ମହୁମାଛି ଆକ୍ରମଣରେ ୧୨ ଛାତ୍ରଛାତ୍ରୀ ଅସୁସ୍ଥ

ରାମଚନ୍ଦ୍ରପୁର: ମହୁମାଛି ଆକ୍ରମଣରେ  ଘସିପୁରା ବ୍ଲକ ଗଁପୁର ପଞ୍ଚାୟତ  ଅଙ୍ଗାରୁଆ ନୋଡାଲ ଉପ୍ରା ବିଦ୍ୟାଳୟର ୧୨ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ବୁଧବାର ସକାଳ ସାଢେ ୯ଟା ବେଳେ ଏହି ଅଘଟଣ ଘଟିଥିଲା। ସବୁ ଦିନ ପରି ଆଜି  ବିଦ୍ୟାଳୟକୁ ଛାତ୍ରଛାତ୍ରୀ  ଆସି ସମୂହ ପ୍ରାର୍ଥନା ପାଇଁ ପ୍ରସ୍ତୁତି ଚଳାଇଥିଲେ।  ହଠାତ୍ ଏହି ସମୟରେ  ବିଦ୍ୟାଳୟ ପରିସରରେ ଥିବା ଏକ କଦମ୍ବ ଗଛରେ ଝୁଲିଥିବା ମହୁଫେଣାରେ ମାଙ୍କଡ଼ ହାତ ମାରିଦେବାରୁ ମହୁମାଛି ମାନେ ଉଡ଼ିଉଡ଼ି ଶିଶୁମାନଙ୍କୁ ଆକ୍ରମଣ କରିଥିଲେ।

ମହୁମାଛି ଆକ୍ରମଣରୁ ବର୍ତ୍ତିବାକୁ କିଛି ଛାତ୍ରଛାତ୍ରୀ  ବିଦ୍ୟାଳୟ କୋଠରି ଭିତରକୁ ଦୌଡି ପଳାଇଥିଲେ। ମାତ୍ର ମହୁମାଛିଙ୍କ ଆକ୍ରମଣରେ ୧୨ ଜଣ ଆହତ ହୋଇଥିଲେ। ଆହତ ଶିଶୁମାନଙ୍କ ମଧ୍ୟରେ ଅଙ୍ଗାରୁଆର ପାୟଲ ରଥ, ଦେବାଶିଷ ବେହେରା, ଆଶିଷ ବେହେରା, ଅଭିଜିତ କର, ବିପ୍ର ଜେନା, ଅଂଶୁମାନ ଜେନା, ରାକେଶ ଜେନା, କୁଲୁ ପୂରେଇ, ସ୍ମୃତିମୟୀ ରାଉତ, ସୀମାରାଣୀ ଦାସ, ସମ୍ବିତ ଜେନା, ପୂଜାରାଣୀ ଦାସ ଅଛନ୍ତି।  ସମସ୍ତ ଶିଶୁଙ୍କୁ ସାଇଁକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ୧୦ ଶିଶୁ ଘରକୁ ଫେରିଥିବା ବେଳେ ପାୟଲ ରଥ, ଅଭିଜିତ କରଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।  ଘଟଣା ନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ଧନୁର୍ଦ୍ଧର ସାହୁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର