ଶ୍ମଶାନରେ ମହୁମାଛି ଆକ୍ରମଣ, ୫୦ ଆହତ

ପାପଡାହାଣ୍ଡି : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍‌ ଜଟାବାଲ ପଞ୍ଚାୟତ ଅନ୍ତର୍ଗ ଜାମଗୁଡ଼ା ଗାଁ ଶ୍ମଶାନ ନିକଟରେ ହଠାତ୍‌ ମହୁମାଛି ଆକ୍ରମଣ କରିବାରୁ ଶେଷକୃତ୍ୟରେ ବାହାରିଥିବା ୫୦ରୁ ଊର୍ଦ୍ଧ୍ବ ମହିଳା ଓ ପୁରୁଷ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ ଜାମଗୁଡା ଗ୍ରାମର ରାମ ଗୌଡ଼ଙ୍କ ମରଶରୀର ଆଜି ସକାଳେ ଗାଁ ଶ୍ମଶାନକୁ ଶେଷକୃତ୍ୟ ପାଇଁ ନିଆଯାଉଥିଲା। ଗାଁର ଅଧିକାଂଶ ପରିବାର ଏବଂ ଆଖପାଖରେ ରହୁଥିବା ସଂପର୍କୀୟ ଶେଷଯାତ୍ରାରେ ସାମିଲ ହୋଇଥିଲେ। ଶ୍ମଶାନ ଠାରୁ ଅଳ୍ପ ଦୂର ତଥା ଆରଏମ୍‌ସି ଗୋଦାମ ନିକଟରେ କୋକେଇ ପହଞ୍ଚିବା ବେଳକୁ ଅତର୍କିତ ମହୁମାଛି ଆକ୍ରମଣ କରିଥିଲେ। ଜୀବନ ବିକଳରେ ସମସ୍ତେ ଦୌଡ଼ିଥିଲେ ମଧ୍ୟ ୫୦ରୁ ଊର୍ଦ୍ଧ୍ବ ଜଣଙ୍କୁ ମହୁମାଛି ବିନ୍ଧିଥିଲେ। ଜାମଗୁଡା ଗ୍ରାମର ଡମ୍ବରୁ ଗୌଡ଼ ଓ ଶୁକଲିଗୁଡା ଗ୍ରାମର ବେଣୁ ଜାନି (୫୦ବର୍ଷ), ହରିଶ୍ଚନ୍ଦ୍ର ଜାନି (୨୨ବର୍ଷ) ଏବଂ ତ୍ରିନାଥ ମୁଦୁଲିଙ୍କ ମୁହଁ ଏବଂ ଛାତିକୁ ମାହୁମାଛି ବାରମ୍ବାର ବିନ୍ଧିବାରୁ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତେଣୁ ହରିଶ୍ଚନ୍ଦ୍ର, ତ୍ରିନାଥ, ବେଣୁଙ୍କୁ ତୁରନ୍ତ ବାଇକ ଯୋଗେ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।

ସମ୍ବନ୍ଧିତ ଖବର