ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି: ବାଲେଶ୍ବର ଏସ୍‌ପିଙ୍କୁ ରିପୋର୍ଟ ମାଗିଲେ ଏନ୍‌ଏଚ୍‌ଆର୍‌ସି

ବାଲେଶ୍ବର: ସମ୍ବାଦ ଓ କନକ ନ୍ୟୁଜ୍‌ର ନୀଳଗିରି ପ୍ରତିନିଧି ଲୋକନାଥ ଦଳେଇଙ୍କ ନାଁରେ ପୁଲିସର ମିଥ୍ୟା ମାମଲା ଓ ତାଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣାରେ ଏଯାଏ କ’ଣ କାର୍ଯ୍ୟାନୁଷ୍ଠାନ ନିଆ‌ଯାଇଛି, ସେ ସଂପର୍କରେ ବାଲେଶ୍ବର ଏସ୍‌ପିଙ୍କୁ ରିପୋର୍ଟ ତଲବ କରିଛନ୍ତି ଜାତୀୟ ମାନବାଧିକାର କମିସନ୍। ଏହି ମାମଲାରେ ଓଡ଼ିଶା ମାନବାଧିକାର କମିସନ୍‌ ନିଜ ଆଡୁ ମାମଲା ରୁଜୁ କରିଛନ୍ତି କି ଏବଂ ଯଦି କରିଥିବେ; ତାହେଲେ ସେ ସଂପର୍କିତ ସବିଶେଷ ବିବରଣୀ ଆସନ୍ତା ୪ ସପ୍ତାହ ମଧ୍ୟରେ କମିସନଙ୍କ କାର୍ଯ୍ୟାଳୟରେ ଦାଖଲ କରାଯିବାକୁ କୁହାଯାଇଛି। କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଶାଳଣିଆ ଶୋଲପଟା ଅଞ୍ଚଳର ଯୁବ ସାମାଜିକ କର୍ମୀ ହିମାଂଶୁ ଶେଖର ନାୟକ ଏ ସଂକ୍ରାନ୍ତରେ ଜାତୀୟ ମାନବାଧିକାର କମିସନ୍‌ରେ ଅଭିଯୋଗ କରିବା ପରେ କେସ୍‌ ନଂ-୯୩୭ରେ ମାମଲା ରୁଜୁ ହୋଇଛି।

ଶ୍ରୀ ନାୟକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି, ଗତ ୬ ତାରିଖରେ ସାମ୍ବାଦିକ ଶ୍ରୀ ଦଳେଇଙ୍କୁ ନୀଳଗିରି ପୁଲିସ ଥାନାକୁ ଡକାଇ ବେଆଇନ ଭାବେ ଅଟକ ରଖିବା ସହ ନିର୍ଯାତନା ଦେଇଥିଲା। ଥାନା ଭିତରେ ସେ ଗୁରୁତର ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ବି ତାଙ୍କ ପ୍ରତି ଅମାନବୀୟ ବ୍ୟବହାର ପ୍ରଦର୍ଶନ କରିଥିଲା ପୁଲିସ। ଚିକିତ୍ସା ସମୟରେ ତାଙ୍କ ଗୋଡ଼ରେ ବେଡ଼ି ବାନ୍ଧି ଦେଇଥିଲା। ଏଥିପାଇଁ ମାଜିଷ୍ଟ୍ରେଟ୍‌ କିମ୍ବା କୋର୍ଟ, କାହାର ଅନୁମତି ନିଆଯାଇନଥିଲା। ତେଣୁ ଏହା ସମ୍ପୂର୍ଣ୍ଣ ବେଆଇନ ଓ ମାନବ ଅଧିକାରର ଖୋଲା ଉଲ୍ଲଂଘନ। ଆଇନକୁ ହାତକୁ ନେଇଥିବାରୁ ସଂପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ନାୟକ ତାଙ୍କ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି। ପ୍ରକାଶଥାଉକି, ନୀଳଗିରି ପୁଲିସର ବର୍ବରତା ସଂପର୍କରେ ପୁରୀର ମାନବାଧିକାର କର୍ମୀ ଜୟନ୍ତ ଦାଶ ପୂର୍ବରୁ ଜାତୀୟ ମାନବାଧିକାର କମିସନରେ ମାମଲା ରୁଜୁ କରିଛନ୍ତି। ସେହିପରି ରାଜ୍ୟ ମାନବାଧିକାର କମିସନ ମଧ୍ୟ ନିଜ ଆଡୁ ମାମଲା ରୁଜୁ କରି ପୂର୍ବାଞ୍ଚଳ ପୁଲିସ ଆଇଜିଙ୍କୁ ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର