧୦୦ ମିଲିଗ୍ରାମର ଦୁଇଟି ଡୋଜ୍‌ ଦିଆଯିବ। ଏହାପରେ ସଂକ୍ରମଣର ପ୍ରଭାବ କଟିଯବା ପରେ ରୋଗୀକୁ ନିଜ ଜିଲ୍ଲାକୁ ପଠାଇ ଦିଆଯିବ। ସେଠାରେ ଜିଲ୍ଲା ଯକ୍ଷ୍ମା ଅଧିକାରୀଙ୍କଠୁ ପରବର୍ତ୍ତୀ ସାଢେ ୫ମାସ ପର୍ଯ୍ୟନ୍ତ ସପ୍ତାହକୁ ତିନିଥର ବେଡାକ୍ୟୁଲିନ୍‌ ଖାଇବାକୁ ପଡ଼ିବ। ଭାରତ ସରକାରଙ୍କ ପକ୍ଷରୁ ଗତ ୨୪ ତାରିଖରେ ପାଳନ ହୋଇଥିବା ବିଶ୍ୱ ଯକ୍ଷ୍ମା ଦିବସରେ ବେଡାକ୍ୟୁଲିନ୍‌ ମାଗଣାରେ ଯୋଗାଇଦେବାକୁ ଘୋଷଣା କରାଯାଇଥିଲା। ଦିଲ୍ଲୀଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏସ୍‌ସିବି ମେଡିକାଲ୍‌ ପକ୍ଷରୁ ପଲ୍‌ମୁନାରୀ ମେଡିସିନ୍‌ ବିଭାଗର ପ୍ରଫେସର ଡାକ୍ତର ମନୋରଂଜନ ପଟ୍ଟନାୟକ ଯୋଗଦେଇଥିଲେ। ଏହି ଔଷଧ ସବୁ ରୋଗୀଙ୍କ ପାଖରେ ପହଞ୍ଚିପାରିଲେ ମୃତ୍ୟୁହାର ଅନେକ ହ୍ରାସ ପାଇବ ଏବଂ ଯକ୍ଷ୍ମା ନିୟନ୍ତ୍ରଣରେ ମଧ୍ୟ ସଫଳତା ମିଳିବ ବୋଲି ଏସ୍‌ସିବି ପଲ୍‌ମୁନାରୀ ବିଭାଗ ପ୍ରଫେସର ଡାକ୍ତର ମନୋରଂଜନ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର